ମୁମ୍ବାଇ: ବିବାଦରେ ଅଭିନେତା ଇମ୍ରାନ ଖାନ। ବିଦେଶ ଯାତ୍ରା ଉପରେ କଟକଣା ଓ LOC ଜାରି ପାଇଁ ଗୃହ ମନ୍ତ୍ରଣାଳୟକୁ ଚିଠି। ମୁମ୍ବାଇ ଆନ୍ଦୋଳନ ପରେ ବଢ଼ିଯାଇଛି ଅଭିନେତା ଇମ୍ରାନ ଖାନଙ୍କ ଅଡ଼ୁଆ। କ୍ରକୋଚ୍ ଜନତା ପାର୍ଟି (CJP) ର ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେବାକୁ ନେଇ ବଲିଉଡ ଅଭିନେତା ଇମ୍ରାନ ଖାନଙ୍କ ବିରୁଦ୍ଧରେ ‘ଲୁକ୍ ଆଉଟ୍ ସର୍କୁଲାର୍’ (LOC) ଜାରି କରିବା ପାଇଁ ଭାରତୀୟ ଜନତା ପାର୍ଟି (BJP) ନେତା କିରିଟ ସୋମାୟା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ଇମିଗ୍ରେସନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ ଅକ୍ଟୋବର ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି CJP ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନର ଆୟୋଜନ କରାଯାଇଥିଲା। ଏହି ବେଆଇନ ଆନ୍ଦୋଳନରେ ସାମିଲ ହେବା ଯୋଗୁଁ ମୁମ୍ବାଇ ପୋଲିସ ଅଭିନେତା ଇମ୍ରାନ ଖାନଙ୍କୁ ଅଟକ ରଖିଥିଲା।
ବିଜେପି ନେତା କିରିଟ ସୋମାୟାଙ୍କ ଅଭିଯୋଗ ଅନୁଯାୟୀ, ଇମ୍ରାନ ଖାନ ଜଣେ ‘ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ’ (OCI) କାର୍ଡଧାରୀ ହୋଇଥିବାରୁ ସେ ଭାରତରେ କୌଣସି ରାଜନୈତିକ ଆନ୍ଦୋଳନ କିମ୍ବା ପ୍ରତିବାଦରେ ଭାଗ ନେଇ ନିୟମ ଉଲ୍ଲଂଘନ କରିଛନ୍ତି। ଏହି ମାମଲାର ପୋଲିସ ତଦନ୍ତ ସରିବା ପର୍ଯ୍ୟନ୍ତ ଇମ୍ରାନ ଖାନ ଯେପରି ଭାରତ ବାହାରକୁ ନଯାଇପାରିବେ, ସେଥିପାଇଁ ତାଙ୍କ ନାଁରେ ‘ଲୁକ୍ ଆଉଟ୍ ସର୍କୁଲାର୍’ ଜାରି କରିବାକୁ ସୋମାୟା ଦାବି କରିଛନ୍ତି। ଏହି ଘଟଣାକୁ ନେଇ ମୁମ୍ବାଇର ଗାମଦେବୀ ପୋଲିସ ଷ୍ଟେସନରେ ଏକ FIR ମଧ୍ୟ ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

