Latest Odisha News

କରୌଲି ଦଙ୍ଗା ସ୍ଥଳ ଯିବା ଆଗରୁ ତେଜସ୍ୱୀ ସୂର୍ଯ୍ୟାଙ୍କୁ ଉଠାଇ ନେଲା ପୋଲିିସ

ଜୟପୁର ପ୍ରଶାସନ ସ୍ଥାନୀୟ ଅଞ୍ଚଳରେ ମେ ୯ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି । ପୂର୍ବ ଅନୁମତି ବିନା ଭିଡ଼ କରିବା, ପ୍ରତିବାଦ କରିବା ଓ ଏକତ୍ରୀକରଣ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି

ଭୁବନେଶ୍ୱର: ରାଜସ୍ଥାନର ଦଙ୍ଗା ପ୍ରପୀଡ଼ିତ କରୌଲିକୁ ଯିବା ସମୟରେ ବିଜେପି ଜାତୀୟ ଯୁବ ମୋର୍ଚ୍ଚା ସଭାପତି ତଥା ସାଂସଦ ତେଜସ୍ୱୀ ସୂର୍ଯ୍ୟାଙ୍କୁ ପୋଲିସ ଉଠାଇ ନେଇଛି । ତେଜସ୍ୱୀ ବିଜେପି କର୍ମକର୍ତ୍ତାଙ୍କ ସହ କରୌଲି ଅଭିମୁଖେ ଯିବା ବେଳେ ରାସ୍ତାରେ ଦୁସୁଆ ସୀମାରେ ତାଙ୍କୁ ରାଜସ୍ଥାନ ପୋଲିସ ଅଟକ ରଖିଛି । ରାଜସ୍ଥାନ ବିଜେପି ସଭାପତି ସତୀଶ ପୁନିଆ ଶୋଭାଯାତ୍ରାର ନେତୃତ୍ୱ ନେଇ ଯାଉଥିଲେ ।

ବୁଧବାର ତେଜସ୍ୱୀ ଏକ ଫଟୋ ଟ୍ୱିଟ କରି କରୌଲି ଯିବାକୁ ତାଙ୍କ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ‘କୌଣସି ବି ପରିସ୍ଥିତି ଆସୁ, ଆମେ କରୌଲି ଯିବା । ଯଦି ଆମକୁ ପୋଲିସ ଅଟକାଏ, ଆମେ ଗିରଫ ହେବା ଏବଂ ଅଟକ ମଧ୍ୟ ହେବା ।’ ଶୋଭାଯାତ୍ରାରେ ସାମିଲ ସମସ୍ତ କର୍ମକର୍ତ୍ତାଙ୍କୁ ସେ ପ୍ରସ୍ତୁତ ବୋଲି ପ୍ରଶ୍ନ କରିଥିଲେ ।

ପୋଲିସ ଉଠାଇ ନେବା ପରେ ତେଜସ୍ୱୀ ପ୍ରତିକ୍ରିୟା ଦେଇଛନ୍ତି ଯେ, ‘ଆମେ ଯେଉଁଠି ଅଛୁ ସେଠାରେ ୧୪୪ ଧାରା ଜାରି ହୋଇନି । କରୌଲିକୁ ଯିବା ଆମର ସାମ୍ବିଧାନିକ ଅଧିକାର । କିନ୍ତୁ ଏକଛତ୍ରବାଦୀ ପୋଲିସ ଆମ ଅଧିକାର ଆମଠୁ ଛଡ଼େଇ ନେଉଛି ।’

ସୂଚନାଯୋଗ୍ୟ, ଜୟପୁର ପ୍ରଶାସନ ସ୍ଥାନୀୟ ଅଞ୍ଚଳରେ ମେ ୯ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି । ପୂର୍ବ ଅନୁମତି ବିନା ଭିଡ଼ କରିବା, ପ୍ରତିବାଦ କରିବା ଓ ଏକତ୍ରୀକରଣ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏପ୍ରିଲ ୨ରେ ହିନ୍ଦୁ ନବବର୍ଷ ପାଳନ ସମୟରେ କରୌଲିରେ ଦଙ୍ଗା ହୋଇଥିଲା ।

ଏକ ମୁସଲମାନ ବସ୍ତି ଦେଇ ବିଶ୍ୱ ହିନ୍ଦୁ ପରିଷଦର ଏକ ଶୋଭାଯାତ୍ରା ଯାଉଥିଲା । ସେହି ସମୟରେ ଶୋଭାଯାତ୍ରାରେ ଉତ୍ତେଜକ ନାରାବାଜି ହୋଇଥିଲା । ଯାହା ସେଠାରେ ପଥରମାଡ଼ର ଏକ ବାତାବରଣ ସୃଷ୍ଟି କରିଦେଲା ବୋଲି ପୋଲିସ କହିଛି । ଏହି ଘଟଣାରେ ପୋଲିସ ମୋଟ ୪୬ ଜଣଙ୍କୁ ଗିରଫ କରିଛି ଏବଂ ସାତ ଜଣଙ୍କୁ ପଚରାଉଚୁରା କରୁଛି । ପଥରମାଡ଼ରେ ଆଠି ଜଣ ପୋଲିସଙ୍କ ସହ ୧୧ ଜଣ ଆହତ ହୋଇଛନ୍ତି ।

Leave A Reply

Your email address will not be published.