Latest Odisha News

‘ବାଲେଶ୍ଵର ଟ୍ରେନ ଦୁର୍ଘଟଣା ପଛରେ ତୃଣମୂଳ କଂଗ୍ରେସର ହାତ’

ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ଵର ଟ୍ରେନ ଦୁର୍ଘଟଣା ଦେଶର ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଛି। ଗୋଟିଏ ପଟେ ଏହି ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ବିରୋଧୀ କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ତୃଣମୂଳ କଂଗ୍ରେସ ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ପ୍ରଶ୍ନ ଉଠାଇଥିବା ବେଳେ କଂଗ୍ରେସ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଛି। ସିବିଆଇ ଓ ଏନଆଇଏ ସତରେ କଣ କିଛି କରିପାରିବ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

କାନପୁର ଓ କୁନେରୁ ରେଳ ଦୁର୍ଘଟଣାର ତଦନ୍ତ ଏନଆଇଏକୁ ଦିଆଯାଇଥିବା ବେଳେ ସାତ ବର୍ଷ ପରେ ମଧ୍ୟ ଏ ଯାଏ ଚାର୍ଜସିଟ ଦାଖଲ ହୋଇନାହିଁ। ତେଣୁ ଯେଉଁ ସଂସ୍ଥାଗୁଡିକର ଏ ସମ୍ବନ୍ଧରେ ଧାରଣା ଅଛି ସେମାନଙ୍କୁ ତଦନ୍ତ ଦାୟିତ୍ୱ ଦେବା ଆବଶ୍ୟକ। ନଚେତ କେବଳ ସରକାରଙ୍କ ବିଫଳତାରୁ ଧ୍ୟାନ ହଟାଇବା ପାଇଁ ସିବିଆଇ ଓ ଏନଆଇଏକୁ ତଦନ୍ତ ଦାୟିତ୍ବ ଦିଆଯାଉଥିବା ଅଭିଯୋଗ କରିଛି କଂଗ୍ରେସ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ସେ ରେଳମନ୍ତ୍ରୀ ଥିବାବେଳେ ଜ୍ଞାନେଶ୍ୱରୀ ଟ୍ରେନ ଦୁର୍ଘଟଣା ଘଟିଥିବା ବେଳେ ସିବିଆଇକୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏହାର କିଛି ଫଳ ମିଳି ନ ଥିଲା। ସିବିଆଇ ଅପରାଧିକ ମାମଲାର ତଦନ୍ତ କରେ କିନ୍ତୁ ଏହା ଏକ ଦୁର୍ଘଟଣା ପ୍ରସଙ୍ଗ ବୋଲି ସେ କହିଛନ୍ତି। ତେଣୁ ସତ ପଦାକୁ ଆସିବା ଦରକାର ବୋଲି ସେ କହିଛନ୍ତି।

ଏହି ଘଟଣାକୁ ନେଇ ବିରୋଧୀଙ୍କୁ ଘେରିଛି ବିଜେପି। ଦୁର୍ଘଟଣାର ଆରମ୍ଭ ଦିନରୁ ହିଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରର ବିଜେପିକୁ ଏ ପ୍ରସଙ୍ଗ ନେଇ ଟାର୍ଗେଟ କରୁଥିବା ବେଳେ ପଶ୍ଚିମବଙ୍ଗ ବିଜେପି ମମତାଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛି।

ଏହି ବଡ଼ ଦୁର୍ଘଟଣା ପଛରେ ତୃଣମୂଳ କଂଗ୍ରେସର ହାତ ଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ। ଶୁଭେନ୍ଦୁଙ୍କ କହିବା ଅନୁଯାୟୀ ତୃଣମୂଳ କଂଗ୍ରେସ ପୋଲିସ ସହାୟତାରେ ରେଳ ଅଧିକାରୀଙ୍କ ଫୋନ ଟ୍ୟାପ କରିବା ସହ ଟ୍ୱିଟରରେ ଦେଇଛନ୍ତି।

ଦୁଇଜଣ ରେଳ ଅଧିକାରୀଙ୍କ କଥାବାର୍ତା କେମିତି ଜଣାପଡିଲା ଓ ଏହା ଟିଏମସିର ଚକ୍ରାନ୍ତ ବୋଲି ଅଭିଯୋଗ କରିଛନ୍ତି ଶୁଭେନ୍ଦୁ। ରେଳ ଅଧିକାରୀଙ୍କ କଥାବାର୍ତା କେମିତି ଲିକ ହେଲା ଏହା ମଧ୍ୟ ସିବିଆଇ ତଦନ୍ତ ପରିସରଭୁକ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଯଦି ଏହାକୁ ତଦନ୍ତ ପରିସରଭୁକ୍ତ କରା ନ ଗଲା ତେବେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ଶୁଭେନ୍ଦୁ ଅଧିକାରୀ।

ଏଭଳି ଘଟଣାରେ ରାଜନୀତି କରିବା କିମ୍ବା ଦେଶକୁ ବଦନାମ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏପରିକି ଦେଶର କୌଣସି ମୁଖ୍ୟମନ୍ତ୍ରୀ ଏଭଳି କରନ୍ତି ନାହିଁ ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି।

ସେପଟେ ଶୁଭେନ୍ଦୁଙ୍କ ଏହି ମନ୍ତବ୍ୟ ପରେ ପ୍ରତିଆକ୍ରମଣ କରିଛି ଟିଏମସି। ଶୁଭେନ୍ଦୁ ନିଜ ମାନସିକ ସନ୍ତୁଳନ ହରାଇ ଦେଇଛନ୍ତି ବୋଲି ଟିଏମସି କହିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ନେଇ ଲୁଚାଇବା ପ୍ରସଙ୍ଗ ନେଇ ଟିଏମସି ବିଜେପିକୁ ଟାର୍ଗେଟ କରିଥିବା ବେଳେ ମୃତକଙ୍କ ପରିବାରକୁ ସରକାରୀ ଚାକିରୀ ଦେବା ପ୍ରସଙ୍ଗକୁ ନେଇ ମଧ୍ୟ କଥା ଉଠାଇଛି।

ଏପରିକି ଟିଏମସି ନିଜେ ମଧ୍ୟ ଚାକିରୀ ଦେବାକୁ ଘୋଷଣା କରିଛି। ତେଣୁ ଏଭଳି ଏକ ସ୍ପର୍ଶକାତର ଘଟଣାକୁ ନେଇ ରାଜନୈତିକ ଲଢେଇ ତୀଵ୍ର ହୋଇଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ କଣ ଏଥିପାଇଁ ଦାୟୀ କିଏ ଓ ଘଟଣାର ଉତ୍ତରଦାୟିତ୍ୱ କିଏ ନେବ ତାକୁ ନେଇ ଆଲୋଚନା ଜୋର ଧରିଛି।

Leave A Reply

Your email address will not be published.