Latest Odisha News

BREAKING NEWS

ବିଦ୍ୟାଳୟରେ ବିଧାୟକଙ୍କ ଜନ୍ମଦିନ ପାଳନ, ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଯାଜପୁର: ବିଜେଡି ନେତା ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜନ୍ମଦିନ ବିଦ୍ୟାଳୟରେ ପାଳନକୁ ନେଇ ବିବାଦ ତେଜୁଛି । ଆଉ ବିବାଦ ଭିତରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି । ଅଗଷ୍ଟ ୯ରେ ଧର୍ମଶାଳାରେ ଜିଲ୍ଲା ପରିଷଦ ଉପନିର୍ବାଚନ ହେବାକୁ ଥିବାବେଳେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ ଜିଲ୍ଲାପାଳ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ ।

ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଜ୍ରଗିରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସାଧନା ଭଞ୍ଜଙ୍କୁ ନିଲମ୍ବିତ କରାଯାଇଛି । ଅଭିଯୋଗ ଅନୁସାରେ, ପ୍ରଧାନଶିକ୍ଷୟିତ୍ରୀ ସାଧନା ଭଞ୍ଜ ଜୁଲାଇ ୨୩ରେ  ବିଧାୟକଙ୍କ ଜନ୍ମଦିନ ପାଳନ ଉତ୍ସବରେ ସାମିଲ୍ ହୋଇଥିଲେ ।

ନିଲମ୍ବନ ନିର୍ଦ୍ଦେଶନାମାରେ ଜିଲ୍ଲାପାଳ ଉଲ୍ଲେଖ କରିଛନ୍ତି, ଜିଲ୍ଲା ପରିଷଦ ସଭ୍ୟ ଉପନିର୍ବାଚନ ଲାଗି ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗିଛି । ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ନିଲମ୍ବିତ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ନିଲମ୍ବନ ସମୟରେ ସାଧନା ଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବେ ।

ସୂଚନାଯୋଗ୍ୟ, ପ୍ରଣବ ବଳବନ୍ତରାୟଙ୍କ ଜନ୍ମଦିନ ସ୍କୁଲରେ ପାଳନ ହୋଇଥିବା ବେଳେ ଜନ୍ମ ଉତ୍ସବରେ ଛାତ୍ରଛାତ୍ରୀ, ଶିକ୍ଷକଙ୍କ ସହ ସ୍ଥାନୀୟ ବିଜେଡି ନେତା ଯୋଗ ଦେଇଥିଲେ । ବିଧାୟକ ଉପସ୍ଥିତ ନଥିବା ବେଳେ ତାଙ୍କ ସମର୍ଥକ ସ୍କୁଲ୍ କୋଠାରେ ବ୍ୟାନର ମାରିଥିଲେ । ଯେଉଁଥିରେ ଲେଖାଥିଲା ହାପି ବର୍ଥଡେ ଭାଇ ।

ଏନେଇ ବିରୋଧୀ ଦଳ ନେତାଙ୍କ ଅଭିଯୋଗ କ୍ରମେ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ ପ୍ରଧାନଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଘଟଣା ନେଇ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ଧର୍ମଶାଳା ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.