Latest Odisha News

BREAKING NEWS

ଟିକେଟ କାଟିବା ପରେ ଅସନ୍ତୁଷ୍ଟଙ୍କ ପିଠି ଥାପୁଡଉଛି ବିଜେଡି, ତାଲିକାରେ ଯୋଡ଼ି ହେଲେ ସମୀର ଦାସ ଏବଂ ଅରୁନ୍ଧତୀ

ଭୁବନେଶ୍ୱର: ପାଖାପାଖି ୨୪ ବିଧାୟକ ଏବେ ବିଜେଡିରୁ ଟିକେଟ୍ ପାଇ ନାହାନ୍ତି। ଅନେକ ସ୍ଥାନରେ ଆଶାୟୀ ଏକରୁ ଅଧିକ ଥିବା ବେଳେ ସ୍ଥାନୀୟ ସମୀକରଣକୁ ଦେଖି ଦଳୀୟ ଟିକେଟ୍ ନପାଇ ନିରାଶ ହୋଇଛନ୍ତି। ହେଲେ ନିର୍ବାଚନ ବେଳେ ଅନେକ ସ୍ଥାନରେ ଅସନ୍ତୁଷ୍ଟ ନେତା ବିଦ୍ରୋହ କରିବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ସେହି ନେତାମାନଙ୍କୁ ଦଳ ଚିହ୍ନଟ କରି ପିଠି ଥାପୁଡଉଛି।

BjdElectrycity

ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ନିମାପଡା ବିଧାୟକ ସମୀର ଦାଶ ଏବଂ ଦେବଗଡ ବିଧାୟକ ଟିକେଟ୍ ପାଇ ପରେ କଟିଥିବା ନେତ୍ରୀ ଅରୁନ୍ଧତୀ ଦେବୀ। ବିଜେଡି ଆଜି ସମୀର ଦାସଙ୍କୁ ଢେଙ୍କାନାଳ ଲୋକସଭା ଆସନର ପର୍ଯ୍ୟବେକ୍ଷକ କରିଥିବା ବେଳେ ଅରୁନ୍ଧତୀ ଦେବୀଙ୍କୁ ରାଜ୍ୟ ମହିଳା ସମ୍ପାଦିକା କରିଛି।

ସମୀର ଦାସ ଟିକେଟ୍ ନପାଇବା ପରେ ଦଳରେ ଏକ ପ୍ରକାର ପରୋକ୍ଷରେ ବିଦ୍ରୋହ କରିବା ଆରମ୍ଭ କରି ଦେଇଛନ୍ତି। ତାଙ୍କୁ ଟିକେଟ୍ ଦେବାକୁ ସମର୍ଥକଙ୍କ ଦ୍ବାରା ସମସ୍ତ ପ୍ରକାର ଚାପ ମଧ୍ୟ ପକାଉଛନ୍ତି। ଏପରିକି ଚର୍ଚ୍ଚା ହେଉଛି ସେ ସ୍ବାଥୀନ ପ୍ରାର୍ଥୀ ହୋଇପାରନ୍ତି ନଚେତ ପରୋକ୍ଷରେ ବିଜେପିକୁ ସମର୍ଥନ କରିପାରନ୍ତି। ଏପରି ସ୍ଥିତିରେ  ଦଳ ତାଙ୍କୁ ଶାନ୍ତ୍ବନା ଦେବାକୁ ଏପରି ଏକ ଦାୟିତ୍ୱ ଦେଇଛି।

ସେହିପରି ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ ଅରୁନ୍ଧତୀ ଦେବୀ। ଦଳରେ ଯୋଗ ଦେବା ପରେ ବିଜେଡି ତାଙ୍କୁ ଦେବଗଡ ଆସନ ପାଇଁ ବିଧାୟକ ପ୍ରାର୍ଥୀ କରିଥିଲା। ହେଲେ ଦଳ ଶେଷ ମୁହୂର୍ତରେ ପ୍ରାର୍ଥୀ ବଦଳାଇ ଦେଇଛି। ଆଉ ଟିକେଟ୍ କଟିବା ପରେ ଫେସବୁକରେ ଏକ ପୋଷ୍ଟ କରି କହିଥିଲେ ଏ ଜାତି କେବେ ମହିଳାଙ୍କୁ ସମ୍ମାନ ଦେବ ନାହିଁ।

ଏହାପୂର୍ବରୁ ଚନ୍ଦ୍ରଶେଖର ସାହୁଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିବା ପରିବର୍ତ୍ତେ ତାଙ୍କୁ ନିର୍ବାଚନୀ ଇସ୍ତାହାର କମିଟିର ଅଧ୍ୟକ୍ଷ କରିଛି ଦଳ। ଭୁବନେଶ୍ବର ମଧ୍ୟ ବିଧାନସଭା ଆସନ ପାଇଁ ଅମରେଶ ଜେନା ଆଶାୟୀ ଥିଲେ କିନ୍ତୁ ଟିକେଟ୍ ନମିଳିବା ପରେ ପ୍ରଚାର ତାଲିକାରେ ଯୋଡିଛି। ଅନ୍ୟତମ ଚର୍ଚ୍ଚିତ ନେତ୍ରୀ ଶ୍ରୀମୟୀ ମିଶ୍ର ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରଚାର ଆରମ୍ଭ କରିଦେଇଥିଲେ କିନ୍ତୁ ଦଳ ଟିକେଟ୍ କାଟିଦେବା ପରେ ସେ ଏବେ ସମସ୍ତଙ୍କ ପାଇଁ ଅପହଁଚ ହେଲା ପରି ରହିଛନ୍ତି। ଆଉ ତାଙ୍କୁ ମଧ୍ୟ ବିଜେଡି ପ୍ରଚାର ତାଲିକାରେ ତଳ ଆଡୁ ରଖିଛି। ଏମିତିକି ଶ୍ରୀମୟୀଙ୍କୁ ବିଜେଡି ମହିଳା ଶାଖାର କାର୍ଯ୍ୟକାରୀ ସଭାପତି କରାଇଛି ଦଳ।

ସେହିପରି ନର୍ଲାର ବିଧାୟକ ଭୂପିନ୍ଦର ସିଂହ, କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା ଚିରଞ୍ଜୀବ ବିଶ୍ବାଳ ଏବଂ ଅନ୍ୟାନ୍ୟ ନେତାଙ୍କୁ ମଧ୍ୟ ଦଳ ନିର୍ବାଚନ ବେଳେ ବିଭିନ୍ନ ଦାୟିତ୍ବ  ଦେଇଛି।

Leave A Reply

Your email address will not be published.