Latest Odisha News

BREAKING NEWS

ସୀମାନ୍ତ ଗାଁରେ ବିଜେପିର ପ୍ରତିନିଧି ଦଳ, ଅଞ୍ଚଳର ଲୋକଙ୍କ ବିକାଶ ଲାଗି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି

ଭୁବନେଶ୍ୱର: ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳ ଉପରେ ଆଖି ପକାଉଛନ୍ତି ପଡ଼ୋଶୀ ରାଜ୍ୟ । କୋରାପୁଟ ଜିଲ୍ଲାର କୋଟିଆ ପରି ମୟୂରଭଞ୍ଜ ଜିଲ୍ଲାର ରରୁଆ ବ୍ଲକ ଡେଣୁଆଁ ଗାଁର ବାସିନ୍ଦାଙ୍କୁ ଝାଡ଼ଖଣ୍ଡ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛି । ଝାଡ଼ଖଣ୍ଡ ସରକାର ଭତ୍ତା ବାବଦକୁ ୧୦୦୦ ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ୫୦୦ ଟଙ୍କା ଦେଉଛନ୍ତି । ସୀମାବର୍ତ୍ତୀ ଅଞ୍ଚଳକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାଁନ୍ତି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା-ଝାଡଖଣ୍ଡ ସୀମାବର୍ତୀ ଡେଣୁଆଁ ଗାଁ ଗସ୍ତ କରିବା ସମୟରେ ଅଭିଯୋଗ କରିଛନ୍ତି ।

ବିଜେପି ଅଭିଯୋଗ କରିଛି ଝାଡ଼ଖଣ୍ଡ ପାଇଁ ଓକିଲାତି କରୁଥିବା ଲୋକ ଏବେ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ଅଛନ୍ତି । ତାଙ୍କ ଜିଲ୍ଲାର ଗାଁକୁ ପଡ଼ୋଶୀ ରାଜ୍ୟ ଅକ୍ତିଆର କରିବାକୁ ବସିଥିବା ବେଳେ ରାଜସ୍ୱ ମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି । ଡେଣୁଆ ଗାଁ ଲୋକଙ୍କ ସହ ଶ୍ରୀ ମହାନ୍ତି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଭାବାଗତ ଦୃଷ୍ଟିରୁ ଆମେ ସମସ୍ତେ ଏକ । ରାଜ୍ୟ ସରକାର ତୁରନ୍ତ ସୀମା ବିବାଦକୁ ସମାଧାନ କରିବା ସହ ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କ ବିକାଶ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ବିଜେପି ରାଜ୍ୟ ସଭାପତି କହିଛନ୍ତି । ଏହି ପ୍ରତିନିଧି ଦଳରେ ସାଂସଦ ତଥା ରାଷ୍ଟ୍ରୀୟ ସମ୍ପାଦକ ବିଶେଶ୍ୱର ଟୁଡୁଙ୍କ ସମେତ ବିଜେପି ବିଧାୟକ ପ୍ରକାଶ ସୋରନେ, ନବ ମାଝୀ, ଗଣେଶ ରାମ ଖୁଣ୍ଟିଆ, ଭାସ୍କର ମଢେଇ, ବୁର୍ଦ୍ଧାନ ମୁର୍ମୁ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

 BJP Team Visits Mayurbhanj Village In Odisha Jharkhand Border

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଏକ ମିଶ୍ରଣ ପର୍ବରେ ଶ୍ରୀ ମହାନ୍ତି ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ବିଶିଷ୍ଟ ଆଇନଜୀବୀ ରୁକ୍ମଣୀ ମହନ୍ତ, ସୁବର୍ଣ୍ଣ ଢୁଙ୍ଗିଆ, ଏମ. ଭିତଲ ରୟ, ଅଜୟ କୁମାର ସେଠୀ, ବସ ମାଲିକ ସଂଘର ସମ୍ପାଦକ ଅରୁଣ ଅଗ୍ରୱାଲ, ପୂର୍ବତନ ସରପଞ୍ଚ ଶୈଳେନ୍ଦ୍ର ଦେଉରୀ, ନିତ୍ୟାନନ୍ଦ ମୁର୍ମୁ, ଗଗନ ଟୁଡୁ, ସମିତିସଭ୍ୟ ହିମାଂଶୁ ନାୟକଙ୍କ ସମେତ ସାମାଜିକ କର୍ମୀ ଏବଂ ଶତାଧିକ ସଂଖ୍ୟାରେ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜିର ମିଶ୍ରଣ ଦ୍ୱାରା ବିଜେପି ସଙ୍ଗଠନ ଆହୁରି ମଜବୁତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହା ପରେ କରଞ୍ଜିଆ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ସମର୍ଥନ ମିଳିଛି । କିନ୍ତୁ ଯେଉଁଭଳି ଭାବରେ ମୟୂରଭଞ୍ଜର ସାଧାରଣ ନାଗରିକ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ ରହିଛନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣଭାବେ ଦାୟୀ । ବିଜେଡି ଶାସନରେ ଜିଲ୍ଲାର ସୀମା ଅସୁରକ୍ଷିତ ହୋଇଛି । ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଅନାଧିକାର ପ୍ରବେଶ କରିଛି । ଓଡିଶାର ୧୪ଟି ଜିଲ୍ଲାରେ ଏହି ସମସ୍ୟା ଦେଖା ଦେଇଥିବା ସେ ଅଭିଯୋଗ କରିଛନ୍ତି ।  ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି । ୧୪ ଜଣ ଡାକ୍ତରଙ୍କ ସ୍ଥାନରେ ଜଣେ ଡାକ୍ତର ଅଛନ୍ତି । ଶିକ୍ଷକମାନଙ୍କର ଭିତିଭୂମିରେ ସୁଧାର ଆସୁନାହିଁ ।

Leave A Reply

Your email address will not be published.