Latest Odisha News

BREAKING NEWS

‘କର୍ଣ୍ଣାଟକ ଲଢେଇ’ କଂଗ୍ରେସର ଅଭିଜ୍ଞତା ବନାମ ବିଜେପିର ନୂଆ ମୁହଁ

ଭୁବନେଶ୍ୱର: କର୍ଣ୍ଣାଟକରେ ଏଥର ନୂଆ ବନାମ ପୁରୁଣା ଲଢେଇ। ବିଜେପି ୭୦ ରୁ ଅଧିକ ନୂଆ ଚେହେରାକୁ ନିର୍ବାଚନ ମଇଦାନକୁ ଓଲ୍ହାଇଛି। ଏପରିକି ପ୍ରାୟ ୨୦ ଜଣ ବିଧାୟକଙ୍କ ଟିକେଟ କାଟିଛି ଦଳ। ଦଳର ବହୁ ବରିଷ୍ଠ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ, ବରିଷ୍ଠ ବିଧାୟକ ତଥା ବହୁ ହେଭିୱେଟଙ୍କୁ ଟିକେଟ ଦେଇନି ଦଳ।

ଯାହାକୁ ନେଇ କର୍ଣ୍ଣାଟକ ବିଜେପିରେ ଝଡ଼ ସୃଷ୍ଟି ହୋଇଛି। ଏପରିକି ଖାସ ଏଥିପାଇଁ ଦଳର ବହୁ ପୁରୁଖା ନେତା ଦଳ ଛାଡି ଅନ୍ୟ ଦଳକୁ ଯାଇଛନ୍ତି। ବହୁ ନେତା ବିଦ୍ରୋହ କରିବା ସହ ଅସନ୍ତୋଷ ବି ଝାଡିଛନ୍ତି। କିନ୍ତୁ ବିଜେପିର ଶୀର୍ଷ ନେତୃତ୍ୱ ନୂଆ ଓ ଯୁବ ଚେହେରା ଉପରେ ଅଧିକ ଭରସା କରିଛି।

ସରକାର ବିରୋଧରେ ଥିବା ଆଣ୍ଟିଇନକମ୍ବାନ୍ସି ଫ୍ୟାକ୍ଟରକୁ ପ୍ରତିହତ କରିବାକୁ ଦଳ ଏଭଳି ଯୋଜନା କରିଛି ବୋଲି କୁହାଯାଉଛି। ପୂର୍ବରୁ ଏଭଳି ଢାଞ୍ଚା ବ୍ୟବହାର କରି ଦଳ ଉତ୍ତରପ୍ରଦେଶ, ହରିୟାଣା, ଗୁଜୁରାଟ ଓ ଅନ୍ୟ ରାଜ୍ୟରେ ସଫଳତା ପାଇଛି।

ଏପରିକି ବିଜେପି ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ ପ୍ରମୁଖ ନେତାଙ୍କ ପ୍ରଚାର ଦ୍ୱାରା ଦଳର ଭୋଟ ପ୍ରତିଶତରେ ଉନ୍ନତି ଆଣିବାକୁ ଯୋଜନା କରିଛି। ବିଭିନ୍ନ ଜାଗାରେ ପ୍ରାର୍ଥୀ ବଦଳାଇବା ପୂର୍ବରୁ ବିଜେପି ପକ୍ଷରୁ ତିନିରୁ ଚାରି ରାଉଣ୍ଡ ସର୍ଭେ କରାଯାଇଥିବା କୁହାଯାଉଛି। ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ଦଳ ପ୍ରାର୍ଥୀ ଦେଇଥିବା କୁହାଯାଉଛି।

ସେପଟେ କଂଗ୍ରେସ କିନ୍ତୁ ଅଭିଜ୍ଞ ଓ ଲୋକପ୍ରିୟ ନେତାଙ୍କୁ ପ୍ରାର୍ଥୀ କରିଛି। ଦଳର ବହୁ ପ୍ରମୁଖ ଚେହେରାଙ୍କୁ ଦଳ ଭରସା କରିଥିବା ବେଳେ ବିଜେପି ଛାଡି ଆସିଥିବା ବହୁ ହେଭିୱେଟଙ୍କୁ ପ୍ରାର୍ଥୀ କରିଛି ଦଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାରଙ୍କୁ ଦଳ ପ୍ରାର୍ଥୀ କରିଛି। ପୂର୍ବରୁ ତାଙ୍କର ଅତି ବିଶ୍ୱସ୍ତ ମହେଶ ଟେଙ୍ଗିନାକାଇଙ୍କ ସହ ଲଢ଼ିବେ ସେଟ୍ଟାର।

ବିଜେପି ଛାଡି କଂଗ୍ରେସ ଆସିଥିବା ବହୁ ନେତାଙ୍କୁ କଂଗ୍ରେସ ଟିକେଟ ଦେଇଥିବା ବେଳେ ପ୍ରଭାବୀ ନେତାଙ୍କ ଉପରେ ଭରସା ରଖିଛି। ସେପଟେ ସେଟ୍ଟାର ଓ ଲକ୍ଷଣ ସାବାଡି ଦଳ ଛାଡି କଂଗ୍ରେସରେ ମିଶିବା ଯୋଗୁ ବିଜେପି ୨୦ ରୁ ୨୫ ଟି ଆସନରେ କଡା ଟକ୍କରର ସମ୍ମୁଖୀନ ହେବ ବୋଲି କୁହାଯାଉଛି।

ଯାହାକି କଂଗ୍ରେସକୁ ଫାଇଦା ଦେଇପାରେ ବୋଲି ଆଲୋଚନା ହେଉଛି। ସେପଟେ ରାହୁଲ ଗାନ୍ଧୀ କଂଗ୍ରେସ ପ୍ରଚାରର ମଙ୍ଗ ସମ୍ଭାଳିଛନ୍ତି। ଜେଡିଏସ ଏତେ ପ୍ରଭାବୀ ଢଙ୍ଗରେ ଆଗେଇବା ଦେଖାଯାଉ ନ ଥିଲେ ମଧ୍ୟ ବହୁ ଜାଗାରେ ଦଳର ପ୍ରଭାବ ରହିଛି। ତେଣୁ ଏହି ନୂଆ ପୁରୁଣା ଲଢେଇରେ କିଏ ବାଜି ମାରିବ, କାହା ପ୍ଲାନ ସଫଳ ହେବ କାହାର ବିଫଳ ହେବ ତାକୁ ନେଇ ଏବେ ସାଧାରଣରେ ଆଲୋଚନା ଜୋର ଧରିଛି।

Leave A Reply

Your email address will not be published.