Latest Odisha News

BREAKING NEWS

ମହାନଦୀରେ ବଢୁଛି ବନ୍ୟା ଭୟ: ବଡ଼ମ୍ବା ଭଟ୍ଟାରିକା ପୀଠରେ ୧୬୩ ଧାରା ଲାଗୁ, ମନ୍ଦିର ଛୁଇଁଲା ବନ୍ୟାଜଳ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଏବଂ ହୀରାକୁଦ ଜଳଭଣ୍ଡାରରୁ ଲଗାତର ବନ୍ୟାଜଳ ନିଷ୍କାସନ ଫଳରେ ମହାନଦୀରେ ଜଳସ୍ତର ବିପଦଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାର ସିଧାସଳଖ ପ୍ରଭାବ କଟକ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳ ଉପରେ ପଡ଼ିବା ଆରମ୍ଭ ହୋଇଗଲାଣି । ବିଶେଷ କରି ମହାନଦୀ ଅବବାହିକାରେ ଥିବା ବଡ଼ମ୍ବା, ବାଙ୍କୀ, ଆଠଗଡ଼, ତିଗିରିଆ ଏବଂ ନରସିଂହପୁର ଭଳି ସ୍ଥାନଗୁଡ଼ିକରେ ବନ୍ୟା ଆଶଙ୍କା ଘନୀଭୂତ ହେଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମସ୍ତ ଅଞ୍ଚଳକୁ ହାଇ ଆଲର୍ଟରେ ରଖାଯାଇଛି ।

ଏହି ବନ୍ୟା ପରିସ୍ଥିତିର ସବୁଠାରୁ ବଡ଼ ପ୍ରଭାବ ବଡ଼ମ୍ବା ସ୍ଥିତ ପ୍ରସିଦ୍ଧ ଶାକ୍ତ ପୀଠ ମା’ ଭଟ୍ଟାରିକାଙ୍କ ମନ୍ଦିର ଉପରେ ଦେଖିବାକୁ ମିଳିଛି । ଉଛୁଳା ମହାନଦୀର ବନ୍ୟାଜଳ କୂଳ ଲଙ୍ଘି ଆସି ଭଟ୍ଟାରିକା ମନ୍ଦିରର ବେଢ଼ାକୁ ଛୁଇଁଲାଣି । ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏବଂ ପାଣିର ସୁଅ ଅତ୍ୟନ୍ତ ତୀବ୍ର ଥିବାରୁ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ଏକ ବଡ଼ ପଦକ୍ଷେପ ନେଇଛି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଭଟ୍ଟାରିକା ପୀଠ ଓ ଏହାର ଆଖପାଖ ଅଞ୍ଚଳରେ ଭାରତୀୟ ନ୍ୟାୟ ସଂହିତାର ୧୬୩ ଧାରା (ପୂର୍ବର ୧୪୪ ଧାରା) ଜାରି କରାଯାଇଛି । ସାଧାରଣ ଲୋକ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କୁ ନଦୀକୂଳ କିମ୍ବା ମନ୍ଦିର ପରିସରକୁ ଯିବା ଲାଗି ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ଅନ୍ୟପକ୍ଷରେ, ଜଳସ୍ତର ଆହୁରି ବଢ଼ିଲେ ମନ୍ଦିରର ଗର୍ଭଗୃହରେ ବନ୍ୟାପାଣି ପଶିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ମନ୍ଦିରର ସେବାୟତମାନେ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଯଦି ପରିସ୍ଥିତି ସଙ୍ଗିନ ହୁଏ, ତେବେ ପୂର୍ବ ପରମ୍ପରା ଅନୁଯାୟୀ ମା’ ଭଟ୍ଟାରିକାଙ୍କୁ ସୁରକ୍ଷିତ ଭାବେ ଉଚ୍ଚ ସ୍ଥାନରେ ଥିବା ମନ୍ଦିରର ରୋଷଘରକୁ ସ୍ଥାନାନ୍ତର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେବାୟତମାନେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ର ୨୮ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସିତ ହେଉଛି । ଫଳରେ କଟକର ମୁଣ୍ଡଳୀ ବ୍ୟାରେଜ୍ ଦେଇ ପ୍ରାୟ ୪.୫୮ ଲକ୍ଷ କ୍ୟୁସେକ୍‌ରୁ ଊର୍ଦ୍ଧ୍ୱ ଜଳ ପ୍ରବାହିତ ହେଉଛି ଏବଂ ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହି ଜଳପ୍ରବାହ ଆହୁରି ବୃଦ୍ଧି ପାଇପାରେ । ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବଡ଼ମ୍ବା, ନରସିଂହପୁର ଓ ବାଙ୍କୀର ତଳିଆ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି । ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ପାଇଁ ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀକୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଛି।

Leave A Reply

Your email address will not be published.