Latest Odisha News

ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟ: କଳା ଛାତ୍ରଙ୍କ ପୋଷାକରେ ପରିସ୍ରା କଲେ ଗୋରା ସହପାଠୀ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟ ଯୋଗୁଁ କ୍ରିକେଟ ଦଳ ଉପରେ ଦୁଇ ଦଶନ୍ଧି ଧରି ପ୍ରତିବନ୍ଧକ ଲାଗିବା ଘଟଣା ବିଷୟରେ ସମସ୍ତେ ଜ୍ଞାତ । ସମୟାନୁସାରେ ଏଥିରେ ସଂସ୍କାର ଆସିବା ଏବଂ ପ୍ରତିବନ୍ଧକ ଉଠିଯାଇଛି । ହେଲେ ଏବେ ବି ଏଠାରେ ଦେଖିବାକୁ ମିଳୁଛି ଏପରି ନୀଚ ଚିନ୍ତାଧାରା ।

କେପଟାଉନର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଜଣେ କୃଷ୍ଣକାୟ/ କଳା ଛାତ୍ରଙ୍କ ଉପରେ ରବିବାର ହୋଇଛି ଅତି ଘୃଣ୍ୟ ଅତ୍ୟାଚାର । ଆଉ ଜଣେ ଗୋରା ଛାତ୍ର ତାଙ୍କ ବ୍ୟାଗ୍ ଏବଂ ପୋଷାକ ଉପରେ ପରିସ୍ରା କରିଦେଇଛନ୍ତି । ପ୍ରତିବାଦ ସମୟରେ ଗୋରା ଛାତ୍ର ଜଣକ ଆକ୍ରମଣ କରିବାକୁ ଯାଇ କହିଛନ୍ତି, “କଳା ମାନଙ୍କୁ ଏହା ସହିବାକୁ ପଡ଼ିବ ।”

ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ପରେ ଏହି ଭିଡିଓ ଉପରେ ପ୍ରତିବନ୍ଧକ ଲାଗିଥିବା ‘ରଏଟର୍ସ’ ଖବର ପ୍ରକାଶ କରିଛି । ଏହାକୁ ଦକ୍ଷିଣ ଆଫ୍ରିକା ସଂସଦୀୟ ଉଚ୍ଚଶିକ୍ଷା ପୋର୍ଟଫୋଲିଓ କମିଟି କଡ଼ା ସମାଲୋଚନା କରିଛି । ଅମାନବୀୟ କହି ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି ।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଦକ୍ଷିଣ ଆଫ୍ରିକା ଛାତ୍ର କଂଗ୍ରେସ ଏହାକୁ କଡ଼ା ନିନ୍ଦା କରିଛନ୍ତି । ବିଭିନ୍ନ ଛାତ୍ର ସଂଗଠନ ଏହା ବିରୋଧରେ ପ୍ରତିବାଦ କରିବା ସହ ରାସ୍ତାକୁ ଓହ୍ଲାଇଛନ୍ତି ।

୨୦୨୧ ର ଛାତ୍ରଛାତ୍ରୀ ଗଣନା ତଥ୍ୟ ଅନୁସାରେ ଏହି ବିଶ୍ୱବିଦ୍ୟାଳୟରେ ୫୪.୪ ପ୍ରତିଶତ ଗୋରା ଛାତ୍ରଛାତ୍ରୀ ପଢ଼ନ୍ତି । ୨୨.୫ ପ୍ରତିଶତ କୃଷ୍ଣକାୟ ଅର୍ଥାତ୍ କଳା ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ୧୯୧୮ରୁ ବିଶ୍ୱବିଦ୍ୟାଳୟ ହୋଇଥିବା ଏହି ଶିକ୍ଷାନୁଷ୍ଠାନରେ ପୂର୍ବରୁ ମାତ୍ରାଧିକ ଗୋରା ଛାତ୍ରଛାତ୍ରୀ ପଢୁଥିଲେ ।

Leave A Reply

Your email address will not be published.