Latest Odisha News

BREAKING NEWS

ବିଜେପି ୪୦୦ ନୁହେଁ ୩୦୦ ଭିତରେ ରହିବ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ବିଜେପି ଚଳିତ ନିର୍ବାଚନରେ ୪୦୦ ପାରର ନାରା ଦେଇଛି। ଅର୍ଥାତ ୪୦୦ରୁ ଅଧିକ ଆସନରେ ଜିତିବ ବୋଲି ନାରା ଦେଇଛି। କିନ୍ତୁ ଏହି ନାରା ପୂରଣ ହେବନି। ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏକ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି।

ପ୍ରଶାନ୍ତ କିଶୋର କହିଛନ୍ତି ଯେ ବିଜେପି ପାଇଁ ନିଜେ ୩୭୦ ଟି ଆସନ ପାଇବା ଅସମ୍ଭବ ଏବଂ ଦଳ ପ୍ରାୟ ୩୦୦ ଆସନ ପାଇବ। ଯେଉଁଦିନ ପ୍ରଧାନମନ୍ତ୍ରୀ ମୋଦୀ ଦାବି କରିଥିଲେ ଯେ ବିଜେପି ୩୭୦ ଏବଂ ଏନଡିଏ ୪୦୦ ଆସନ ଅତିକ୍ରମ କରିବ, ସେଦିନ ମୁଁ କହିଥିଲି ଯେ ଏହା ସମ୍ଭବ ନୁହେଁ। ଏସବୁ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ସ୍ଲୋଗାନ। ବିଜେପି ପାଇଁ ୩୭୦ ଟି ଆସନ ମିଳିବା ଅସମ୍ଭବ, କିନ୍ତୁ ଏହା ମଧ୍ୟ ନିଶ୍ଚିତ ଯେ ଦଳ ୨୭୦ରୁ ତଳକୁ ଖସିବ ନାହିଁ । ମୋର ବିଶ୍ୱାସ ଯେ ବିଜେପି ପୂର୍ବ ଲୋକସଭା ନିର୍ବାଚନ ଭଳି ସମାନ ସଂଖ୍ୟକ ଆସନ ହାସଲ କରିବାରେ ସକ୍ଷମ ହେବ, ଯାହା କି ୩୦୩ ଟି ଆସନ ବା ବୋଧହୁଏ ଟିକିଏ ଅଧିକ।

ଲୋକସଭା ନିର୍ବାଚନରେ ବିଜେପିକୁ କାହିଁକି ୩୦୦ ଆସନ ମିଳିବ ବୋଲି ସେ ଭାବୁଛନ୍ତି, ସେ ସମ୍ପର୍କରେ ରାଜନୈତିକ ବିଶ୍ଳେଷକ ଦାବି କରିଛନ୍ତି ଯେ ଶାସକ ଦଳ ଉତ୍ତର ଓ ପଶ୍ଚିମ ଅଞ୍ଚଳରେ କୌଣସି ବଡ଼ ଧରଣର ପରାଜୟର ସମ୍ମୁଖୀନ ହେଉନଥିବା ବେଳେ ଦକ୍ଷିଣ ଓ ପୂର୍ବରେ ଏହାର ଆସନ ବୃଦ୍ଧି ପାଇବ।

୨୦୧୯ ନିର୍ବାଚନରେ ବିଜେପି ୩୦୩ ଟି ଆସନ କେଉଁଠାରେ ହାସଲ କରିଥିଲା । ସେହି ୩୦୩ ଆସନ ମଧ୍ୟରୁ ୨୫୦ଟି ଉତ୍ତର ଓ ପଶ୍ଚିମ ଅଞ୍ଚଳରୁ ଆସିଥିଲା। ମୁଖ୍ୟ ପ୍ରଶ୍ନ ହେଉଛି ଏଥର ସେମାନେ ଏହି ଅଞ୍ଚଳରେ ଯଥେଷ୍ଟ କ୍ଷତି (୫୦ କିମ୍ବା ଅଧିକ ଆସନ)ର ସମ୍ମୁଖୀନ ହେଉଛନ୍ତି କି? ପୂର୍ବ ଓ ଦକ୍ଷିଣରେ ଏବେ ଲୋକସଭାରେ ବିଜେପି ପାଖରେ ପ୍ରାୟ ୫୦ଟି ଆସନ ରହିଛି। ଏହି ସବୁ ଅଞ୍ଚଳରେ ବିଜେପିର ଭୋଟ୍ ପ୍ରତିଶତ ଯଥେଷ୍ଟ ବୃଦ୍ଧି ପାଇବ ବୋଲି କୁହାଯାଉଛି। ତେଣୁ ପୂର୍ବ ଓ ଦକ୍ଷିଣରେ ବିଜେପିର ଆସନ ଭାଗ ୧୫ରୁ ୨୦ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଥିବା ବେଳେ ଉତ୍ତର ଓ ପଶ୍ଚିମରେ ବିଶେଷ କ୍ଷତି ହେବ ନାହିଁ। ଏହା ପ୍ରଶାନ୍ତ କିଶୋର କହିଛନ୍ତି।

କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ନିରାଶ ଅନୁଭବ କରୁଥିବା ସମାଜର ଏକ ବର୍ଗକୁ ବାଦ୍ ଦେଲେ ଦେଶରେ ତାଙ୍କ ବିରୋଧରେ କୌଣସି ବ୍ୟାପକ ଅସନ୍ତୋଷ ନାହିଁ ବୋଲି ରାଜନୈତିକ ବିଶ୍ଳେଷକ ଦର୍ଶାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଦେଶର ବିଭିନ୍ନ ସ୍ଥାନରେ ୫ଟି ପର୍ଯ୍ୟାୟ ମତଦାନ ସରିବା ପରେ ବିଜେପି ୩୧୦ ଆସନ ଅତିକ୍ରମ କରିସାରିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଓଡ଼ିଶାରେ ପ୍ରଚାର ବେଳେ ଦାବି କରିଛନ୍ତି।

Leave A Reply

Your email address will not be published.