Latest Odisha News

BREAKING NEWS

ପର୍ଯ୍ୟବେକ୍ଷକ ତାଲିକା ପଛରେ ନବୀନଙ୍କ ନିର୍ବାଚନୀ ନକ୍ସା ! ପ୍ରଧାନ ପ୍ରତିପକ୍ଷଙ୍କୁ ମାତ୍ ଦେବାକୁ ପ୍ରଣବଙ୍କୁ ଦାୟିତ୍ୱ

ଭୁବନେଶ୍ବର : ଗତବର୍ଷ ଅକ୍ଟୋବର ୬ ତାରିଖରେ ଜାରି ପର୍ଯ୍ୟବେକ୍ଷକ ତାଲିକାକୁ ୬ ମାସରେ ପରିବର୍ତ୍ତନ କରିଛି ଶାସକ ବିଜୁ ଜନତା ଦଳ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ତାର ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ସୋମବାର ପର୍ଯ୍ୟବେକ୍ଷକ ତାଲିକା ଜାରି କରିଥିବା କୁହାଯାଉଥିବାବେଳେ ଏଥିରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଗୁରୁ ଦାୟିତ୍ୱ ଦେଇ ପୁଣି ଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ ପର୍ଯ୍ୟବେକ୍ଷକ ତାଲିକା ଅନୁସାରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମୟୂରଭଞ୍ଜ ଜିଲ୍ଲାରୁ ହଟାଇ ସର୍ବାଧିକ ୪ଟି ଜିଲ୍ଲାର ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି । ମାନେ ଅନୁଗୁଳ,ଢେଙ୍କାନାଳ, ସମ୍ବଲପୁର ସମେତ ପୁଣିଥିରେ କେନ୍ଦୁଝର ପର୍ଯ୍ୟବେକ୍ଷକ ଦାୟିତ୍ୱ ସମ୍ଭାଳିବେ ପ୍ରଣବ ।

ବବିଙ୍କୁ ସମ୍ବଲପୁର ଓ ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବା ପଛରେ ଖାସ ରାଜନୈତିକ ଉଦେଶ୍ୟ ଥିବା ଚର୍ଚ୍ଚା ହେଉଛି । ହେବା ବି ସ୍ୱାଭାବିକ, କାହିଁଙ୍କିନା, ଆଗାମୀ 2024 ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର କିମ୍ବା ଢେଙ୍କାନାଳ ଜିଲ୍ଲାରୁ ନିର୍ବାଚନ ଲଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଖାସ କରି ଏହି ଦୁଇ ଜିଲ୍ଲାରେ ବିଜେଡି, ତାର ସଂଗଠନ ସୁଦୃଢ ରଖିବାର ଦାୟିତ୍ୱ ଖୋଦ ସାଂଗଠନିକ ସମ୍ପାଦକଙ୍କୁ ନ୍ୟସ୍ତ କରିଥିବା ଜଣାପଡ଼ିଛି। କେବଳ ଧର୍ମେନ୍ଦ୍ର ନୁହେଁ 5ଟି ପ୍ରସଙ୍ଗ ପରି ଏକାଧିକ ଘଟଣାରେ ଶାସକ ବିଜେଡିକୁ ହଟହଟା କରୁଥିବା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ମଧ୍ୟ କାଉଣ୍ଚର୍ କରିବାକୁ ବବିଙ୍କୁ ଦିଆଯାଇଛି ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ । ମାନେ ପଶ୍ଟିମ ଓଡ଼ିଶାରେ ମଧ୍ୟ ଦଳ ତାର ସାଂଗଠନିକ ସ୍ଥିତି ମଜଭୁତ କରିବାକୁ ଲକ୍ଷ୍ୟ ରଖିଛି । ଜୟ ନାରାୟଣଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଦଳୀୟ ପତିଆରା ଜାହିର କରିବା ଲକ୍ଷ୍ୟରେ ପ୍ରଣବଙ୍କୁ ବାଛିଛନ୍ତି ନବୀନ । କେବଳ ସେତିକି ନୁହେଁ, ପ୍ରଣବଙ୍କୁ ଖଣି ଖାଦାନ ଭରା ଅନୁଗୁଳ ସମେତ ପୁଣି ଥରେ ଖଣିଜ ସମ୍ପଦଭରା କେଉଁଝର ଜିଲ୍ଲାର ଦାୟିତ୍ବ ପ୍ରଦାନ ପଛରେ କଣ ଉଦେଶ୍ୟ ରହିଥାଇପାରେ, ତାହା ସହଜରେ ଅନୁମେୟ ।

ସେହିପରି ପ୍ରମିଳା ମଲ୍ଲିକଙ୍କଠୁ ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାକୁ କାଢ଼ି ନିଆଯାଇ କେନ୍ଦ୍ରାପଡ଼ା ଦାୟିତ୍ୱ ମିଳିଥିବାବେଳେ ଉଷା ଦେବୀଙ୍କୁ କଟକ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ଦେଇ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଏଠାରେ ନିଯୁକ୍ତ କରାଯାଇଛି। ଏଥିର ଖୋର୍ଦ୍ଧାରେ ରବୀନ୍ଦ୍ର ଜେନାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ କରି ଦଳ ପରୋକ୍ଷରେ ପ୍ରଣବଙ୍କ ହାତରେ ଏହାର ସଂଗଠନ ଦାୟିତ୍ୱ ରଖିବାକୁ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେପଟେ ଧାମନଗର ବିଜୟ ବଦଳରେ ବିଜେପି ରାଜ୍ୟ ସଭାପତି ପଦ ପାଇଥିବା ମନମୋହନ ସାମଲଙ୍କ ଦଳୀୟ ସଂଗଠନକୁ କାଉଣ୍ଟର କରିବାକୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ପ୍ରତାପ ଜେନାଙ୍କୁ ନିଯୁକ୍ତି ଦେଇଛନ୍ତି ନବୀନ।

ମନ୍ତ୍ରୀ ରୋହିତ ପୂଜାରୀଙ୍କଠୁ ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱ କାଢ଼ି ନିଆଯାଇ ଦେବେଶ ଆଚାର୍ଯ୍ୟଙ୍କୁ ସୁବର୍ଣ୍ଣପୁର ଓ ଦେବଗଡ଼ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଅମରେଶ ଜେନାଙ୍କୁ ଦାୟିତ୍ୱ ମିଳିଛି। ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବଲାଙ୍ଗିର ଦାୟିତ୍ୱ ମିଳିଥିବାବେଳେ ମନ୍ତ୍ରୀ ଟୁକୁନି ସାହୁଙ୍କ ବଦଳରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡ଼ା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେଡି ।

ତାଲିକାରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଦେବେଶ ଆଚାର୍ଯ୍ୟ, ରବୀନ୍ଦ୍ର କୁମାର ଜେନା ଓ ଅମରେଶ ଜେନାଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯ଼ୁ୍କ୍ତି ମିଳିଥିବାବେଳେ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ୬ଟି ଜିଲ୍ଲା ଦାୟିତ୍ୱରେ ଥିବା ପ୍ରତାପ ଜେନାଙ୍କୁ ଏଥର ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ। ସେହିପରି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଭୟ ଗଜପତି ଓ ରାୟଗଡ଼ା ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବାବେଳେ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି। ମୋଟାମୋଟି ୨୨ ଜଣଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କୁ ମିଳିଛି ସବୁଠାରୁ ବଡ଼ ଜିଲ୍ଲା, ଅର୍ଥାତ ମୟୂରଭଞ୍ଜର ପର୍ଯ୍ୟବେକ୍ଷକ ଦାୟିତ୍ୱ, ଯାହା ପୂର୍ବରୁ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ହାତରେ ଥିଲା । ସେପଟେ ପ୍ରଥମ କରି ଧାମନଗର ଉପନିର୍ବାଚନରେ ଜିଲ୍ଲା ଦାୟିତ୍ୱରେ ଥିବା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ମିଳିଛି କଳାହାଣ୍ଡି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ।

ଅନ୍ୟ ପର୍ଯ୍ୟବେକ୍ଷକଙ୍କ ଜିଲ୍ଲା ଦାୟିତ୍ୱରେ କୌଣସି ପରିବର୍ତ୍ତନ ହୋଇନି। ପ୍ରତାପ ଦେବ-ବାଲେଶ୍ୱର, ଅରୁଣ ସାହୁ-ଜଗତସିଂହପୁର, ଈଶ୍ୱର ପାଣିଗ୍ରାହୀ-ନବରଙ୍ଗପୁର, ବିଜୟ ନାୟକ-କନ୍ଧମାଳ, ସୌଭାଗ୍ୟ ନାୟକ-ବୌଦ୍ଧ, ଅଶୋକ ଚନ୍ଦ୍ର ପଣ୍ଡା-ଯାଜପୁର, ପ୍ରୀତିରଞ୍ଜନ ଘଡ଼େଇ-ସୁନ୍ଦରଗଡ଼, ପଦ୍ମନାଭ ବେହେରା-ନୟାଗଡ଼, ରଣେନ୍ଦ୍ର ପ୍ରତାପ ସ୍ୱାଇଁ-ପୁରୀ, ପ୍ରଦୀପ କୁମାର ଅମାତ-ଗଞ୍ଜାମ ଓ ଶାରଦା ନାୟକ-ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଜର ପଦ ବଜାୟ ରଖିଛନ୍ତି। ସେପଟେ ମନ୍ତ୍ରୀ ଉଷା ଦେବୀ, ଟୁକୁନି ସାହୁ, ରୋହିତ ପୂଜାରୀ ଓ ନଳିନୀକାନ୍ତ ପ୍ରଧାନଙ୍କଠାରୁ ପର୍ଯ୍ୟବେକ୍ଷକ ଦାୟିତ୍ୱ କାଢି ନେଇଛି ବିଜେଡି।

କୁହାଯାଉଛି, ନୂଆ ପର୍ଯ୍ୟବେକ୍ଷକ ତାଲିକା ପଛରେ ରହିଛି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ 2024 ସାଧାରଣ ନିର୍ବାଚନର ରଣନୀତି । ଯାହାକୁ ନଜରରେ ରଖି ନୂଆ ପର୍ଯ୍ୟବେକ୍ଷକ ତାଲିକାରେ ନବୀନ ଏହି ବଡ଼ ପରିବର୍ତ୍ତନ କରିଛନ୍ତି ।

 

Leave A Reply

Your email address will not be published.