Latest Odisha News

BREAKING NEWS

ୟୁପିରେ ସୋନିଆଙ୍କ ରାଏବରେଲି ଦଖଲ ପାଇଁ ବିଜେପିର ପ୍ଲାନ !

ଭୁବନେଶ୍ୱର: ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଅଧିକ ସିଟ ଜିତିବା ପାଇଁ ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କରିଛି। ପୂର୍ବରୁ ୟୁପି ଉପରେ ଦଳର ଫୋକସ ଥିଲେ ମଧ୍ୟ ଘୋଷି ଉପନିର୍ବାଚନରେ ଦଳ ହାରିବା ପରେ ପୁଣିଥରେ ସ୍ୱତନ୍ତ୍ର ରଣନୀତି ସହ ପ୍ରସ୍ତୁତି ଆରମ୍ଭ ହୋଇଛି।

ଯେଉଁଥିପାଇଁ ଦଳୀୟ ନେତାମାନେ ଲକ୍ଷ୍ନୋ କାର୍ଯ୍ୟାଳୟରେ ବୈଠକ କରିଛନ୍ତି। ବିଏସପି ଢାଞ୍ଚାରେ ୟୁପିରେ ବିଜେପି ଯୋଜନା କରିବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ବିଜେପିର ଏହି ବୈଠକରେ ପ୍ରତ୍ୟେକ ବୁଥରେ ସାମାଜିକ ସମୀକରଣ ଆଧାରରେ ରଣନୀତି ପ୍ରସ୍ତୁତ କରିବାକୁ ଯୋଜନା ହୋଇଛି।

ସବୁ ବୁଥରେ ଜିତିବା ଟାର୍ଗେଟ କରି ୟୁପିରେ ସମସ୍ତ ୮୦ ଲୋକସଭା ସିଟ ଜିତିବାକୁ ଦଳ ଯୋଜନା କରୁଛି। ସେଥିପାଇଁ ବିଜେପି ପକ୍ଷରୁ ବିଭିନ୍ନ ଲୋକସଭା କ୍ଷେତ୍ରର ସଂଯୋଜକ, ପ୍ରଭାରୀ ଓ ବିସ୍ତାରକ ମାନଙ୍କ ବୈଠକ ହୋଇଛି।

ବୈଠକରେ ବିଜେପିର ରାଷ୍ଟ୍ରୀୟ ମହାମନ୍ତ୍ରୀ ସୁନୀଲ ବଂଶଲ ବୁଥ ସ୍ତରରେ ଟିମ ୱାର୍କ ଦ୍ୱାରା ଲକ୍ଷ୍ୟ ପ୍ରାପ୍ତି ହେବ ବୋଲି କହିଛନ୍ତି। ବୈଠକରେ ପ୍ରଭାରୀମାନେ ଲୋକସଭା କ୍ଷେତ୍ର ଭ୍ରମଣ କରିବା ସହ କାର୍ଯ୍ୟକାର୍ତ୍ତା ମାନଙ୍କ ସହ ଚର୍ଚା କରି ରଣନୀତି ପ୍ରସ୍ତୁତ କରିବାକୁ କୁହାଯାଇଛି।

ସେମାନଙ୍କ ଫିଡ଼ ବ୍ୟାକ ଆଧାରରେ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ପୂର୍ବ ନିର୍ବାଚନରେ ଦଳ ଯେଉଁ ସବୁ ସିଟରେ ହାରିଥିଲା ସେଠାରେ ଜିତିବାର ରଣନୀତି ପ୍ରସ୍ତୁତ ହୋଇଛି।

ବିଶେଷ କରି ସୋନିଆ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ରାଏବରେଲି ଓ ମେନପୁରୀକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି। ଏହି ଦୁଇଟି ସିଟରେ ବିଜେପି ଆଦୌ ଜିତିପାରି ନାହିଁ। ତେଣୁ ଉଭୟ ସିଟକୁ ବିଜେପି ଟାର୍ଗେଟ କରି ରଣନୀତି ପ୍ରସ୍ତୁତ କରୁଛି।

ପୂର୍ବ ନିର୍ବାଚନରେ ଆମେଥିରେ ରାହୁଲ ଗାନ୍ଧୀଙ୍କୁ ବିଜେପି ହରାଇଥିଲା। ତେଣୁ ଏଥର ରାଏବରେଲି ଉପରେ ଦଳର ନଜର ପଡିଛି। ସେପଟେ ସୋନିଆ ଗାନ୍ଧୀ ମଧ୍ୟ ଆଗାମୀ ନିର୍ବାଚନରେ ଲଢ଼ି ନ ପାରନ୍ତି ବୋଲି ସୂଚନା ମିଳୁଥିବା ବେଳେ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧୀ ଲଢ଼ିବା ନେଇ ଚର୍ଚ୍ଚା ହେଉଛି।

ତେଣୁ ଏଭଳି ସ୍ଥିତିରେ ବିଜେପି ଏଥିରେ ରୋକ ଲଗାଇବାକୁ ଚେଷ୍ଟା ଆରମ୍ଭ କରିଛି। ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ସାମାଜିକ ସମୀକରଣ ଅନୁଯାୟୀ ଯୋଜନା ପ୍ରସ୍ତୁତ କରିବାକୁ ଦଳୀୟ ନେତା ଓ ସଂଗଠକ ମାନଙ୍କୁ ସୁନୀଲ ବଂଶଲ କହିଛନ୍ତି। ପୂର୍ବ ନିର୍ବାଚନରେ ଦଳକୁ ଯେଉଁ ବର୍ଗର ଭୋଟ ମିଳିନାହିଁ ସେମାନଙ୍କ ଭୋଟ କିଭଳି ମିଳିବ ତାକୁ ଫୋକସ କରାଯାଇଛି।

Leave A Reply

Your email address will not be published.