ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମଧ୍ୟରେ ସଂଗଠନର ଭବିଷ୍ୟତକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଦୀର୍ଘ ସମୟ ଧରି ଚାଲିଥିବା ଏହି ଆଲୋଚନାରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ଏବଂ ଆଗାମୀ ଦିନର ରଣନୀତି ପ୍ରସ୍ତୁତ କରିବା ଉପରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଛି।
ସୋମବାର ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସରକାରୀ ବାସଭାବନ ଠାରେ ଦଳର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଗୃହ ମନ୍ତ୍ରୀ ଅମିତ ଶାହ, ଦଳୀୟ ଜାତୀୟ ସଭାପତି ନିତିନ ନବୀନ ଏବଂ ପୂର୍ବ ସଭାପତି ଜେ.ପି. ନଡ୍ଡା ଏଥିରେ ଯୋଗ ଦେଇଥିଲେ। ଏହି ବୈଠକ ସ୍ପଷ୍ଟ ସଂକେତ ଦେଉଛି ଯେ ବଡ଼ ଅଦଳ ବଦଳ ହେବ।
ଦଳୀୟ ନିୟମ ଅନୁଯାୟୀ ରାଷ୍ଟ୍ରୀୟ ସଭାପତି ଜୁନ ମାସ ଭିତରେ ନୂଆ ଦଳୀୟ ଟିମ ଘୋଷଣା କରିବା ଆବଶ୍ୟକ। ଜାନୁଆରି ୨୦୨୬ ରେ ଦଳ ସଭାପତି ହୋଇଥିବା ନିତିନ ନବୀନ ପଞ୍ଜାବ, ଦିଲ୍ଲୀ, ହରିୟାଣା ଏବଂ ତ୍ରିପୁରାରେ ନୂଆ ରାଜ୍ୟ ସଭାପତି ଘୋଷଣା କରିସାରିଛନ୍ତି।
ଆଉ ଏହି ସଂଗଠନ ପୁନର୍ଗଠନ ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ, ଗୁଜୁରାଟ ଓ ହିମାଚଳ ପ୍ରଦେଶ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ବିଧାନସଭା ନିର୍ବାଚନ ଆଗରୁ ହେବାକୁ ହେଉଛି।
ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ବିଜେପିର ସଂଗଠନରେ ଖୁବଶୀଘ୍ର ବଡ଼ଧରଣର ଅଦଳବଦଳ ଦେଖିବାକୁ ମିଳିପାରେ। ଦଳର କାର୍ଯ୍ୟକାରୀ କମିଟିରେ କିଛି ନୂଆ ଚେହେରାଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି। ବରିଷ୍ଠ ନେତାମାନେ ଏହି ପ୍ରକ୍ରିୟାକୁ ନେଇ କ୍ରମାଗତ ଭାବେ ବୈଠକ କରୁଛନ୍ତି।
ଦଳର ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଖୁବଶୀଘ୍ର ଏକ ନୂଆ ଟିମ୍ ଘୋଷଣା କରାଯିବ। ଏହି ପରିବର୍ତ୍ତନ ପଛରେ ଦଳର କାର୍ଯ୍ୟଶୈଳୀକୁ ଅଧିକ କ୍ରିୟାଶୀଳ କରିବା ଏବଂ କର୍ମୀମାନଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିବା ଲକ୍ଷ୍ୟ ରହିଛି।
ଏହି ବୈଠକରେ କେନ୍ଦ୍ରୀୟ ନେତୃତ୍ୱ ଏବଂ ଆରଏସଏସର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ସଂଗଠନର ବିଭିନ୍ନ ବିଭାଗରେ କାର୍ଯ୍ୟରତ ପଦାଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ଏଠାରେ ସମୀକ୍ଷା କରାଯାଇଛି। ଯେଉଁମାନଙ୍କ କାର୍ଯ୍ୟରେ ସୁଧାରର ଆବଶ୍ୟକତା ରହିଛି, ସେମାନଙ୍କୁ ନୂଆ ଦାୟିତ୍ୱ ଦିଆଯିବ କିମ୍ବା ପରିବର୍ତ୍ତନ କରାଯିବ ସେ ନେଇ ରୂପରେଖ ପ୍ରସ୍ତୁତ ହୋଇଛି।
ଆଗାମୀ ନିର୍ବାଚନ ଏବଂ ରାଜ୍ୟସ୍ତରୀୟ ସଂଗଠନକୁ ମଜବୁତ କରିବା ପାଇଁ ଏହି ପଦକ୍ଷେପ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଦଳର ଶୀର୍ଷ ନେତୃତ୍ୱ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପରେ ଆସନ୍ତା କିଛି ଦିନ ମଧ୍ୟରେ ବିଧିବଦ୍ଧ ଭାବେ ନୂଆ ଟିମର ତାଲିକା ପ୍ରକାଶ ପାଇପାରେ।
Comments are closed.