Latest Odisha News

BREAKING NEWS

ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ନେଇ ବୈଜୟନ୍ତଙ୍କ ବିରୋଧରେ ବିଜେଡ଼ିର ଅଭିଯୋଗ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଲୋକସଭା ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ନେଇ ଗୁରୁବାର ଦିନ ବିଜେଡ଼ିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ମତଦାନ ଚାଲିଥିବା ସମୟରେ ମିଡ଼ିଆ ବାଇଟ୍ ମାଧ୍ୟମରେ ସାକ୍ଷାତକାର ଦେଇ ନିର୍ବାଚନ ଆଚରଣ ବିଧି ଉଲଂଘନ କରିଛନ୍ତି ବୈଜୟନ୍ତ, ଏପରିକି ଏକ ଘରୋଇ ଚ୍ୟାନେଲରେ ଏହା ମଧ୍ୟ ପ୍ରସାରିତ ହୋଇଥିବା ଅଭିଯୋଗ କରିଛି ବିଜେଡ଼ି ।

ଏନେଇ ନିର୍ବାଚନ କମିଶନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବିଜେଡ଼ିର ଏହି ପ୍ରତିନିଧି ଦଳ । ଏହି ସ୍ମାରକପତ୍ରରେ ବିଜେଡ଼ି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ନିର୍ବାଚନ ଆଚରଣ ବିଧି ଅନୁଯାୟୀ ମତଦାନ ବେଳେ ରାଜନୈତିକ ଦଳର ନେତା ବା ଷ୍ଟାର୍ କ୍ୟାମ୍ପେନରମାନେ ଗଣମାଧ୍ୟମଠାରୁ ବିରତ ରହିବା ଉଚିତ, ଅର୍ଥାତ୍ ନିର୍ବାଚନ ସମ୍ବନ୍ଧୀୟ କୌଣସି ଆଲୋଚନା ହେବା ଉଚିତ ନୁହେଁ । ତେବେ ଏହା ଦୁଃଖର ବିଷୟ ଯେ, ମତଦାନ ସମୟରେ ବିଜେପି ନେତା ବୈଜୟନ୍ତ ପଣ୍ଡା ଏକ ମିଡ଼ିଆ ବାଇଟ୍ ମାଧ୍ୟମରେ ନିର୍ବାଚନ ପଦ୍ଧତି ସମ୍ପର୍କୀତ ବିବରଣୀ ପ୍ରଦାନ କରିବା ଉଚିତ ହୋଇନାହିଁ, ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏହି ବିଜେଡ଼ି ପ୍ରତିନିଧି ଦଳ ।

ଏହି ମିଡ଼ିଆ ବାଇଟ୍ ଟି ଘରୋଇ ଟିଭି ଚ୍ୟାନେଲ୍ ଓଟିଭି ମାଧ୍ୟମରେ ଦିନ ୧ଟା ୪୦ ରୁ ୧ଟା ୪୯ ମଧ୍ୟରେ ପ୍ରସାରିତ ହୋଇଛି ବୋଲି ବିଜେଡ଼ି କହିଛି ।

ନିର୍ବାଚନ କମିଶନଙ୍କ ଆଚରଣ ବିଧି ଉଲଂଘନ କରିଥିବା ଏବଂ ନିୟମ ପାଳନରେ ଅବହେଳା କରିଥିବା ଯୋଗୁଁ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.