Latest Odisha News

BREAKING NEWS

ଅପରାଜିତାଙ୍କୁ ଶ୍ରୀମୟୀଙ୍କ ସମାଲୋଚନା, ‘ସାଢେ ୪ କୋଟି ଓଡ଼ିଆଙ୍କ ଅପମାନକୁ ସମର୍ଥନ କରୁଛନ୍ତି ସାଂସଦ’

ଭୁବନେଶ୍ୱର: ସମ୍ବଲପୁର ହିଂସାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦର ବନ୍ଦ ଡାକରାକୁ ବିଜେପି ସାଂସଦ ଅପରାଜିତାଙ୍କ ସମର୍ଥନ ପରେ ପ୍ରତିକ୍ରିୟାଶୀଳ ହୋଇଛି ବିଜେଡି । ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର, ଅପରାଜିତାଙ୍କୁ କାଉଣ୍ଟର କରିଛନ୍ତି । ଶ୍ରୀମୟୀ କହିଛନ୍ତି, ଓଡ଼ିଶାର ୪.୫ କୋଟି ଲୋକ ଆଇନ୍‍ହୀନ ବୋଲି କିଛି ବିଜେପି ନେତା ଯେଉଁ ଅପମାନଜନକ ମନ୍ତବ୍ୟ ଦେଇଥିଲେ ଆଶା କରାଯାଉଥିଲା ଯେ ବିଜେପି ନେତ୍ରୀ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ତାହାକୁ ନିନ୍ଦା କରିବେ । କିନ୍ତୁ ତାଙ୍କର ନିରବତା ଦର୍ଶାଉଛି ସେ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ମାନ ବିରୋଧରେ ଅନ୍ୟ ବିଜେପି ନେତାଙ୍କ ଏପରି ଅପମାନଜନକ ବିବୃତ୍ତିକୁ ସମର୍ଥନ କରୁଛନ୍ତି ।

ଶ୍ରୀମୟୀ ମିଶ୍ର ଆହୁରି କହିଛନ୍ତି, ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଜାଣି ନାହାଁନ୍ତି ଯେ ଏନ୍‌ସିଆରବିର ସଦ୍ୟତମ ରିପୋର୍ଟରେ ମହିଳାଙ୍କ ପ୍ରତି ହେଉଥିବା ଜଘନ୍ୟ ଅପରାଧ କ୍ଷେତ୍ରରେ ବିଜେପି ଶାସିତ ରାଜ୍ୟଗୁଡିକ ଢେର ଆଗରେ ରହିଛନ୍ତି । ଯଦି ସେ ଏପରି ଅପମାନଜନକ ବିବୃତ୍ତି ଦେବା ପୂର୍ବରୁ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ସର୍ବଶେଷ ରିପୋର୍ଟଟିକୁ ଅଧ୍ୟୟନ କରିଥାନ୍ତେ ତେବେ ଏହା ଭଲ ହୋଇଥାନ୍ତା ।

କେନ୍ଦ୍ର ଦ୍ୱାରା ପ୍ରକାଶିତ ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ବହୁତ ଭଲ । ବଳାତ୍କାର ମାମଲାରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ହରିଆନା ଏବଂ ଆସାମ ଭଳି ବିଜେପି ଶାସିତ ରାଜ୍ୟଗୁଡିକର ସ୍ଥିତି ଅତ୍ୟନ୍ତ ଶୋଚନୀୟ । ଦୁଷ୍କର୍ମ ସହିତ ହତ୍ୟା ମାମଲାରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଆସାମ ପରି ବଜେପି ଶାସିତ ରାଜ୍ୟରେ ଓଡ଼ିଶା ତୁଳନାରେ ମାମଲା ଢେର ଅଧିକ ।

ଅନେକ ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଏହା ଦୁର୍ଭାଗ୍ୟଜନକ ଯେ ଶ୍ରୀମତୀ ଷଡ଼ଙ୍ଗୀ ସତ୍ୟ କହିବା ପରିବର୍ତ୍ତେ ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧରେ ତାଙ୍କ ବିଜେପି ଶାସିତ ରାଜ୍ୟ ଗୁଡ଼ିକର ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରି ଆସୁଛନ୍ତି । ସେହିଭଳି ଆଜିର ବନ୍ଦକୁ ତାଙ୍କର ସମର୍ଥନ ପରିସ୍ଥିତିକୁ ଶାନ୍ତ ପାଇଁ ଆହ୍ୱାନ ଦେବା ପରିବର୍ତ୍ତେ ଏହାକୁ ଉସୁକାଇ ଅଶାନ୍ତ ଲାଗି ଚେଷ୍ଟା କରିବାର ମାନସିକତାକୁ ପଦାରେ ପକାଇଛି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.