ଭୁବନେଶ୍ବର: ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ ଓ ବିଜେଡି କ୍ଷମା ପ୍ରାର୍ଥନା କରନ୍ତୁ । ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ସରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ସେ କହିଛନ୍ତି ବିରୋଧୀଭାବେ କିପରି କାର୍ଯ୍ୟ କରାଯାଏ ତାହା ଶିଖି ନାହାନ୍ତି । ଗୃହ ଭିତରେ ମନ୍ତ୍ରୀଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର କରୁଛନ୍ତି । ମହିଳା ବାଚସ୍ପତିଙ୍କୁ କାଗଜ ଫିଙ୍ଗି ଅପମାନିତ କରୁଛନ୍ତି ତେଣୁ ବିରୋଧୀ ବିଜେଡି ଓ କଂଗ୍ରେସ କ୍ଷମା ମାଗନ୍ତୁ ।
ସୂଚନାଯୋଗ୍ୟ, ଆଜି ମଧ୍ୟ ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଗୃହ ଭିତରେ ମୁହାଁମୁହିଁ ହୋଇଥିଲେ ଶାସକ ବିରୋଧି । ଜୟନାରାୟଣ ପ୍ରସଙ୍ଗ ଉଠାଇ ବିଜେଡିର ପ୍ରତିବାଦ କରିଥିବା ବେଳେ ନାରୀ ନିର୍ଯାତନା ପ୍ରସଙ୍ଗରେ ହଙ୍ଗାମା କରିଥିଲା କଂଗ୍ରେସ । ରିପୋର୍ଟରଙ୍କ ଟେବୁଲ ଉପରେ ଚଢି ବିରୋଧୀ ଦଳ ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକମାନେ ଗୃହ ବାହାରେ ପ୍ରଥମେ ପ୍ଲାକାର୍ଡ ଦେଖାଇ ବସିବା ସହିତ, ଗୃହ ଆରମ୍ଭ ହେବା ମାତ୍ରେ ଗୃହରେ ନାରାବାଜି କରିଥିଲେ ।
ଏମିତି କି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ପରେ ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ଜୟନାରାୟଣ ମିଶ୍ର ଓ ତାରା ପ୍ରସାଦ ବାହିନୀପତି ହାତାହାତି ହୋଇଥିଲେ ।
Comments are closed.