ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ‘ବି’ ଗ୍ରାଉଣ୍ଡରେ ଖେଳାଯାଉଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ‘ସି’ ମ୍ୟାଚ୍ରେ ଗୁଜରାଟ ନିଜର ସ୍ଥିତିକୁ ମଜବୁତ କରିନେଇଛି ଏବଂ ଓଡ଼ିଶାକୁ ସଂଘର୍ଷ କରିବାକୁ ବାଧ୍ୟ କରିଛି । ତୃତୀୟ ଦିନରେ ଗୁଜରାଟ ସେମାନଙ୍କ ୨୦୫/୨ ସ୍କୋରରୁ ଖେଳ ଆରମ୍ଭ କରି ସମୁଦାୟ ୪୩୯ ରନ୍ ସଂଗ୍ରହ କରିଥିଲା ଏବଂ ପ୍ରଥମ ଇନିଂସରେ ୧୧୪ ରନ୍ର ଗୁରୁତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । ଓଡ଼ିଶା ପକ୍ଷରୁ ବାଦଲ ବିଶ୍ୱାଳ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ନିଜର ପ୍ରଥମ ଫାଇଭର୍ (୫/୧୧୮) ଅର୍ଥାତ୍ ୫ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ରାଜେଶ ମହାନ୍ତି ଏବଂ ଲଳିତ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଓଡ଼ିଶା ଦ୍ଵିତୀୟ ଇନିଂସ ଆରମ୍ଭ କରି ବେଶ୍ ବିପର୍ୟ୍ୟୟର ସମ୍ମୁଖାନ୍ୟ ହୋଇଥିଲା । ଚତୁର୍ଥ ଓଭର ମଧ୍ୟରେ ଓପନର୍ ଓମ୍ ଟି. ମୁଣ୍ଡେ ଏବଂ ଅଧିନାୟକ ଶୁଭ୍ରାଂଶୁ ସେନାପତି ବିନା କୌଣସି ରନ୍ରେ ଆଉଟ୍ ହୋଇଯାଇଥିଲେ । ଉଭୟ ବ୍ୟାଟରଙ୍କୁ ପେସ୍ ବୋଲର୍ ଅର୍ଜନ ନାଗୱାସୱାଲା ଉର୍ଭିଲ ପଟେଲ୍ଙ୍କ ହାତରେ କ୍ୟାଚ୍ କରାଇଥିଲେ । ଗୌରବ ଚୌଧୁରୀ ମଧ୍ୟ ନାଗୱାସୱାଲାଙ୍କ (୩/୧୮) ଶିକାର ହୋଇଥିଲେ ଏବଂ ମାତ୍ର ୧୮ ରନ୍ କରି ବୋଲ୍ଡ ହୋଇଯାଇଥିଲେ, ଯାହାଫଳରେ ଓଡ଼ିଶାର ସ୍କୋର ୨୪/୩ ରହିଥିଲା । ନିନାଦ ରଥଭା ଏବଂ ସନ୍ଦୀପ ପଟ୍ଟନାୟକ ଦଳର ପାଳିକୁ ସମ୍ଭାଳି ୮୯ ରନ୍ର ଏକ ଗୁରୁତ୍ଵପୂର୍ଣ୍ଣ ଭାଗିଦାରୀ କରିଥିଲେ। ତଥାପି, ତୃତୀୟ ଦିନର ଖେଳ ଶେଷ ହେବାକୁ ମାତ୍ର କିଛି ସମୟ ଥିବାବେଳେ ନିନାଦ ରଥଭା ୫୩ ରନ୍ (୫୭ ବଲ୍, ୧୦ଟି ଚୌକା) କରି ହର୍ଷଲ ପଟେଲ୍ଙ୍କ ବୋଲିଂରେ ବୋଲ୍ଡ ହୋଇଯାଇଥିଲେ । ସନ୍ଦୀପ ପଟ୍ଟନାୟକ ଧୈର୍ୟ୍ୟ ଓ ସଂଯମ ପ୍ରଦର୍ଶନ କରି ୪୧ ରନ୍ କରି ଅପରାଜିତ ରହିଛନ୍ତି । ଓଡ଼ିଶା ବର୍ତ୍ତମାନ ମାତ୍ର ୪ ରନ୍ରେ ଆଗୁଆ ରହିଛି ଏବଂ ମ୍ୟାଚକୁ ଡ୍ର କରିବା ପାଇଁ ଦଳକୁ ଆଉ ଦୁଇଟି ସେସନ୍ ବ୍ୟାଟିଂ କରିବାକୁ ପଡ଼ିବ ।
ସଂକ୍ଷିପ୍ତ ସ୍କୋର୍:ଓଡ଼ିଶା ପ୍ରଥମ ଇନିଂସ: ୩୨୪ ରନ, ଗୁଜରାଟ ପ୍ରଥମ ଇନିଂସ: ୪୩୯ ରନ୍ (ବେଦାନ୍ତ ତ୍ରିବେଦୀ ୧୦୮, ଉର୍ଭିଲ ପଟେଲ୍ ୮୫, ହର୍ଷଲ ପଟେଲ୍ ୬୦; ବାଦଲ ବିଶ୍ୱାଳ ୫/୧୧୮) । ଓଡ଼ିଶା ଦ୍ଵିତୀୟ ଇନିଂସ: ୧୧୯/୪ (ନିନାଦ ରଥଭା ୫୩, ସନ୍ଦୀପ ପଟ୍ଟନାୟକ ଅପରାଜିତ ୪୧; ଅର୍ଜନ ନାଗୱାସୱାଲା ୩/୧୮) ।

