ମୁମ୍ବାଇ: ପରଦାକୁ ଆସିଛି ସୈଫ୍ ଅଲ୍ଲୀ ଖାନ ଅଭିନୀତ ସିନେମା ‘ଲାଲ୍ କପ୍ତାନ୍’ । ଅକ୍ଟୋବର ୧୮ ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ୩ ଦିନରେ ୧ କୋଟି ୫ ଲକ୍ଷ ଟଙ୍କା ଆୟ କରିଛି । ନବଦୀପ ସିଂହଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ସିନେମା ହଲ ଗୁଡିକରେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
ଏହି ଚଳଚ୍ଚିତ୍ରରେ ୧୭୬୪ ବକ୍ସାର ଯୁଦ୍ଧର ୨୫ ବର୍ଷ ପରେ ଅଷ୍ଟାଦଶ ଶତାବ୍ଦୀର କାହାଣୀ ଦେଖିବାକୁ ମିଳିଛି। ଯେଉଁ ସମୟରେ ଇଂରେଜମାନେ ଧୀରେ ଧୀରେ ଭାରତ ଉପରେ କବ୍ଜା କରୁଥିଲେ। ଚଳଚ୍ଚିତ୍ରରେ ସୈଫ୍ଙ୍କ ଚରିିତ୍ରର ନାମ ଗୋସାଁଇ ରହିଛି। ସୈଫ୍ଙ୍କ ଜବରଦସ୍ତ ଲୁକ୍ ସହ ହାଇଭୋଲଟେଜ ଅଭିନୟ ଦର୍ଶକଙ୍କ ମନ ଜିତିବାରେ ସକ୍ଷମ ହୋଇଛି ।
ଚଳଚ୍ଚିତ୍ରଟିକୁ ନେଇ ଦର୍ଶକ ଓ ସମୀକ୍ଷକଙ୍କର ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି। ତେବେ ଆଗକୁ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ର ଭଲ ଆୟ କରିବ ବୋଲି ନିର୍ମାତା ଓ ଚଳଚ୍ଚିତ୍ର ସମୀକ୍ଷକମାନେ ଆଶା ପ୍ରକାଶ କରିଛନ୍ତି।
ଏହି ଚଳଚ୍ଚିତ୍ରରେ ସୈଫ୍ଙ୍କ ବ୍ୟତୀତ ଜୋୟା ହୁସୈନ, ଦୀପକ ଡୋବରିୟା, ମାନବ ବିଜ ଓ ସିମୋନ ସିଂହ ପ୍ରମୁଖ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।