Latest Odisha News

BREAKING NEWS

ପତିଆରା, ପ୍ରତିବାଦ; ରାଜଧାନୀରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜଧାନୀରେ ବିଜେପି, ବିଜେଡି ଶକ୍ତି ପ୍ରଦର୍ଶନ କରିଛନ୍ତି । ଧାମନଗର ଉପନିର୍ବାଚନକୁ ନେଇ ବଳ କଷାକଷି ହେଉଥିବା ବିଜେଡି-ବିଜେପି ଉଭୟ ଉଭୟକୁ ଟାର୍ଗେଟ୍ କରିଛନ୍ତି । ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ନାଗ ମାମଲାରେ ବିଜେପି, ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରିଥିବା ବେଳେ ଫସଲ ବୀମାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିଛି ବିଜେଡି । ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦରେ ୪୫୦ କୋଟି ଟଙ୍କା କେନ୍ଦ୍ର ସରକାର ବକେୟା ଦେଇ ନାହାଁନ୍ତି । ହକ୍ ମିଳିବା ପର୍ଯ୍ୟନ୍ତ ପଲ୍ଲୀରୁ ଦିଲ୍ଲୀ ଯାଏ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ବିଜେଡି ନେତା ।

ସେପଟେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ଓ ଅର୍ଚ୍ଚନା ନାଗ ମାମଲାରେ ବିଜେଡି ନେତା, ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ବିଜେପି ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରିଛି । ଶିଶୁ ଭବନ ନିକଟରେ ପୋଲିସ ସହ ବିଜେପି ନେତା, କର୍ମୀ ଧସ୍ତାଧସ୍ତି ହୋଇଥିଲେ । ରାଜ୍ୟ ସରକାରଙ୍କ ଅପାରଗତା ଓ ଧାମନଗରରେ ଟଙ୍କା ବଣ୍ଟାକୁ ନେଇ ବିଜେଡି ଅକଳରେ ପଡ଼଼ିଥିବାରୁ ଫସଲ ବୀମା ନାଁରେ ପ୍ରତିବାଦ କରୁଥିବା କହିଛି ବିଜେପି ।

ରାଜଧାନୀରେ ବିଜେଡି, ବିଜେପିର ହାଇ ଭୋଲଟେଜ୍ ପ୍ରତିବାଦ ରାଜ୍ୟ ରାଜନୀତିକୁ ଆଉ ଟିକିଏ ଉଷ୍ମ କରିଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ବେଳେ ମଧ୍ୟ ସମାନ ଢଙ୍ଗରେ ବିଜେଡି ଆୟୋଜନ କରିଥିଲା ୨ ଦିନିଆ କର୍ମଶାଳା । ଏବେ ବିଜେପିର ନବୀନ ନିବାସ ଘେରାଉ ବେଳେ ଦଳ ରାଜଧାନୀ ସହ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଚାଷୀଙ୍କୁ ଫସଲ ବୀମା ନ ମିଳିବାକୁ ନେଇ ପ୍ରତିବାଦ କରି ରେସରେ ଆଗୁଆ ରହିଛି ।

Leave A Reply

Your email address will not be published.