Latest Odisha News

BREAKING NEWS

ଟଙ୍କାପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଥିବା ଯୁବକଙ୍କ ମୃତଦେହ ମିଳିଲା: ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କୁଆଖାଇ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ଯୁବକଙ୍କର ମୃତଦେହ ପ୍ରାୟ ୧୨ ଘଣ୍ଟାର ମାରାଥନ ସନ୍ଧାନ ପରେ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍‌ର ମାରାଥନ୍ ପ୍ରୟାସ ପରେ ନଦୀରୁ ମୃତଦେହ ବାହାର କରାଯାଇଛି । ଏହି ଅଘଟଣ ପରେ ମୃତକଙ୍କ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ପୁରୁଣା ଭୁବନେଶ୍ୱର ଅଞ୍ଚଳରୁ ଆସି ଟଙ୍କାପାଣି ବ୍ରିଜ୍ ନିକଟସ୍ଥ ସାଇ ମନ୍ଦିର ନିକଟରେ ପହଞ୍ଚିଥିଲେ । ସେ ବ୍ରିଜ୍ ଉପରେ ନିଜର ସ୍କୁଟି ଏବଂ ଜୋତା ଛାଡ଼ି ହଠାତ୍ କୁଆଖାଇ ନଦୀର ଉତ୍ତାଳ ଜଳରାଶିକୁ ଡେଇଁ ପଡ଼ିଥିଲେ । କିଛି ସ୍ଥାନୀୟ ଲୋକ ଏହା ଦେଖିବା ପରେ ତ୍ୱରିତ ପଦକ୍ଷେପ ନେଇ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇବା କ୍ଷଣି ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ରାତି ଅଧରୁ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଅନ୍ଧାର ଏବଂ ନଦୀର ପ୍ରଖର ସ୍ରୋତ ଯୋଗୁଁ ରାତିରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଆଜି ସକାଳେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯିବା ପରେ ନଦୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।

ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ମୃତକ ଜଣକ ଲଡ ଟାଉନ ଭୁବନେଶ୍ୱର ଅଞ୍ଚଳର ବାସିନ୍ଦା । ତେବେ ସେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ଏବଂ ନଦୀକୁ ଡେଇଁ ଆତ୍ମହତ୍ୟା କଲେ, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କାରଣ ଜଣାପଡ଼ିନାହିଁ । ପରିବାରରେ କୌଣସି ପାରିବାରିକ କଳହ, ମାନସିକ ଅବସାଦ କିମ୍ବା ଅନ୍ୟ କୌଣସି କାରଣ ରହିଥିଲା ​​କି ନାହିଁ, ସେ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି । ସ୍ଥାନୀୟ ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

Leave A Reply

Your email address will not be published.