Latest Odisha News

BREAKING NEWS

ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ: ପୁଣି ତେଜିଲା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦାବି । ରତ୍ନଭଣ୍ଡାର ଖୋଲିବା ନେଇ ବିଜେପି ନେତା ସମୀର ମହାନ୍ତି ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି ।

ଆବେଦନରେ ଦର୍ଶାଇଛନ୍ତି, ରତ୍ନଭଣ୍ଡାରର ସ୍ଥିତି ନେଇ ଏଏସ୍ଆଇ ଓ ଗଜପତି ମହାରାଜ ଚିନ୍ତାବ୍ୟକ୍ତ କରିଥିବା ବେଳେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ଏପରିକି ସରକାର ରତ୍ନଭଣ୍ଡାର ଖୋଲିବା ନେଇ ହେଉଥିବା ସମସ୍ତ ଦାବିକୁ ଶୁଣୁନଥିବା କହିଛନ୍ତି ସମୀର ମହାନ୍ତି ।

ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବା ସହ ରତ୍ନଭଣ୍ଡାର ଖୋଲି ଆବଶ୍ୟକ ମରାମତି ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଆବେଦନ କରାଯାଇଛି । ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି କରିବାକୁ ମଧ୍ୟ ଆବେଦନକାରୀ ନିବେଦନ କରିଛନ୍ତି ।

ମାମଲାରେ ମୁଖ୍ୟ ଶାସନ ସଚିବ, ଗଜପତି ମହାରାଜ, ଗୃହ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ୍ ସଚିବ, ପୁରୀ ଜିଲ୍ଲାପାଳ, ଏଏସ୍ଆଇ ମହାନିର୍ଦ୍ଦେଶକ ଏବଂ ସିବିଆଇ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ପୁରୀର ପୂର୍ବତନ ଜିଲ୍ଲାପାଳଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ ଆବଦେନ କରିଛନ୍ତି ବିଜେପି ନେତା ସମୀର ମହାନ୍ତି । ଏଥିସହ ଚାବି ହଜିବା ଓ ମିଳିବାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।

ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ମୁଁ ମନ୍ତ୍ରୀ ଥିବା ବେଳେ ରତ୍ନଭଣ୍ଡାର ଖୋଲିବାକୁ ଚାହିଁଥିଲି । ସେତେବେଳେ ନ ଖୋଲିବା ଲାଗି ପ୍ରବଳ ଚାପ ପକାଯାଇଥିଲା । ଏବେ ଦାବି କରୁଛି ରତ୍ନଭଣ୍ଡାର ଖୋଲାଯାଉ ।

ସେହିଭଳି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରତ୍ନଭଣ୍ଡାର ଖୋଲା ନ ଯିବାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସମସ୍ତେ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଚାହୁଁଥିବା ବେଳେ ସରକାର କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି ଶରତ ପଟ୍ଟନାୟକ ।

Leave A Reply

Your email address will not be published.