Latest Odisha News

ଘର ଘର ବୁଲି କେନ୍ଦ୍ରୀୟ ଯୋଜନାର ପ୍ରଚାର କରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ବର : ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ମହିଳା ସଶକ୍ତିକରଣ ପାଇଁ ବଳିଷ୍ଠ ପଦକ୍ଷେପ ନିଆଯାଇଛି । ଉଜ୍ବଳା, ବେଟି ବଚାଓ-ବେଟି ପଢ଼ାଓ, ଜନନୀ ସୁରକ୍ଷା ଯୋଜନା, ପୋଷଣା ଯୋଜନା, କିଶୋରି ଶକ୍ତି ଯୋଜନା, ସ୍ବଧାର ଗୃହ ଆଦି ବହୁ କଲ୍ୟାଣକାରୀ ଯୋଜନାକୁ ସଫଳ ରୂପାୟନ କରାଯାଇଛି । ସେହିପରି ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାର ପ୍ରୟାସ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ । ମାତ୍ର ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଏ ସମସ୍ତ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛି ମହିଳା । ଏଭଳି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ।

କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନା ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଆଗାମୀ ଦିନରେ ଘର ଘର ବୁଲି ରାଜ୍ୟବାସୀଙ୍କ ଅବଗତ କରାଇବ । ଏନେଇ ସୂଚନା ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ସେହିପରି ମହିଳା ମୋର୍ଚ୍ଚାକୁ କିପରି ଅଧିକ ସଶକ୍ତ କରାଯିବ ସେନେଇ ବୈଠକରେ ଗୁରୁତ୍ବ ଦିଆଯାଇଛି ।

Leave A Reply

Your email address will not be published.