କୋଲକାତା: ପଶ୍ଚିମବଙ୍ଗର ଫାଲଟା ବିଧାନସଭା ଆସନରେ ଭୋଟ ଗଣତି ଜାରି ରହିଛି। ୧୪୪ ନମ୍ବର ଏହି ଆସନରେ ୨୧ଟି ଇଭିଏମ୍ ରାଉଣ୍ଡ ମଧ୍ୟରୁ ୧୨ଟି ରାଉଣ୍ଡର ଗଣନା ଶେଷ ହୋଇଛି। ବର୍ତ୍ତମାନ ଟ୍ରେଣ୍ଡ୍ ଅନୁସାରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ବହୁ ଭୋଟରେ ଲିଡରେ ଅଛନ୍ତି।
ଦେବାଂଶୁ ପଣ୍ଡା ୮୦ ହଜାର ୩୯୮ ଭୋଟ ପାଇଛନ୍ତି। ସେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମିଙ୍କଠାରୁ ୫୨ ହଜାର ୮୫୩ ଭୋଟରେ ଆଗରେ ଅଛନ୍ତି। ଶମ୍ଭୁନାଥ କୁର୍ମି ୨୭ ହଜାର ୫୪୫ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୋଲ୍ଲା ୬ ହଜାର ୯୧୮ ଭୋଟ ସହ ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜହାଙ୍ଗୀର ଖାନ୍ (ପୁଷ୍ପା) ୪ ହଜାର ୪୬ ଭୋଟ ପାଇ ପଛରେ ରହିଛନ୍ତି। ଏହି ଟ୍ରେଣ୍ଡ୍ ଫାଲଟା ଆସନକୁ ନେଇ ରାଜନୈତିକ ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି।
ଏହା ଚୁଡାନ୍ତ ଫଳାଫଳ ନୁହେଁ। ଆହୁରି ୯ଟି ରାଉଣ୍ଡର ଗଣନା ବାକି ରହିଛି। ତେଣୁ ଆଗାମୀ ରାଉଣ୍ଡରେ ଭୋଟ ବ୍ୟବଧାନ କେମିତି ବଦଳୁଛି, ଏହା ଉପରେ ସମସ୍ତଙ୍କ ନଜର ରହିଛି। ନି
ଫାଲଟା ଆସନ ତୃଣମୂଳ କଂଗ୍ରେସର ଗଡ଼। ଟିଏମସିର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ଅଭିଷେକ ବାନାର୍ଜୀଙ୍କ ଡାଇମଣ୍ଡ ହାରବର ସଂସଦୀୟ କ୍ଷେତ୍ରରେ ଫାଲଟା ରହିଛି। ଜାହାଙ୍ଗୀର ଖାନ୍ ତାଙ୍କର ନିକଟତମ ନେତା।
ନିର୍ବାଚନ ବେଳେ ଏହି ଆସନରେ ଭୋଟିଂ ବେଳେ ବଡ଼ ଗଡବଡ ହୋଇଥିଲା। ତେଣୁ ଆଉଥରେ ଭୋଟ୍ ହେବ ବୋଲି ନିର୍ବାଚନ କମିଶନ ତାରିଖ ଧାର୍ଯ୍ୟ କରିଥିଲେ। ୨୧ ତାରିଖ ଦିନ ଭୋଟ୍ ପଡ଼ିଥିଲା । ହେଲେ ଏହା ପୂର୍ବରୁ ଅର୍ଥାତ ୧୯ ତାରିଖରେ ଟିଏମସି ପ୍ରାର୍ଥୀ ନିଜେ ପ୍ରତ୍ୟାହାର କରିନେଇଥିଲେ । କିନ୍ତୁ ପ୍ରତ୍ୟାହାର ତାରିଖ ପରେ ସେ ଏହି ଘୋଷଣା କରିଥିଲେ । ତେଣୁ ତାଙ୍କ ନାମ ଇଭିଏମରେ ରହିଛି ।