Latest Odisha News

BREAKING NEWS

ମୟୂରଭଞ୍ଜ ଦେଖିବ ମହାଲଢେଇ: ବିଜେଡିରୁ ସୁଦାମ ମାରାଣ୍ଡି ବିଜେପିରୁ ନବଚରଣ ମାଝି

ଭୁବନେଶ୍ଵର: ମୟୂରଭଞ୍ଜ ପଶାପାଲିରେ ଗୋଟି ଚଳାଇଛନ୍ତି ବିଜେଡି ଓ ବିଜେପି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଜାଗାରେ ରାଇରଙ୍ଗପୁର ବିଧାୟକ ନବରଚରଣ ମାଝୀଙ୍କୁ ଭରସା କରିଛି ବିଜେପି । ବିଜେପିର ଇଂଟରନାଲ ରିପୋର୍ଟ ଅନୁସାରେ ବିଶ୍ୱେଶ୍ୱରଙ୍କ ବିଜୟ ସମ୍ଭାବନା କମ୍ ଥିଲା । ତେଣୁ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀଙ୍କୁ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି ଦଳ । କ୍ଲିନ୍ ବ୍ୟକ୍ତିତ୍ୱ ସାଙ୍ଗକୁ ନୂଆ ଚେହେରା ସହ ମୟୂରଭଞ୍ଜକୁ ପୁଣି କବଜା କରିବାକୁ ବିଜେପି ରଣନୀତି କରିଛି । ବିଜେଡି, ବିଜେପି ଛଡା ଜେଏମଏମ, କଂଗ୍ରେସର ପ୍ରଭାବ ଥିବା ମୟୂରଭଞ୍ଜ ଝାଡଖଣ୍ଡ ସୀମାରେ ଥିବାରୁ ବିଜେପି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ହୋଇଥିବାରୁ ଏଠି ସମ୍ମାନର ଲଢେଇ ଲଢିବ ବିଜେପି ।

ବିଜେପିକୁ ମାତ୍ ଦେବାକୁ ହେଭିୱେଟ୍ ସୁଦାମ ମାରାଣ୍ଡିଙ୍କୁ ସେନାପତି କରିଛି ବିଜେଡି । ୧୯୯୦ରୁ ୫ଥର ବିଧାୟକ ଓ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ସୁଦାମ ମାରାଣ୍ଡି । ୨୦୦୪ରେ ଜେଏମଏମରୁ ସାଂସଦ ନିର୍ବାଚିତ ହୋଇଥିଲେ । ୨୦୦୯ରେ ଜେଏମଏମ ଟିକେଟରେ ଲଢି ହାରି ଯାଇଥିଲେ । ପରେ ଜେଏମଏମ ଛାଡି ୨୦୧୪ରେ ବିଜେଡି ଟିକେଟରୁ ବାଙ୍ଗିରିପୋଷିରୁ ବିଧାୟକ ହୋଇ ମନ୍ତ୍ରୀପଦ ହାତେଇଥିଲେ ସୁଦାମ । ୨୦୧୯ରେ ବି ବାଙ୍ଗିରିପୋଷିରେ ବିଜୟ ବାନା ଉଡାଇ ହୋଇଥିଲେ ମନ୍ତ୍ରୀ । ଏଥର ବିଜେଡି ଟିକେଟରୁ ସୁଦାମ ମାରାଣ୍ଡି ଲଢିବେ ଲୋକସଭା ଲଢେଇ । ନବଙ୍କୁ ଚେକ୍ ଦେବାକୁ ସୁଦାମଙ୍କୁ ରାଜ୍ୟ ରାଜନୀତିରୁ ଦୂରେଇ ଦିଲ୍ଲୀ ଲଢେଇ ପାଇଁ ଓହ୍ଲାଇଛି ବିଜେଡି । ଗତ ପଂଚାୟତ ଓ ପୌର ନିର୍ବାଚନରେ ମୟୂରଭଞ୍ଜରେ ଜବରଦସ୍ତ କମବ୍ୟାକ୍ କରିଛି ବିଜେଡି । ଏହାର ଲାଭ ସାଧାରଣ ନିର୍ବାଚନରେ ଦଳକୁ ମିଳିପାରେ । ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମସ୍ଥାନରେ ଦ୍ୱିତୀୟ ବିଜୟ ଇନିଂସ ଖେଳିବାକୁ ଜୀ ତୋଡ୍ ମେହନତ କରିବ ବିଜେପି । ଜେଏମଏମରୁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ଅଞ୍ଜନି ସୋରେନ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଦେଇନଥିବା ବେଳେ ମୁଖ୍ୟ ମୁକାବିଲା ବିଜେଡି ଓ ବିଜେପି ମଧ୍ୟରେ ହେବ ବୋଲି କୁହାଯାଉଛି ।

ମୟୂରଭଞ୍ଜ ଲୋକସଭା ଆସନ ଅଧୀନରେ ରହିଛି ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା ଓ ମୋରଡା ବିଧାନସଭା ଆସନ । ଲୋକସଭା ସିଟରେ ନିର୍ଣ୍ଣାୟକ ହେବ ଆଦିବାସୀ ଭୋଟ୍ । ଏଠାରେ ୨୦୦୯, ୨୦୧୪ରେ ହୋଇଥିଲା ଶଙ୍ଖନାଦ । ହେଲେ ୨୦୧୯ରେ ବିଜେଡିର ଦେବାଶିଷ ମାରାଣ୍ଡିଙ୍କୁ ମାତ୍ ଦେଇଥିଲେ ବିଶ୍ୱେଶ୍ୱର ଟୁଡୁ । ଏଥର ବିଜେପି ବିଜୟ ରିପିଟ୍ କରିବ ନା ୫ବର୍ଷ ବ୍ୟବଧାନରେ ପୁଣି ମୟୂରଭଞ୍ଜ କବଜା କରିବ ବିଜେଡି, ତାଉପରେ ରହିଛି ନଜର ।

 

Leave A Reply

Your email address will not be published.