Latest Odisha News

BREAKING NEWS

ପୁସ୍ତକ ପରିଚୟ : ଖରା ଛାଇର ଖେଳ

ଖରା ଛାଇର ଖେଳ
ଗାଳ୍ପିକା : ଅନସୂୟା ପଣ୍ଡା
ପ୍ରକାଶକ : ପଶ୍ଚିମା ପବ୍ଲିକେଶନ
ନୟାପଲ୍ଲୀ, ଭୁବନେଶ୍ୱର -୧୨
ପୃଷ୍ଠା : ୧୧୮
ମୂଲ୍ୟ : ୧୨୦

ଜୀବନ କେବେବି କଳ୍ପନା ନୁହେଁ ବରଂ ବାସ୍ତବତାରେ ସଜଡ଼ା ଯାଇଥିବା କାଚଘର । ଏହି ଉକ୍ତିର ମର୍ମରେ ତେଇଶଟି ଗଳ୍ପକୁ ନେଇ ଗାଳ୍ପିକା ଅନସୂୟା ପଣ୍ଡାଙ୍କର ଗଳ୍ପ ସଙ୍କଳନ “ଖରା ଛାଇର ଖେଳ”ର କଳେବର ସମୃଦ୍ଧ । ମଣିଷ ଜୀବନର ଅନେକ ଅବସ୍ଥା ଯେପରିକି ଦୁଃଖ, କଷ୍ଟ , ରାଗ , ବିରହ, ପ୍ରେମ, ସଂଘର୍ଷ, ପ୍ରାପ୍ତି ତଥା ଆହୁରି ଅନେକ କଥାକୁ ନେଇ ଗାଳ୍ପିକା ଖୁବ ନିଆରା ଢଙ୍ଗରେ ଉପସ୍ଥାପିତ କରିଛନ୍ତି ପ୍ରତିଟି ଗପ। କେଉଁଠି ମଣିଷ ପ୍ରେମରେ ବୁଡି ଯାଇଛି ତ କେଉଁଠି ବିରହର ଦହନରେ ଜଳିଛି। କେବେ ବାଟ ପାଇଛି ତ କେବେ ବାଟ ଥାଉ ଥାଉ ବାଟବଣା ହୋଇଛି। ଆଭିଜାତ୍ୟର ଓଢ଼ଣୀ ଭିତରେ ସାଭିମାନୀ ମନ ଖୁବ୍ କଷ୍ଟ ପାଇଛି। କିନ୍ତୁ ସେ କଷ୍ଟ ଭିତରୁ ସାଉଁଟି ନେଇଛି ପୁଳାଏ ଜୀବନ। ବର୍ଷାର ବାସ୍ନାରେ ବିଭୋର ହୋଇଛି । ସେଇ ବିଭୋରତାରେ ମେଣ୍ଟାଇନେଇଛି ଅଭାବବୋଧ।ମଣିଷର ନିଜର କ’ଣ ବି ଥାଏ ? ନିଜ ଘର ଭିତରେ ଅଲଗା ଅଲଗା କରି ସଜାଡ଼ି ରଖେ ଆକାଶ ଓ ପୃଥିବୀ। ବ୍ୟକ୍ତିଗତ ଭାବରେ ମାପୁଥାଏ ସେ ଭିତରର ଶୁନ୍ୟତା। ଶୁନ୍ୟତା ଭିତରେ ଅପାରଗତା । ଜୀବନ ସାରା ଯତ୍ନରେ ବଢ଼େଇଥିବା ବିଶ୍ୱାସର ରଙ୍ଗ ବି ଫିକା ହୋଇଯାଏ ସେ ଶୁନ୍ୟତାରେ। ତଥାପି ଜହ୍ନ ଦିଶେ। ପୁରୁଣା ଚିଠି ଭିତରୁ ଖୋଜି ହୋଇଯାଏ ପ୍ରତ୍ୟୟ। ସମୟ ଠିକ ତା ବେଳରେ ଧାଉଁଥାଏ।

ବେଳେ ବେଳେ ପ୍ରେମ ଆନମନା କରେ କିନ୍ତୁ ଅପରିପୂର୍ଣ୍ଣ ଜୀବନରେ ରଙ୍ଗ ବୋଳିଦିଏ। ଅସମାହିତ ରହସ୍ୟ ଭିତରେ ଆଶ୍ୱାସନା ଆଣିଦିଏ।। ଗୋଟିଏ ପଟ ପାଉଁଜିରେ ବି ଜୀବନ ଝଙ୍କାର ତୋଳେ। ବେଳେ ବେଳେ ନିଶୁନ କରିଦିଏ। ଅଜଣା ପାଚେରୀଟେ ଠିଆ ହୁଏ ମଝିରେ। ନୀରବତା ଖୁବ ମଧୁର ହୋଇଯାଏ। ଏମିତି ତ ଜୀବନ । ଏମିତି ହିଁ ତାର କଥା ଓ କାହାଣୀ। କେତେବେଳେ ଗୋପନ ଗଣ୍ଠି ଫିଟେଇବା ପୂର୍ବରୁ ହନ୍ତ ସନ୍ତ ହେବାକୁ ପଡ଼େ। ଆଉକେବେ ହୃଦୟ ଖୋଲା ହସରେ ବି ସାଙ୍କୁଡ଼ି ଯାଏ ମନ। ମଣିଷ ଦୁଃଖ ପାଇଲା ବେଳେ ହିଁ ଆଶ୍ୱାସନା ଲୋଡ଼େ। ସାଥିଟିଏ ଖୋଜେ। କିନ୍ତୁ ଦେହସୁହା ହୋଇଗଲେ ଦୃଢ଼ ହୋଇଯାଏ। ମଣିଷ ଯେତିକି ଅନ୍ୟକୁ ଜାଣେ, ସେତିକି ଦୂରକୁ ଘୁଞ୍ଚିଯାଏ। ମନ ପୋଡ଼ିଗଲେ ବି ଓଠରେ ଫୁଲ ଫୁଟାଏ। ଖୁସିର ଜୁଆର ଆଣେ । ରାତି ଭିତରେ ଲୁଚେଇ ରଖେ ଲୁହ। ହାତ ମୁଠାରେ ଜାବୁଡ଼ି ଧରେ ବିଶ୍ୱାସ। ଏଇତ ଜୀବନ । ପାପ ହେଉ କି ପବିତ୍ର ସବୁବେଳେ ନିଜର।

ବାସ୍ତବରେ ଗାଳ୍ପିକା ଗଳ୍ପ ମାଧ୍ୟମରେ ଖୁବ ସରଳ ଆଉ ସୁନ୍ଦର ଭାବରେ ଜଣେଇ ଦେଇଛନ୍ତି ଜୀବନର ତତ୍ତ୍ୱ। ସମାଜର ରୀତିନୀତି ଭିତରେ ମଣିଷର ଦୋଦୁଲ୍ୟମାନ ମାନସିକ ସ୍ଥିତି। ସମସ୍ୟା ପୁଣି ସମାଧାନ , ସେଇ ସମାଧାନ ଭିତରେ ଖରା ଆଉ ଛାଇର ଅବସ୍ଥିତି। ଖରା ନଥିଲେ ଛାଇର ଅବସ୍ଥିତି ନାହିଁ। ଛାଇ ଅଛି ବୋଲି ଖରାର ଅସ୍ତିତ୍ୱ ଜଣାପଡୁଛି। ଉଭୟ ପରିପୂରକ। ଜୀବନର କଥା କହିଥିବା ଗାଳ୍ପିକା ଶ୍ରୀମତୀ ପଣ୍ଡାଙ୍କର ଏଇ ଗଳ୍ପ ସଙ୍କଳନ ” ଖରା ଛାଇର ଖେଳ ” ବିପୁଳ ପାଠକୀୟ ଆଦୃତି ସାଉଁଟିବ ଏଥିରେ କୌଣସି ସନ୍ଦେହ ନାହିଁ।

Leave A Reply

Your email address will not be published.