ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟ ପୁସ୍ତକରେ ମାଳ ମାଳ ଭୁଲ୍ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି । ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଛି ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି । ଯାହାକି ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଥିବାର ଜ୍ୱଳନ୍ତ ଚିତ୍ର ସର୍ବସମ୍ମୁଖକୁ ଆସିଛି ବୋଲି କହି ଅଭିଯୋଗ ଆଣିଲା ବିଜେଡି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ ଲେନିନ୍ ମହାନ୍ତି ଏହି ପାଠ୍ୟପୁସ୍ତକ ଗୁଡ଼ିକୁ “ଜାତୀୟ ଲଜ୍ଜା” ବୋଲି କହିଛନ୍ତି । ଓଡିଆ ଅସ୍ମିତା ପ୍ରତି କୋଠର ଆଘାତ କରିବା ସହ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଉପରେ ସିଧା ଆକ୍ରମଣ ବୋଲି ମତପ୍ରକାଶ କରିଛନ୍ତି । ଡଃ ମହାନ୍ତି କହିଛନ୍ତି, ‘ଓଡ଼ିଆ ଆସ୍ମିତା’ ସ୍ଲୋଗାନ୍ ଦେଇ ବୁଲୁଥିବା ବିଜେପି ସରକାର ଏହି ପାଠ୍ୟପୁସ୍ତକ ମାଧ୍ୟମରେ ତାହାର ସମ୍ପୂର୍ଣ୍ଣ ତ୍ରୁଟି ପ୍ରକାଶ କରିଛି ।
ଓଡ଼ିଶା ପାଠ୍ୟକ୍ରମ ୨୦୨୫ ଅନୁସାରେ ଏସ୍ସିଇଆର୍ଟି ଓଡ଼ିଶା ଦ୍ୱାରା ପ୍ରସ୍ତୁତ ନୂତନ ପାଠ୍ୟପୁସ୍ତକରେ ଶ୍ରେଣୀ ୧ରୁ ୮ ପର୍ଯ୍ୟନ୍ତ ପ୍ରାୟ ୧୬୭୮ଟି ତ୍ରୁଟି ଚିହ୍ନଟ ହୋଇଛି । ସର୍ବାଧିକ ୭୦୫ଟି ତ୍ରୁଟି କେବଳ ଶ୍ରେଣୀ ୮ ପୁସ୍ତକରେ ରହିଛି । ଏଥିରେ ଜିଜ୍ଞାସାରେ ୨୯୪, ସଂସ୍କୃତରେ ୧୧୪, ସାମାଜିକ ବିଜ୍ଞାନରେ ୨୫, ସାହିତ୍ୟରେ ୩୧ ଏବଂ ଇଂରାଜୀ ଓ ଗଣିତରେ ମଧ୍ୟ ଉଲ୍ଲେଖନୀୟ ଭୁଲ୍ ରହିଛି। ଯାହାକି ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ନଷ୍ଟ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି । ପୁସ୍ତକରେ ଗମ୍ଭୀର ଭାବେ ବନାନ୍ ତ୍ରୁଟି, ତଥ୍ୟଗତ ଭୁଲ୍, ଭୋଗଲିକ ସ୍ଥିତି ସମ୍ବନ୍ଧୀୟରେ ତ୍ରୁଟି, ଐତିହାସିକ ଓ ସାହିତ୍ୟିକ ବ୍ୟକ୍ତିତ୍ୱଙ୍କ ନାମରେ ଭୁଲ୍ ଓ ଭୁଲ୍ ଫଟୋ ଏବଂ ସ୍ଥାନ ମଧ୍ୟ ରହିଛି ।
ଏକ ଉଦାହରଣ ସ୍ୱରୂପ କର୍ଣ୍ଣାଟକ ବିଧାନସଭାର ଫଟୋକୁ ଓଡ଼ିଶା ବିଧାନସଭା ବୋଲି ବ୍ୟବହାର କରାଯାଇଛି । ଓଡ଼ିଶାର ପବିତ୍ର ନିୟମଗିରି ପାହାଡ଼କୁ ଝାରଖଣ୍ଡରେ ବୋଲି ଉଲ୍ଲେଖ ହୋଇଛି । ଗଞ୍ଜାମ ଜିଲ୍ଲାକୁ ବ୍ରହ୍ମପୁର ଜିଲ୍ଲା କୁହାଯାଇଛି । ସୁନନ୍ଦା ପଟ୍ଟନାୟକ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପରି ପ୍ରସିଦ୍ଧ ଓଡ଼ିଆ ବ୍ୟକ୍ତିତ୍ୱଙ୍କ ନାମରେ ଭୁଲ୍ ବନାନ୍ ରହିଛି ।
ଡ ଲେନିନ୍ ମହାନ୍ତି କହିଛନ୍ତି, “ଏଗୁଡ଼ିକ ଛୋଟ କିମ୍ବା ପରୀକ୍ଷା ମୂଳକ ତ୍ରୁଟି ନୁହେଁ। ଏହା ପିଲାଙ୍କୁ ସେମାନଙ୍କର ଇତିହାସ, ଭୂଗୋଳ, ସଂସ୍କୃତି ଓ ପରିଚୟ ବିଷୟରେ ତ୍ରୁଟି ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ଭ୍ରାନ୍ତି ସୃଷ୍ଟି କରିବ । ‘ଓଡ଼ିଆ ଆସ୍ମିତା’ର ଦାବି କରୁଥିବା ସରକାର କେମିତି ଏପରି ଅପମାନକର କାର୍ଯ୍ୟ କରିପାରିଲା? ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ନିଜର ତୃଟି ଲୁଚାଇବାକୁ ଯାଇ ତୁରନ୍ତ ସଂଶୋଧନ ତାଲିକା ପ୍ରସ୍ତୁତ କରିଛନ୍ତି । ଯାହା ସେମାନଙ୍କର ଅଯତ୍ନ ଓ ଦାୟୀତ୍ୱ ହୀନତାର ପରିଚୟ ପ୍ରଦାନ କରୁଛି । ତେଣୁକରି ପଦକ୍ଷେପ ଗ୍ରହଣ କରିବାକୁ ବିଜେଡି ଦାବି କରିଛନ୍ତି । ସବୁ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ତୁରନ୍ତ ପ୍ରତ୍ୟାହାର କରିବା, ପ୍ରସ୍ତୁତି ଓ ପ୍ରୁଫ୍ ରିଡିଂରେ ହୋଇଥିବା ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ, ଦାୟୀ ଅଧିକାରୀ ଓ ମନ୍ତ୍ରୀଙ୍କ ଯାଞ୍ଚ, ଆଗାମୀ ଶୈକ୍ଷିକ ବର୍ଷ ପୂର୍ବରୁ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ପ୍ରକାଶ କରିବାକୁ ଦାବି କରିଛନ୍ତି ।
