Latest Odisha News

BREAKING NEWS

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ଡ଼ିଜିପିଙ୍କୁ ଭେଟି ମୋକଦ୍ଦମା ରୁଜୁ କରିବା ଲାଗି ଦାବି କଲା ବିଜେପି

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ରତ୍ନଭଣ୍ଡାର ସୁରକ୍ଷା ନେଇ ଏବେ ଶାସକ ଓ ବିରୋଧି ଦଳ ମଧ୍ୟରେ ରାଜନୈତିକ ଛକାପଞ୍ଝା ବୃଦ୍ଧି ପାଇବାରେ ଲାଗିଛି । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ମୋକଦ୍ଦମା ରୁଜୁ କରିବା ଲାଗି ଦାବି କଲା ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ।

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଏବଂ ଦାନ ସୂତ୍ରରେ ପାଇଥିବା ଅଳଙ୍କାରର ଦୂରୁପଯୋଗ କରିବା ଆଦି ଅଭିଯୋଗ କରି ଗତ ବୁଧବାର ଦିନ ବିଜେପି ତରଫରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ସିଂହଦ୍ୱାର ଥାନାରେ ଏତଲା ଦାୟର କରିଥିଲେ । ଏଯାଏଁ ପୋଲିସ କେସ୍ ରେଜିଷ୍ଟର କରିନଥିବାରୁ ଆଜି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ସମସ୍ତ ଘଟଣା ସଂପର୍କରେ ଅବଗତ କରାଇବା ସହ କେସ୍ ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେବା ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଏହି ପ୍ରସଙ୍ଗରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଆଇନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ କମିଟିର ସଦସ୍ୟ ଏବଂ ରତ୍ନଭଣ୍ଡାର ସବକମିଟିର ସଦସ୍ୟଙ୍କ ବିରୁଦ୍ଧରେ ତୁରନ୍ତ ଆଇନତଃ କାର୍ଯ୍ୟାନୁଷ୍ଠାନ ଦାବି କରି ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା ।

ପ୍ରତିନିଧିଦଳ ଭେଟି ଆଲୋଚନା କରିବା ପରେ ସିଂହଦ୍ୱାର ଥାନାକୁ ମକୋଦ୍ଦମା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପୋଲିସ ଡିଜି ପ୍ରତିଶୃତି ଦେଇଛନ୍ତି ବୋଲି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ବରିଷ୍ଠ ବିଜେପି ନେତା ଦିଲୀପ ମହାନ୍ତି, ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର , କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ଛବି ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.