Latest Odisha News

BREAKING NEWS

ଶ୍ରୀକ୍ଷେତ୍ରରୁ ବିଜେଡ଼ି ଆରମ୍ଭ କଲା ଜନ ଜାଗରଣ ଅଭିଯାନ

ପୁରୀ: ରାଜ୍ୟରେ ବିଜେପି ସରକାରକୁ ପୂରିଛି ବର୍ଷେ । ଏହି ଅବସରରେ ବିଭିନ୍ନ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ବିଜେପି ତା’ର ଏକବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି । ତେବେ ବିଜେପିର ଏଭଳି ପୂର୍ତ୍ତି ଉତ୍ସବକୁ କାଉଣ୍ଟର ଆଟାକ କରିଛି ବିଜେଡ଼ି । ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଗତ ଏକ ବର୍ଷ ମଧ୍ୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି ବୋଲି ବିଜେଡ଼ି ଅଭିଯୋଗ କରିଛି । ଗତବର୍ଷ ରଥଯାତ୍ରା ସମୟରେ ଆଡପ ପହଣ୍ଡି ସମୟରେ ଚାରମାଳ ଉପରେ ପ୍ରଭୁ ବଳଭଦ୍ର ପଡିଯିବା ଘଟଣା, ଆମ୍ବ ଟାକୁଆ ଖାଇ ନିରୀହ ଲୋକଙ୍କ ଜୀବନ ଯିବା, ଚିକିଟି ମଦ ମୃତ୍ୟୁ, ଯୁବ, ଛାତ୍ର ଏବଂ ମହିଳାଙ୍କ ସମସ୍ୟା ସମାଧାନ ନହେବା ଏବଂ ମହାନଦୀ ପୋଲାଭରମ ପ୍ରସଙ୍ଗରେ ନିରବ ରହିବା ଘଟଣାକୁ ନେଇ ଜନ ଜାଗରଣ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଜେଡ଼ିର ବରିଷ୍ଠ ନେତା କହିଛନ୍ତି । ସେହିପରି ୬ଟି ଜିଲ୍ଲାରେ ହଇଜା ବ୍ୟାପିଥିବା ବେଳେ ଓଡ଼ିଶାବାସୀଙ୍କ ଜୀବନ ସହିତ ବିଜେପି ସରକାର ଖେଳ ଖେଳୁଛି ବୋଲି ଅଭିଯୋଗ କରିଛି ବିଜେଡି ।

ସେହିପରି ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡ଼ି । ରାଜ୍ୟରେ ମହିଳା ମାନେ ସମ୍ପୂର୍ଣ୍ଣ ଅସୁରକ୍ଷିତ ଥିବାବେଳେ ବିଭିନ୍ନ ସମୟରେ ମହିଳାଙ୍କୁ ଧର୍ଷଣ, ହତ୍ୟା ଭଳି ସାଂଘାତିକ ଘଟଣା ଘଟୁଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି । ଏଣୁ ବିଜେଡ଼ି ଦଳର ସୁପ୍ରିମୋ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଯୁବ ଓ ଛାତ୍ରଙ୍କୁ ନେଇ ପୁରୀରୁ ଜନ ଜାଗରଣ ଅଭିଯାନ ଆରମ୍ଭ ହୋଇଛି । ସେପଟେ ବିଜେଡ଼ି ସରକାର ସମୟରେ ପୁରୀରେ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ କରାଯାଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ ପରିକ୍ରମା ମାର୍ଗ ନିର୍ମାଣ କରାଯାଇଥିଲା । କିନ୍ତୁ ବିଜେପି ସରକାରକୁ ଆସିବା ପରେ ସମସ୍ତ କାର୍ଯ୍ୟ ଠପ୍ ହୋଇପଡିଛି । ସେପଟେ ପୁରୀର ବିଧାୟକ ସୁନିଲ ମହାନ୍ତି କହିଛନ୍ତି ଶ୍ରୀମନ୍ଦିର ଦର୍ଶନ ପୁରୀ ବାସୀଙ୍କ ପାଇଁ ସ୍ବପ୍ନ ପାଲଟିଯାଇଛି । କେବଳ ଚାରି ଦ୍ବାର ଖୋଲି ଦେଲେ ହେବ ନାହିଁ ପୁରୀ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି । ଯଦି ସରକାର ତୁରନ୍ତ ଏଦିଗରେ ପଦକ୍ଷେପ ନ ନିଅନ୍ତି ତା’ହେଲେ ଆଗାମୀ ଦିନରେ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବ । ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ଉପୁଜିବ ।

ଜଗନ୍ନାଥ ଧାମ ପୁରୀରୁ ବିଜେଡ଼ି ଜନ ଜାଗରଣ ଅଭିଯାନ ଆରମ୍ଭ କରିଛି । ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀରେ ଏହି ଅଭିଯାନ ଆୟୋଜନ କରାଯିବ । ତେବେ ପୁରୀରେ ଆୟୋଜିତ ଜନ ଜାଗରଣ ଅଭିଯାନ କାର୍ଯ୍ୟକ୍ରମରେ ବିଜେଡ଼ିର ବରିଷ୍ଠ ନେତା, ଯୁବ ଓ ଛାତ୍ର ନେତାଙ୍କ ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମୀମାନେ ସାମିଲ ହୋଇଥିଲେ । ଏବେ ଅପେକ୍ଷା ବିଜେଡ଼ିର ଏହି ଜନ ଜାଗରଣ ଅଭିଯାନ ଜନତାଙ୍କ ଉପରେ କେତେ ପ୍ରଭାବ ପକାଉଛି ।

Comments are closed.