ଭୁବନେଶ୍ୱର: ଅବିକା ବୁକ୍ ହାଇଭ୍ ପ୍ରକାଶନୀ ତରଫରୁ ‘ବହିଟିଏ ସହୀଟିଏ’ ଅଭିଯାନ କ୍ରମରେ ଲେଖକ ଦେବଜ୍ୟୋତି ଅବିନାଶ ଇନ୍ଦ୍ରଜିତଙ୍କ ଅତିଭୌତିକ ଗଳ୍ପ ସଙ୍କଳନ ‘ଇନ୍ଦ୍ରଜାଲ’ର ସ୍ୱତନ୍ତ୍ର ପୁସ୍ତକ ଉନ୍ମୋଚନ ପର୍ବ ସ୍ଥାନୀୟ ରେଡକ୍ରସ୍ ଭବନଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଲେଖକ, ପାଠକ ଏବଂ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ।
ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ଅବିକା ବୁକ୍ ହାଇଭ୍ର ନିର୍ଦ୍ଦେଶକ ଅବିନାଶ ସାହୁ ସ୍ୱାଗତ ଅଭିଭାଷଣ ଦେବା ପରେ ନିମନ୍ତ୍ରିତ ଅତିଥିମାନଙ୍କୁ ଉପହାର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏହି ସାହିତ୍ୟିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାଶିଳ୍ପୀ ଦେବପ୍ରସାଦ ଦାଶ ଯୋଗଦେଇ ପୁସ୍ତକଟିର ଭାବବସ୍ତୁ ଓ ଅତିଭୌତିକ ଶୈଳୀର ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଗାଳ୍ପିକା ହିରଣ୍ମୟୀ ମିଶ୍ର, ଗାଳ୍ପିକ ଓ ଉପନ୍ୟାସିକ ଅମରେଶ ବିଶ୍ୱାଳ ଏବଂ ଯୁବ କଥାକାର ଦେବବ୍ରତ ଦାସ ନିଜ ନିଜର ବକ୍ତବ୍ୟରେ ଓଡ଼ିଆ ସାହିତ୍ୟରେ ଅତିଭୌତିକ ଗଳ୍ପର ଆବଶ୍ୟକତା ଓ ‘ଇନ୍ଦ୍ରଜାଲ’ର ରଚନାଶୈଳୀ ଉପରେ ଆଲୋକପାତ କରିଥିଲେ।
ପରିଶେଷରେ ଲେଖକ ଦେବଜ୍ୟୋତି ଅବିନାଶ ଇନ୍ଦ୍ରଜିତ ନିଜ ସୃଜନଶୀଳ ଯାତ୍ରା ଓ ‘ଇନ୍ଦ୍ରଜାଲ’ ରଚନାର ପୃଷ୍ଠଭୂମି ସମ୍ପର୍କରେ ଲେଖକୀୟ ବକ୍ତବ୍ୟ ରଖିଥିଲେ।
ଅତିଥିମାନଙ୍କର ସୁନ୍ଦର ପରିଚୟ ଦେବା ସହିତ ସୁଚାରୁ ରୂପେ ମଞ୍ଚ ସଞ୍ଚାଳନା କରିଥିବାରୁ ସଞ୍ଚାଳିକା ଶ୍ରୀଲେଖାଙ୍କୁ ଅବିକା ବୁକ୍ ହାଇଭ୍ ତରଫରୁ ଅତିଥିମାନଙ୍କ ଦ୍ୱାରା ଉପହାର ଦେଇ ସମ୍ମାନିତ କରାଯାଇଥିଲା।
ଶେଷରେ ପ୍ରକାଶକ ଯୁବ ଲେଖକ ଅଂଶୁମାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

