Latest Odisha News

BREAKING NEWS

କେନ୍ଦ୍ରୀୟ ବଜେଟକୁ ନେଇ କ’ଣ କହିଲେ ବିଜେଡ଼ି ସାଂସଦ, ଜାଣନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ବଜେଟ ଉପସ୍ଥାପନ କରି ଏହା ଭାରତର ବିକାଶଧାରାକୁ ତ୍ୱରାନ୍ୱିତ କରିବା ନେଇ ସୂଚନା ଦେଇଛନ୍ତି ।

ସାଧାରଣ ନିର୍ବାଚନ ପରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଏହି ପ୍ରଥମ ବଜେଟ୍ ଉପସ୍ଥାପନ ପରେ ବିଜେଡ଼ି ପକ୍ଷରୁ ଦୁଇ ଜଣ ବରିଷ୍ଠ ସାଂସଦ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ବିଜୁ ଜନତା ଦଳର କଟକ ସାଂସଦ ଭର୍ତ୍ତୃହରି ମହତାବ ଏହା ଏକ ଐତିହାସିକ ବଜେଟ ବୋଲି ମତ ପ୍ରକାଶ କରିଛନ୍ତି, ଏବଂ ଏହା ଭାରତକୁ ନୂଆ ଦିଗନ୍ତ ଦେଖାଇବା ବୋଲି ସେ କହିଛନ୍ତିି । “ଗତ ପାଞ୍ଚବର୍ଷରେ ସମଗ୍ର ଭାରତ ଦେଖିଛି ଯେ, ଆନ୍ତର୍ଜାତୀୟ ଅର୍ଥନୀତିରେ ମାନ୍ଦା ଅବସ୍ଥା ରହିଥିବା ବେଳେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଘଟିଛି । ଆଗାମୀ ୫ ବର୍ଷରେ ୫ ଟ୍ରିଲିୟନ ଡଲାର୍ ଅର୍ଥନୀତିରେ ପହଞ୍ଚିବା ଲକ୍ଷ୍ୟ ରଖିଛି ସରକାର, ମାତ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ନିତାନ୍ତ ଆବଶ୍ୟକ । ମୁଁ ଆଶା କରୁଛି ସରକାର ଏଥିଲାଗି ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବେ,” ଏହା କହିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ।

ବଜେଟରେ ଉପସ୍ଥାପନ ହୋଇଥିବା ଟିକସ ପ୍ରସଙ୍ଗର ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏପର୍ଯ୍ୟନ୍ତ ଏସମ୍ପର୍କୀତ ପୁଙ୍ଖାନୁପୁଙ୍ଖ କିଛି ଦେଖିନାହିଁ । “ପେଟ୍ରୋଲ ଦର ବୃଦ୍ଧି ନିଶ୍ଚିତ ରୂପେ ଜନସାଧାରଣଙ୍କ ଲାଗି କଷ୍ଟଦାୟକ ହେବ,” ବୋଲି ସେ କହିଛନ୍ତି ।

ମାତ୍ର ଭିନ୍ନମତ ପୋଷଣ କରି ବିଜେଡ଼ିର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କଲାବେଳେ ଯେପରି ଆଳଙ୍କାରିକ ଶବ୍ଦ ପ୍ରୟୋଗ କରିଥିଲେ ବଜେଟଟି ଠିକ୍ ସେହିପରି । “ଏହି ବଜେଟରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି, ତାହା ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ, ମାତ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ଅଧିକାଂଶ ଥିଲା ଦିଗହୀନ,” ଏହା କହିଛନ୍ତି ବରିଷ୍ଠ ବିଜେଡ଼ି ସାଂସଦ ଶ୍ରୀ ଆଚାର୍ଯ୍ୟ ।

ସେ ତାଙ୍କର ପ୍ରତିକ୍ରିୟାରେ ଆହୁରି ମଧ୍ୟ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ଚାଷୀମାନଙ୍କର ଆୟ ଦ୍ୱିଗୁଣିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । “ତେବେ କୃଷକ ତଥା ଶ୍ରମିକ ମାନଙ୍କ ଲାଗି ସେପରି କିଛି ବଡ଼ ଘୋଷଣା ହୋଇନାହିଁ । ସେମାନେ କେବଳ କିଛି ବ୍ୟବସାୟୀଙ୍କ ଲାଗି ପେନସନ୍ ଘୋଷଣା କରିଛନ୍ତି ମାତ୍ର ଚାଷୀଙ୍କ ଲାଗି ସେପରି କିଛି ଘୋଷଣା କଲେ ନାହିଁ,” ବୋଲି ସେ କହିଛନ୍ତି ।

ସେ ତାଙ୍କର ପ୍ରତିକ୍ରିୟାରେ ମଧ୍ୟ କହିଛନ୍ତି ଯେ, ଏଫଡ଼ିଆଇର ସିଙ୍ଗଲ୍ ବ୍ରାଣ୍ଡ ପ୍ରସଙ୍ଗରେ ସ୍ଥାନୀୟ ବ୍ୟବସାୟୀ ବିଶେଷ ଉପକୃତ ହୋଇପାରିବେନି । “ଏହା ସ୍ଥାନୀୟ ବ୍ୟବସାୟୀଙ୍କ ଉପରେ କୁପ୍ରଭାବ ପକାଇବ,” ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

Leave A Reply

Your email address will not be published.