Latest Odisha News

BREAKING NEWS

‘ନିଜ ଦୁର୍ନୀତିର ଅଠା ଅନ୍ୟ ମୁଣ୍ଡରେ ପୋଛୁଛି ବିଜେଡି’

ଭୁବନେଶ୍ୱର: ନିଜେ କରିଥିବା ଦୋଷ ଓ ପାପକୁ ଅନ୍ୟ ମୁଣ୍ଡରେ ଲଦି ଦେଇ ଓଡିଶାବାସୀଙ୍କୁ ବାରମ୍ବାର ପ୍ରତାରିତ କରିଚାଲିଛି  ବିଜୁ ଜନତା ଦଳ । ନିଜେ କରୁଥିବା ଚଂଚକତା, ଦୁର୍ନୀତି, ଭ୍ରଷ୍ଟାଚାରର ଅଠା ଅନ୍ୟ ମୁଣ୍ଡରେ ପୋଛି ଦେବାରେ ଓସ୍ତାଦ ଶାସକଦଳ । ସଂଘୀୟ ବ୍ୟବସ୍ଥାର ସମସ୍ତ ନୀତି ଓ ନିୟମକୁ ଜଳାଞ୍ଜଳି ଦେଇ ଗରିବଙ୍କ ପେଟରେ ଲାତ ମାରିବାକୁ ପଛାଉ ନଥିବା ଭୋଟ ସର୍ବସ୍ୱ ଶାସକ ବିଜେଡି ଅଗଣିତ ରାଜ୍ୟବାସୀଙ୍କୁ ଆଉ କେତେ ଦିନ ପ୍ରତାରିତ କରିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଚାଉଳକୁ ଆୟୁଧ କରି ବିଜେଡି ୨-୨ ଥର ନିର୍ବାଚନ ବୈତରଣୀ ପାରହୋଇଛି । ୨୦୦୯-୧୪ ମସିହା ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟର ୩୬ଲକ୍ଷ ବିପିଏଲ ପରିବାରଙ୍କୁ ୩୫ କେଜି ଲେଖାଏଁ ଚାଉଳ ଦେଉଥିଲେ । କିନ୍ତୁ ଗରିବଙ୍କ ପେଟରେ ଲାତ ମାରି ୧୦ କେଜି ଚାଉଳ କାଟି ୨୫ କେଜି ଦେଉଥିବା ସରକାର ହେଉଛି ବିଜେଡି ସରକାର । ଏହି ୫ ବର୍ଷରେ ବିପିଏଲ ଗରିବଙ୍କ ପାଇଁ ଥିବା ୨୨ ଲକ୍ଷ ମେଟ୍ରିକ ଟନ୍ ଚାଉଳକୁ ହଡପ କଲା କିଏ ବୋଲି ସେ ପ୍ରଶ୍ନ କରିଛନ୍ତି ।

ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ରାଜ୍ୟର ସମସ୍ତ ୩.୨୫ କୋଟି ଲୋକଙ୍କୁ ୫ କେଜି ଚାଉଳ ମାତ୍ର ଟଙ୍କାକରେ ଯୋଗାଇ ଦେଲେ । ଏଥିରେ ରାଜ୍ୟ ସରକାରଙ୍କ ଅବଦାନ ୨ ଟଙ୍କା ହୋଇଥିବାବେଳେ ଅବଶିଷ୍ଟ ୨୮ ଟଙ୍କା କେନ୍ଦ୍ର ସରକାର ନିଜେ ବହନ କରୁଥିଲେ । ଏହି ସମୟରେ ଚଂଚକତାରେ ଧୁରନ୍ଦର ବିଜେଡି ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ମାଗଣାରେ ୫ କେଜି ଚାଉଳ ଯୋଗାଇ ଦେବେ ବୋଲି ଘୋଷଣା କରି ପ୍ରଥମେ ହାଇକୋର୍ଟରେ ୩୪ ଲକ୍ଷ ଲୋକଙ୍କୁ ଦେବେ ବୋଲି ସତ୍ୟପାଠ କଲା ।  ପରବର୍ତୀ ସମୟରେ ପ୍ରଚାର ପତ୍ର ଓ ବିଜ୍ଞାପନ ଜରିଆରେ ୨୫ ଲକ୍ଷ ଏବଂ ପରେ ବିଧାନସଭାରେ ୮ ଲକ୍ଷ ଲୋକଙ୍କୁ ଚାଉଳ ଯୋଗାଉଛୁ ବୋଲି କହିଲେ । ବର୍ତମାନ ତାହା ମଧ୍ୟ ମିଳୁ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

୨୦୧୪ମସିହାରେ ଭାରତ ସରକାର ଓଡ଼ିଶାରୁ ମାତ୍ର ୩୦ଲକ୍ଷ ମେଟ୍ରିକ ଟନ୍ ଧାନ କିଣୁଥିବାବେଳେ ୨୦୨୧-୨୨ରେ ୭୫ମେଟ୍ରିକ ଟନ୍ ଧାନ କିଣୁଛନ୍ତି । ବୈଶ୍ୱିକ ମହାମାରୀ କରୋନା ସଂକଟ ସମୟରେ ସ୍ୱତନ୍ତ୍ର ରିଲିଫ ଭାବେ ଦେଶର ୮୦ କୋଟି ଲୋକଙ୍କୁ ମାଗଣାରେ ୫ କେଜି ଚାଉଳ ସହିତ ୧ କେଜି ଡାଲି ଯୋଗାଇ ଦେଲେ ମୋଦି ସରକାର । ଏଥିରେ ଓଡିଶାର ୩.୨୫ କୋଟି ଲୋକ ମଧ୍ୟ ଉପକୃତ ହେଲେ । କରୋନା ସଂକଟ ଆରମ୍ଭରୁ ସମାପ୍ତ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ହିତାଧିକାରୀ ସର୍ବମୋଟ ୧୦ କେଜି ଚାଉଳ ଏବଂ ୧ କେଜି ଡାଲି ପାଇଲେ । ଏହାକୁ ମଧ୍ୟ ବିଜେଡି ସରକାର “ଆମେ ଦେଉଛୁ” ବୋଲି ମିଛ ପ୍ରଚାର କରି ପ୍ରତାରିତ କଲେ ।

“ଚୋର ଘର ସବୁ ଦିନ ଅନ୍ଧାର ନଥାଏ” । କରୋନା ଶେଷ ହେବା ପରେ ସ୍ୱତନ୍ତ୍ର ଭାବେ ମିଳୁଥିବା ମାଗଣା ରିଲିଫ୍ ଚାଉଳ ବନ୍ଦ ହେଲା ଏବଂ ଐତିହାସିକ ନିଷ୍ପତିକ୍ରମେ ମୋଦି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଚାଉଳକୁ ସଂପୂର୍ଣ୍ଣ ମାଗଣା କରିଦେଲେ । ବର୍ତମାନ ଚାଉଳ କେଜି ପ୍ରତି ୩୭.୨୮ ଟଙ୍କା ସମେତ ଏଥି ପାଇଁ ସମସ୍ତ ପରିବହନ ଓ ଆନୁସଙ୍ଗିକ ଖର୍ଚ୍ଚକୁ କେନ୍ଦ୍ର ସରକାର ବହନ କରିବେ ବୋଲି ମୋଦିଜୀ ଘୋଷଣା କରିଛନ୍ତି । ବାସ୍ତବରେ ଶାସକ ବିଜେଡି ଅତୀତରେ କରୋନା ପୂର୍ବରୁ ନା କରୋନା ପରେ କେବେହେଲେ ଚାଉଳ ଦେଉନଥିଲା । ମାତ୍ର ୨ ଟଙ୍କା ଦେଇ ୧୦ କେଜି ଚାଉଳ ଏବଂ ୧ କେଜି ଡାଲି ଦେଉଥିବାର ମିଛ ରାଜ୍ୟବାସୀଙ୍କ ସମ୍ମୁଖରେ ଧରା ପଡିବା ପରେ ଶାସକ ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି । କୋଭିଡ ସମୟରେ ଦିଆଯାଉଥିବା ରିଲିଫ୍ ଚାଉଳକୁ ନେଇ ଜନସାଧାରନଙ୍କୁ ବିଭ୍ରାନ୍ତ କରିବା ଶାସକ ବିଜେଡି ବନ୍ଦ କରୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଓ ଅନୀଲ ବିଶ୍ୱାଳ ଏବଂ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.