Latest Odisha News

ଲୋକସଭାରେ ‘ଡ୍ୟାମ୍ ସୁରକ୍ଷା ବିଲ’କୁ ବିଜେଡ଼ିର ବିରୋଧ

ନୂଆଦିଲ୍ଲୀ: ଲୋକସଭାର ଶୀତକାଳୀନ ଅଧିବେଶନରେ ବୁଧବାର ଦିନ କେନ୍ଦ୍ର ଜଳସମ୍ପଦ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ‘ଡ୍ୟାମ୍ ସୁରକ୍ଷା ବିଲ’କୁ ଆଗତ କରିଥିବା ବେଳେ ବିଜେଡ଼ି ଏହି ବିଲକୁ ବିରୋଧ କରିଛି ।

ଏହି ବିଲକୁ ବିରୋଧ କରି ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି, ଏହି ବିଲଟି ସଂସଦର ପରିଧିକୁ ଆସୁନାହିଁ । ଏହି ବିଲର ପ୍ରସଙ୍ଗ ଗୁଡ଼ିକ ରାଜ୍ୟ ସରକାରମାନଙ୍କ ପରିଧିରେ ରହିଛି ।

ରାଜ୍ୟମାନଙ୍କରେ ରହିଥିବା ବିଭିନ୍ନ ଡ଼୍ୟାମ ଗୁଡ଼ିକର ସୁରକ୍ଷା, ତଦାରଖ, ସର୍ଭେଲାନ୍ସ, କ୍ରିୟାନୁଷ୍ଠାନ ତଥା ରକ୍ଷଣାବେକ୍ଷଣ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ବିଲଟି ୨୦୧୦ ମସିହାରେ ପ୍ରଥମେ ଆଗତ କରାଯାଇଥିଲା । ତେବେ ଏହି ବିଲଟିକୁ ଲୋକସଭାରେ ଆଗତ କରିବା ନେଇ କେଉଁଠି ମଧ୍ୟ ସୂଚନା ଦିଆଯାଇନାହିଁ ବୋଲି ସେ କହିଛନ୍ତି ।

ବିଜେଡ଼ି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ଲୋକସଭାରେ ଆହୁରି ମଧ୍ୟ କହିଛନ୍ତି, ଯଦି ୨୦୧୦ ମସିହାରେ ଆଗତ ହୋଇଥିବା ଏହି ‘ଡ୍ୟାମ୍ ସୁରକ୍ଷା ବିଲ’ଟିର ପୂର୍ବ ଯୋଜନା ସମାନ ରହିଥିବ ତେବେ ପୂର୍ବରୁ ଏହା ଆଲୋଚନା ହେବା ଜରୁରୀ ଥିଲା ।

ବିଜେଡ଼ି ନେତାଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସମ୍ବିଧାନର ଧାରା ୨୫୨ ଅନୁଯାୟୀ ଏହା ବୈଧ ଅଟେ । ବର୍ତ୍ତମାନ ପରିସ୍ଥିତିରେ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶକୁ ଭିତ୍ତିକରି ଏହି ୨ଟି ରାଜ୍ୟଙ୍କର ସହମତିରେ ଏହି ବିଲଟିକୁ ଉପସ୍ଥାପନ କରାଯାଇଛି । ତେଣୁ ଏହି ବିଲଟିକୁ ଆଗତ କରିବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ କ୍ଷମତା ରହିଛି ।

ଏହି ପ୍ରସଙ୍ଗରେ ଲୋକସଭାର ସଦସ୍ୟମାନଙ୍କୁ ସୂଚନା ଦେଇ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଦେଶରେ ୫,୨୦୦ଟି ବୃହତ ଡ୍ୟାମ ରହିଥିବା ବେଳେ ଆହୁରି ୪୫୦ଟି ନୂତନ ଡ୍ୟାମ ନିର୍ମାଣାଧିନ ରହିଛି । ତେଣୁ ଏହି ଡ୍ୟାମଗୁଡ଼ିକର ସୁରକ୍ଷା ନେଇ ନ୍ୟାୟିକ ତଥା ଆନୁଷ୍ଠାନିକ ସୁରକ୍ଷା ବ୍ୟବସ୍ଥାର ଗୁରୁତ୍ୱ ବହନ କରୁଛି ।

Leave A Reply

Your email address will not be published.