Latest Odisha News

ଜନଗଣନା-୨୦୨୧ ପାଇଁ ଆରମ୍ଭ ହେଲା ପ୍ରଶାସନିକ ପ୍ରସ୍ତୁତି

ଭୁବନେଶ୍ୱର: ଓଡ଼ିଶାରେ ଜନଗଣନା-୨୦୨୧ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଜନଗଣନା ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ଦିଗ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ଭାରତ ସରକାରଙ୍କ ଜନଗଣନା ଯୁଗ୍ମ ନିର୍ଦେଶକ ପଭାକର ବରଦା ପ୍ରସ୍ତାବିତ କାର୍ଯ୍ୟ ଯୋଜନା ବିଷୟରେ ସୂଚନା ଦେଇଥିଲେ । ପ୍ରସ୍ତାବର ବିଭିନ୍ନ ଦିଗକୁ ବିଚାର କରି ଜନଗଣନାକୁ ସଂପୂର୍ଣ୍ଣ ସଠିକ୍ ଏବଂ ସର୍ବାନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ ।

ଜନଗଣନାକୁ ଅଧିକ ସଠିକ୍ ଏବଂ ସଦ୍ୟତନ କରିବା ପାଇଁ ସ୍ୱତନ୍ତ୍ରଭାବରେ ପ୍ରସ୍ତୁତ ଏକ ମୋବାଇଲ୍ ଆପ୍ ର ପ୍ରୟୋଗ କରିବା ନିମନ୍ତେ ବୈଠକରେସ୍ଥିର ହୋଇଥିଲା । ଏଥର ଜନଗଣନାକୁ ତହସିଲ ସ୍ୱାରୀ କରାଯିବ । ପୂର୍ବରୁ ଏହା ଥାନା ୱାରୀ ଥିଲା ।

ଜିଲ୍ଲା ମାଜିଷ୍ଟ୍ରେଷ୍ଟ୍ ମାନେ ମୁଖ୍ୟ ଜନଗଣନା ଅଧିକାରୀ ଏବଂ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଷ୍ଟ୍ ମାନେ ଜିଲ୍ଲା ଜନଗଣନା ଅଧିକାରୀଭାବେ କାର୍ଯ୍ୟ କରିବେ । ସମୁଦାୟ ଗଣନା କାର୍ଯ୍ୟକୁ ୨ଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଘର ଗଣନା ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ହେବ ।

୨ଟି ପର୍ଯ୍ୟାୟର କାର୍ଯ୍ୟକୁ ୨୦୨୧ ମାର୍ଚ୍ଚ ମାସରେ ଶେଷ କରିବା ପାଇଁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ରାଜ୍ୟର ୩ଟି ସ୍ଥାନରେ ଜନଗଣନା କୌଶଳ ଗୁଡିକର ପରୀକ୍ଷା-ମୂଳକ ପ୍ରୟୋଗ (ପ୍ରିଟେଷ୍ଟ) କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା ।

ଏହି ସ୍ଥାନ ଗୁଡିକ ହେଲା କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ, ବଲାଙ୍ଗିର ଜିଲ୍ଲାର ପୁଇନ୍ତଳା ଏବଂ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ମହାନଗର ନିଗମ । ଏହି ପ୍ରିଟେଷ୍ଟ ଚଳିତ ବର୍ଷ ଅଗଷ୍ଟ ୧୨ ରୁ ଆରମ୍ଭ କରି ସେପ୍ଟେମ୍ବର ୩୦ ମଧ୍ୟରେ ସାରିବା ପାଇଁ ଧାର୍ଯ୍ୟ କରାଯାଇଥିଲା ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅସୀତ କୁମାର ତ୍ରିପାଠୀ, ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ବିଷ୍ଣୁପଦ ସେଠୀ, ଜି.ମାଥିଭାଥାନାନ୍, ରାଜ୍ୟ ନୋଡାଲ୍ ଅଫିସର ଶୈଳେନ୍ଦ୍ର ଦ୍ୱିବେଦୀଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.