Latest Odisha News

BREAKING NEWS

ଏପ୍ରିଲରେ ମୁକ୍ତିଲାଭ କରିବ ବାଘ ବଜାରୀ Dance of Tigers

ଭୁବନେଶ୍ୱର:   ଓଡ଼ିଶା ତଥା ଦେଶର ବିଭିନ୍ନ ଭାଗରେ ଚାଲିଛି ବନ୍ୟ ଜୀବଙ୍କ ଅବାଧ ଶିକାର  । ବିଶେଷ କରି ବାରମ୍ବାର ଏସଟିଏଫ ଦ୍ବାରା ବାଘ ଚମଡ଼ା, ହାତୀ ଦାନ୍ତ ଓ ଜୀବନ୍ତ ବଜ୍ରକାପ୍ତା ଜବତ ହେବା ପ୍ରମାଣ କରୁଛି ଯେ କେତେ ସଂଖ୍ୟାରେ ବାଘ ଓ ହାତୀ ଓଡ଼ିଶାରେ ହତ୍ୟା କରାଯାଇଛି ଏବଂ କେତେ ବଜ୍ରକାପ୍ତା ଓଡ଼ିଶାରୁ ଚାଲାଣ କରାଯାଉଛି। ଏଭଳି ଏକ ସମୟରେ ବନ୍ୟଜୀବ ସୁରକ୍ଷା ମେସେଜ ନେଇ ଆସିଛି ଏହି ଫିଲ୍ମ ବାଘ ବଜାରୀ ଡ୍ୟାନସ ଅଫ ଟାଇଗର୍ସ ।
ଫିଲ୍ମର କାହାଣୀ ୪ ବନ୍ଧୁ ସେମାନଙ୍କର ବାଲ୍ୟକାଳର ଶିକ୍ଷକଙ୍କୁ ମନେ ପକାଇ ତାଙ୍କୁ ଦେଖାକରିବା ଲାଗି ବାହାରିଛନ୍ତି । କ୍ରାଇମ ରିପୋର୍ଟର ଅରିନ୍ଦମ ତାର ସାଙ୍ଗ ଜେଜେ, ପ୍ରଣୟ ଏବଂ ଝିଅ ସାଙ୍ଗ ରୁନି ଗୋଟିଏ କାରରେ ବାହାରନ୍ତି। ଅରିନ୍ଦମ ମନେ ପକାଉଥାଏ ତାର ଶିକ୍ଷକ କେତେ ରାଗୀ ଥିଲେ  । ପିଲାମାନଙ୍କୁ କେମିତି ମାଡ଼ ମାରୁଥିଲେ ।  ଯେମିତି ଲାଗୁଥିଲା ସେ ଜଣେ ବାଘ ଥିଲେ।

ତେବେ ୩୦ ବର୍ଷ ପରେ ଯେତେବେଳେ ୪ ସାଙ୍ଗ ଶିକ୍ଷକଙ୍କ ନିକଟରେ ପହଞ୍ଚିଛନ୍ତି ସେ ଦେଖୁଛନ୍ତି ସାର ତାଙ୍କର ମୃତ୍ୟୁ ଶଯ୍ୟାରେ । ତାଙ୍କର ଅବସ୍ଥା ଠିକ ଜଙ୍ଗଲରେ ବାଘଙ୍କ ପରି ହୋଇଛି ।  ଯାହାକି ପ୍ରତୀକାତ୍ମକ ଭାବେ ପ୍ରଦର୍ଶିତ ହୋଇଛି। ତାଙ୍କ ପରିବାର ଅବସ୍ଥା ବି ଭଲ ନାହିଁ । ପୁଅ ଏକ ସିକ୍ୟୁରିଟି ଗାର୍ଡ ଭାବେ ଚାକିରୀ କରୁଛି। ୪ ସାଙ୍ଗ ଶିକ୍ଷକଙ୍କୁ ଦେଖା କରିବା ପରେ ଏକ ଗେଷ୍ଟ ହାଉସରେ ଭୋଜନ କରନ୍ତି। ତେବେ ଖାଇବାରେ ହରିଣମାଂସ ଦେଖି ଅରିନ୍ଦମ ୱାଇଲଡ ଲାଇଭ ଟ୍ରାଫିକିଂର ଖିଅ ଖୋଜିବାକୁ ବାହେରେ। ହେଲେ ଘଟଣାଚକ୍ରରେ ଏମାନେ ସମସ୍ତେ ବାଘ ବଜାରୀ ଖେଳର ଛକାପଞ୍ଝା ମଧ୍ୟରେ ଫସି ଯାଇଛନ୍ତି । ଏସବୁ କଥା ଫିଲ୍ମଟିର କାହାଣୀ ଛୁଇଁଥିବା ବେଳେ ମଣିଷର ବାଘ ଭଳି ହିଂସ୍ର ଆଚରଣକୁ ଏହା ଦେଖାଉଛି।

ନିଜର ସବୁ ଚରିତ୍ରରେ ଏକ୍ସପେରିମେଣ୍ଟ କରୁଥିବା ଅଭିନେତା ପ୍ରୀତିରାଜ ଶତପଥୀଙ୍କୁ ବାଘ ବଜାରୀରେ କ୍ରାଇମ ରିପୋର୍ଟର ଅରିନ୍ଦମ ଭୂମିକାରେ ଦେଖିବାକୁ ମିଳିବ । ଜଣାଶୁଣା କ୍ରାଇମ ରିପୋର୍ଟର ଭାବେ ଏହି ମିଶନକୁ ଅଞ୍ଜାମ ଦେବା ଲାଗି ଚେଷ୍ଟା କରୁଥିବା ବେଳେ ଅରିନ୍ଦମ ବାଘବଜାରୀ ଖେଳରେ ଫସି ଯାଇଛନ୍ତି ତାହା ଦେଖିବାକୁ ମିଳିବ। ୱାଇଲ୍ଡ ଲାଇଫ ଟ୍ରାଫିକିଂର ଚେର ଖୋଜୁ ଖୋଜୁ ସେ ମଣିଷ ଭିତରେ ଥିବା ହିଂସ୍ର ଆଚରଣରେ ଘାଇଲା ହୁଏ। ତେବେ ସେହି ବାଘ ବଜାରୀ ଖେଳରେ କଣ ସେ ବାଘ ହୋଇଛି ନା ଛେଳି ? ସେ ଖସି ଆସୁଛି ନା ଫସି ରହୁଛି , ତାହା ଫିଲ୍ମରେ ଉପସ୍ଥାପିତ ହୋଇଛି।

ଫିଲ୍ମରେ ପ୍ରିତିରାଜଙ୍କ ସହିତ ଜଣାଶୁଣା ଅଭିନେତା ହର ରଥ, ଚିତ୍ତରଞ୍ଜନ ଥିବା ବେଳେ ଥିଏଟର ଆର୍ଟିଷ୍ଟ ତିଳୋତ୍ତମା ସାହୁ ସିନେ ଜଗତରେ ପଦାର୍ପଣ କରିଛନ୍ତି। ବୁଲୁ ପଣ୍ଡା, ଜୟନ୍ତ ସାନ୍ତରା, ଶିବାନୀ ଖରା, ଦୁର୍ଯ୍ୟୋଧନ, ଦେବଦତ୍ତ ପ୍ରଧାନ ପ୍ରମୁଖ ଅଭିନୟ କରିଛନ୍ତି। ଏଥିସହିତ ଗଞ୍ଜାମର ପ୍ରସିଦ୍ଧ ମହେନ୍ଦ୍ର ପାତ୍ରଙ୍କ ବାଘ ନାଚ ଗ୍ରୁପ ମଧ୍ୟ ଏଥିରେ ସେମାନଙ୍କର ନାଚ ପ୍ରଦର୍ଶନ କରିଛନ୍ତି ।

ଶ୍ରୁତିରେଖା ମିଶ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ମିହିର ରଞ୍ଜନ ଆଚାର୍ଯ୍ୟ ଲେଖିଥିବା ବେଲେ ଦେବଦତ୍ତ ପ୍ରଧାନ ଓ ମିହିର ରଞ୍ଜନ ଆଚାର୍ଯ୍ୟ ମିଳିତ ଭାବେ ଏହା ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ଦୁଇଟି ଗୀତ ଅଛି ଯାହାକୁ ନାଟ୍ୟକାର ବିଜୟ ଦାସ ଲେଖିଥିବା ବେଳେ ସଂଗୀତ ମଧ୍ୟ ଦେଇଛନ୍ତି । ଫିଲ୍ମର ଅଧିକାଂଶ ଭାଗ ବଡ଼ମ୍ବା, ଖୋର୍ଦ୍ଧା ଓ ଭୁବନେଶ୍ବର ଉପକଣ୍ଠରେ ସୁଟିଂ କରାଯାଇଛି । ବିଶେଷ କରି ନରସିଂହପୁରର ସେହି ସ୍ଥାନ ଯେଉଁଠାରେ 2ଟି ହାତୀକୁ ଗୁଲିକରି ହତ୍ୟା କରାଯାଇଥିଲା ସେହି ଠାରେ ଫିଲ୍ମର ସୁଟିଂ କରାଯାଇଛି ।

ଶ୍ରୁତିରେଖା ମିଶ୍ରଙ୍କ ପ୍ରଯୋଜିତ ସି ଓଡ଼ିଶା ବ୍ୟାନରରେ ପ୍ରସ୍ତୁତ ବାଘ ବଜାରୀ Dance of Tigers ଏପ୍ରିଲ ଦ୍ଵିତୀୟ ସପ୍ତାହରେ ରିଲିଜ ହେବାର ପ୍ଲାନ ରହିଛି ।  ଏଥିସହ ବିଭିନ୍ନ ଫେଷ୍ଟିଭାଲରେ ଏହା ତାର ଯାତ୍ରା ଆରମ୍ଭ କରିବା ପୂର୍ବରୁ ଭୁବନେଶ୍ବରର ଗୀତଗୋବିନ୍ଦ ଭବନରେ ଏହାର ପ୍ରିଭ୍ୟୁ ସ୍କ୍ରିନିଂ ହୋଇଥିଲା। ଯେଉଁଠାରେ ଏହା ସିନେ କ୍ରିଟିକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ।

Leave A Reply

Your email address will not be published.