Latest Odisha News

BREAKING NEWS

ଚାଷୀ ବୀମା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କଲା ବିଜେଡି

ଭୁବନେଶ୍ୱର: ଚାଷୀ ବୀମା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଛି ବିଜେଡି । ହୋମୱାର୍କ ନକରି କେନ୍ଦ୍ରମନ୍ତ୍ରୀ ମନ୍ତବ୍ୟ ଦେଉଛନ୍ତି । ଚାଷୀଙ୍କ ପ୍ରତି ଦରଦ ଆଗରୁ କେଉଁଠି ଥିଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ଓଡ଼ିଶା ଚାଷୀଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟବାସୀ ବିଜେପିର ନାଟକବାଜି, ମିଥ୍ୟା ପ୍ରଚାର ଏବଂ ନକଲି କାରବାରକୁ ଦେଖୁଥିବା କହିଛନ୍ତି ଶ୍ରୀମୟୀ ମିଶ୍ର । ସେ କହିଛନ୍ତି, ଗତକାଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରରେ ତାଙ୍କ ଅଭିଭାଷଣରେ ଅଭିଯୋଗ କରିଥିଲେ, ଓଡ଼ିଶା ସରକାର କାହିଁକି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀରେ ବୀମା କମ୍ପାନୀ ଭାବରେ ଏଚଡିଏଫସିକୁ ମନୋନୀତ କରିଛନ୍ତି ?

ବୋଧହୁଏ ସେ ଜାଣି ନାହାଁନ୍ତି- ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ମହାରାଷ୍ଟ୍ର ଭଳି ନିଜ ଦଳ-ବିଜେପି ଶାସିତ ରାଜ୍ୟ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ଏକ କାର୍ଯ୍ୟକାରୀ କମ୍ପାନୀ ଭାବରେ ଏଚଡିଏଫସିକୁ ବାଛି ଛନ୍ତି । ଏହି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଅନ୍ୟାୟ କରିଥିବା ସେ କହିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ ମିଶ୍ର ।

ଓଡ଼ିଶାର ଲୋକମାନେ ସତ କ’ଣ ଜାଣିବାକୁ ଚାହାନ୍ତି ? ପିଏମ୍ଏଫବିୱାଇ ପାଇଁ ବୀମା ଏଜେନ୍ସି ଗୁଡ଼ିକ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଟେଣ୍ଡର ଜରିଆରେ ମନୋନୀତ ହୋଇଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ହୋଇଛନ୍ତି । ଏଚଡିଏଫସି କେନ୍ଦ୍ର ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ । କେନ୍ଦ୍ର ମନ୍ତ୍ରୀ ଏହାକୁ ଅସ୍ୱୀକାର କରିପାରିବେ କି ? ରାଜ୍ୟ ଗୁଡ଼ିକ କେବଳ ତାଲିକାଭୁକ୍ତ ବୀମା କମ୍ପାନୀ ଗୁଡ଼ିକ ମଧ୍ୟରେ ଟେଣ୍ଡର କରିଥାନ୍ତି । ଏହି ପ୍ରକ୍ରିୟା ସର୍ବତ୍ର ହୋଇଥାଏ ଏବଂ ଓଡିଶାରେ ସମାନ ପ୍ରକ୍ରିୟା ଅନୁସରଣ କରାଯାଇଛି ।

ପିଏମବିଏସୱାଇ ହେଉଛି ଏକ କେନ୍ଦ୍ରୀୟ ଯୋଜନା । ଏଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ବଜେଟ୍ ପାରିତ ହୋଇଛି ଏବଂ ଯେତେବେଳେ କୃଷକ ଏବଂ ବୀମା କମ୍ପାନୀ ମଧ୍ୟରେ ବିବାଦ ଦେଖାଦିଏ ସେତେବେଳେ କେନ୍ଦ୍ର ସରକାର ହେଉଛନ୍ତି ‘ଆପିଲେଟ ଅଥରିଟି’ । ବର୍ତ୍ତମାନ ମାମଲାରେ ଆବେଦନ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ଅଛି ।

ଯଦି କେନ୍ଦ୍ର ମନ୍ତ୍ରୀଙ୍କର କୃଷକମାନଙ୍କ ପାଇଁ ପ୍ରକୃତ ଚିନ୍ତା ଅଛି ତେବେ ସେ ମିଥ୍ୟା ପ୍ରଚାର କରିବା ପରିବର୍ତ୍ତେ ଓଡ଼ିଶାର କୃଷକମାନଙ୍କୁ ନ୍ୟାୟ ଦେବାପାଇଁ ତାଙ୍କ ସହଯୋଗୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ କଥା ହେବା ଉଚିତ । ଆମର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇ ଆସୁଛନ୍ତି ।

ଚାଷୀ ପ୍ରସଙ୍ଗରେ ବିଜେପି ଦ୍ୱାରା ପ୍ରଦର୍ଶିତ ହେଉଥିବା ନାଟକବାଜି ଏବଂ ମିଥ୍ୟାକୁ ଓଡ଼ିଶାର ଲୋକମାନେ ପସନ୍ଦ କରନ୍ତି ନାହିଁ ଏବଂ ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବେ ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର ।

Leave A Reply

Your email address will not be published.