Latest Odisha News

BREAKING NEWS

ବିଏମ୍‌ସି କମିଶନରଙ୍କ ନାଁରେ ବିଜେପିର ଏତଲା

ବ୍ରହ୍ମପୁର: ସହରରେ ବଢୁଥିବା ମଶା ଉପଦ୍ରବକୁ ନିୟନ୍ତ୍ରଣ ଦାବିରେ ଗତ ୭ ତାରିଖରେ ବ୍ରହ୍ମପୁର ମହାନଗର ନିଗମ(ବିଏମସି) କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ବେଳେ ଉତ୍ତେଜନା ଦେଖାଦେଇଥିଲା। କେତେକ ବିଜେପି କର୍ମୀ କମିଶନରଙ୍କ ଚାମ୍ବର ଭିତରକୁ ଧସେଇ ପଶିବା ନେଇ ଅଭିଯୋଗ ହୋଇଥିଲା। ବିଏମସି କାର୍ଯ୍ୟାଳୟର ପିଅନ ରବିଚନ୍ଦ୍ର ବେହେରା ବିଜେପି ​ନେତାଙ୍କ ବିରୋଧରେ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ।

ଏହାକୁ ନେଇ ରବିବାର ବିଜେପି ପକ୍ଷରୁ କମିଶନର ଜେ.ସୋନାଲ ଏବଂ ପିଅନ ରବିଚନ୍ଦ୍ରଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି। ବିଜେପିର ଜିଲା ଉପ-ସଭାପତି ରାମ କୁମାର ପାତ୍ର ଟାଉନ ଥାନାରେ ଦେଇଥିବା ଅଭିଯୋଗ ପ୍ରକାରେ, ମଶା ପ୍ରାଦୁର୍ଭାବର ସମାଧାନ ନିମନ୍ତେ ୭ ତାରିଖରେ ଜିଲା ବିଜେପିର ବରିଷ୍ଠ ନେତା ଓ କର୍ମୀମାନେ ବିଏମସି କମିଶନରଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିବାକୁ କମିଶନରଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଏହି ସମୟରେ କମିଶନର ଜେ. ସୋନାଲ ଉତକ୍ଷିତ୍ପ ହୋଇ ଉଠିଥିଲେ। ଗାଳି ଗୁଲଜ କରିଥିଲେ।

ନିଜ ଆସନରୁ ଉଠି ଆସି ବାହାରକୁ ଚାଲିଯାଅ ବୋଲି କହିବା ସହିତ ତୁମ ସମସ୍ତଙ୍କୁ ଜେଲ୍‍ରେ ଭରି କରିଦେବି ବୋଲି କହିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ସେହିପରି ସେଠାରେ ଉପସ୍ଥିତ ଥିବା ବିଏମସିର ପିଅନ ରବିଚନ୍ଦ୍ର ବେହେରାଙ୍କ ସମେତ କର୍ମଚାରୀ ବୁଲୁ ମହାନ୍ତି, ଶିବ ସେଠୀ ବିଜେପି ନେତା ଓ କର୍ମୀଙ୍କୁ ଧକ୍କା ମାରି କାର୍ଯ୍ୟାଳୟ ବାହରକୁ ଠେଲି ଠେଲି ବାହାର କରିଦେଲେ ବୋଲି ରାମ ପାତ୍ର ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ଏ ବିଷୟରେ ଜିଲା ବିଜେପି ପକ୍ଷରୁ ରାଜ୍ୟସ୍ତରୀୟ ନେତାଙ୍କ ସହ ଆଲୋଚନା କଲା ପରେ ରବିବାର ଥାନାରେ ଅଭିଯୋଗ ଦିଆଯାଇଥିବା ରାମ କୁମାର ପାତ୍ର କହିଛନ୍ତି। ଏହି ସମୟରେ ବିଜେପିର ପୂର୍ବତନ ଜିଲା ସଭାପତି କାହ୍ନୁଚରଣ ପତି, ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ସୁନିଲ କୁମାର ସାହୁ, କେ.ଟୁଙ୍ଗୁରୁ ପାତ୍ର, ରାଜ କିଶୋର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଏମସି କମିଶନର ଓ କର୍ମଚାରୀମାନେ ବିଜେପି ନେତା ଓ କର୍ମୀଙ୍କୁ ଦୁର୍ବବ୍ୟବହାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ଏବଂ ସେହିକ୍ରମରେ ଏକ ମାମଲା ରୁଜୁ ହୋଇଥିବା ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ କହିଛନ୍ତି।

ବିଜେପିର ଏତଲା ନେଇ ବ୍ରହ୍ମପୁର ମହାନଗର ନିଗମ କମିଶନର କହିଛନ୍ତି, କିଛିଦିନ ତଳେ ମହାନଗର ନିଗମ କର୍ମଚାରୀ କିଛି ବିଜେପି କର୍ମଚାରୀଙ୍କ ବିରୋଧରେ ପୋଲିସରେ ଦୁର୍ବ୍ୟବହାର ନେଇ ଅଭିଯୋଗ କରିଥିଲେ । ଯାହାର ପ୍ରତି ଅଭିଯୋଗରେ ସେମାନେ ଭିତ୍ତିହୀନ ଅଭିଯୋଗ କରିଥିବା ଶୁଣୁଛି ।

Leave A Reply

Your email address will not be published.