ଲାହୋର: ଆନ୍ତର୍ଜାତୀୟ କ୍ରିକେଟ୍ ଜଗତରେ ପାକିସ୍ତାନ କ୍ରିକେଟ୍ ଟିମ୍ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାଆନ୍ତି । ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ଦଳକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା କ୍ରିକେଟ୍ କରିଡରରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ପିସିବି ପକ୍ଷରୁ କଡ଼ା ଅନୁଶାସନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦଳର କିଛି ପ୍ରମୁଖ ଖେଳାଳିଙ୍କର ମୋବାଇଲ୍ ଫୋନ୍ ନିଜ ହେପାଜତକୁ ବା ଜବତ କରି ନିଆଯାଇଛି ।
ଦଳ ମଧ୍ୟରେ ଅନୁଶାସନ ବଜାୟ ରଖିବା ଏବଂ ଗୁପ୍ତ ତଥ୍ୟ ବା ଡ୍ରେସିଂ ରୁମ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ରୋକିବା ପାଇଁ ବୋର୍ଡ ଏଭଳି ପଦକ୍ଷେପ ନେଇଛି । ପୂର୍ବରୁ ଅନେକ ଥର ପାକିସ୍ତାନୀ ଖେଳାଳିମାନେ ଅଭ୍ୟାସ ଶିବିର କିମ୍ବା ହୋଟେଲ୍ ରହଣି ସମୟର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ପରେ ବୋର୍ଡର ଗୋପନୀୟତା ନୀତି କ୍ଷତିଗ୍ରସ୍ତ ହୋଇଥିଲା। ଏପରିକି ଦଳୀୟ ରଣନୀତି ଏବଂ ଆଭ୍ୟନ୍ତରୀଣ ଆଲୋଚନା ମଧ୍ୟ ବାହାରକୁ ଲିକ୍ ହେବାର ଅଭିଯୋଗ ଆସିଥିଲା ।
ଏହି ସମସ୍ୟାର ସ୍ଥାୟୀ ସମଧାନ ପାଇଁ ପିସିବି କଡ଼ା ନିୟମ ଲାଗୁ କରିଛି । ଏଣିକି ଖେଳାଳିମାନେ ଗସ୍ତ ସମୟରେ କିମ୍ବା ମ୍ୟାଚ୍ ପୂର୍ବରୁ ନିଜ ପାଖରେ ମୋବାଇଲ୍ ଫୋନ୍ ରଖିପାରିବେ ନାହିଁ । ନିର୍ଦ୍ଦିଷ୍ଟ ସମୟ ପାଇଁ ଖେଳାଳିଙ୍କ ଠାରୁ ଫୋନ୍ ଜାଣିଶୁଣି ଜବତ କରାଯାଉଛି ଯାହାଫଳରେ ସେମାନେ ସମ୍ପୂର୍ଣ୍ଣ ଭାବେ ଖେଳ ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ ।
କ୍ରିକେଟ୍ ବିଶେଷଜ୍ଞଙ୍କ ମତରେ, ଖେଳାଳିଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଏହା ଏକ ପ୍ରକାର କଟକଣା ହୋଇଥିଲେ ମଧ୍ୟ, ଦଳର ପ୍ରଦର୍ଶନ ଏବଂ ଶୃଙ୍ଖଳା ସୁଧାରିବା ପାଇଁ ବୋର୍ଡ ପାଇଁ ଏହା ଜରୁରୀ ହୋଇପଡ଼ିଥିଲା । ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଏହି ନିଷ୍ପତ୍ତିକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।


Comments are closed.