ନୂଆଦିଲ୍ଲୀ: ଚାଲିଛି ବିଧାନସଭା ନିର୍ବାଚନ ଭୋଟ ଗଣତି । ପଶ୍ଚିମବଙ୍ଗରେ ୨୯୩ରୁ ୨୮୮ ଆସନରେ ମଧ୍ୟରେ ବିଜେପି ୧୬୮ ଆସନ ହାସଲ କରିଥିବା ବେଳେ ଟିଏମସି ୧୧୩ ଓ ଅନ୍ୟାନ୍ୟ ୦୭ ରହିଛି । ଶାସକ ଟିଏମସିକୁ ପଛରେ ପକାଇ ୧୫୦ରୁ ଅଧିକ ସିଟରେ ଆଗୁଆ ଅଛି ବିଜେପି ।
ସେପଟେ, ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଥିବାବେଳେ, ପ୍ରାରମ୍ଭିକ ଟ୍ରେଣ୍ଡରେ, ଅଭିନେତା ବିଜୟ ଥାଲାପତିଙ୍କ ଦଳ TVK ଶାସକ ଦଳ ଡିଏମକେକୁ ପଛରେ ପକାଇ ଏକକ ବୃହତ ଦଳ ଭାବରେ ଉଭା ହୋଇଛି । ଟିଭିକେ ୮୦ଟି ଆସନରେ, ଡିଏମକେ ୫୯ଟି ଆସନରେ ଏବଂ ଏଆଇଏଡିଏମକେ ୪୪ଟି ଆସନରେ ଆଗୁଆ ଅଛି ।
ଅନ୍ୟପଟେ, ଆସାମର ୧୨୬ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପି ୭୩ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ଏହାର ସହଯୋଗୀ ଦଳ ସହିତ ୨୭ ଆସନରେ ଆଗୁଆ ରହିଛି । ଅନ୍ୟଦଳମାନେ ୫ଟି ଆସନରେ ଆଗୁଆ ରହିଛନ୍ତି । ଭୋଟ୍ ଗଣତି ଜାରି ରହିଥିବା ବେଳେ, ବିଜେପି ଏବଂ କଂଗ୍ରେସ ଉଭୟ ବିଜୟ ଦାବି କରୁଛନ୍ତି ।
କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଜେପି ଆଗୁଆ ରହିଛି । ୨୯ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୨୨ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୬ ଏବଂ ଅନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛନ୍ତି । ସରକାର ଗଠନ ପାଇଁ ବିଧାନସଭାରେ କୁହୁକ ସଂଖ୍ୟା ୧୫ ଥିବାବେଳେ ବିଜେପି ଏହି ସଂଖ୍ୟା ପ୍ରାରମ୍ଭିକ ଗଣତିରେ ଅତିକ୍ରମ କରିଛି ।