Latest Odisha News

BREAKING NEWS

ୟୁପିରେ ଅଖିଲେଶ ବାଣ, ସତ ‘ଯୋଗୀ’ ହୁଅନ୍ତୁ, ମଣିପୁର ପ୍ରସଙ୍ଗରେ କୁହନ୍ତୁ

ଭୁବନେଶ୍ୱର: ମଣିପୁରକୁ ନେଇ ଉତ୍ତରପ୍ରଦେଶରେ ଲଢେଇ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଅଖିଲେଶ ଯାଦବ ବିଧାନସଭାରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।

ଗୃହରେ ନିନ୍ଦା ପ୍ରସ୍ତାବ ଆଗତ ପାଇଁ ଦାବି କରିଥିଲେ। ସାରା ଦେଶରେ ଏ ସମ୍ପର୍କରେ ଚର୍ଚ୍ଚା ହେଉଥିବା ବେଳେ ଦେଶର ସବୁଠୁ ବଡ ରାଜ୍ୟ ଭାବେ ୟୁପିର ବିଧାନସଭାରେ ଏ ପ୍ରସଙ୍ଗରେ ନିନ୍ଦା ପ୍ରସ୍ତାବ ଆଗତ ହେବା ଦରକାର ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଦାବି କରିଛନ୍ତି।

ଏପରିକି ଖୋଦ ଦେଶର ପ୍ରଧାନମନ୍ତ୍ରୀ ଏହି ରାଜ୍ୟର ସାଂସଦ ହୋଇଥିବାରୁ ଦେଶର ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଚର୍ଚ୍ଚା ହେବାର ଆବଶ୍ୟକତା ରହିଛି। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଣିପୁର ପ୍ରସଙ୍ଗରେ ଗୃହରେ କିଛି କହିବାକୁ ଦାବି ହୋଇଛି।

କିନ୍ତୁ ମଣିପୁର ପ୍ରସଙ୍ଗ ୟୁପି ବିଧାନସଭା ବିଜନେସର ଏକ ଅଂଶ ହୋଇ ନ ଥିବାରୁ ଏ ସମ୍ପର୍କରେ ଆଲୋଚନା କରିବାକୁ ବାଚସ୍ପତି ସତୀଶ ମାହାନା ଅନୁମତି ଦେଇ ନ ଥିଲେ।

ଏପରିକି ଅଖିଲେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ସତ ଯୋଗୀ ହୋଇ ମଣିପୁର ପ୍ରସଙ୍ଗରେ କୁହନ୍ତୁ ବୋଲି କହିଥିଲେ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ସେହିପରି ୟୁପି ବିଧାନ ପରିଷଦରେ ମଧ୍ୟ ମଣିପୁର ତାତି ଦେଖିବାକୁ ମିଳିଛି। ମଣିପୁରରେ ମହିଳାଙ୍କ ବିରୋଧରେ ଘୃଣ୍ୟ ଅପରାଧକୁ ନେଇ ସମାଜବାଦୀ ପାର୍ଟିର ସଦସ୍ୟମାନେ ହଙ୍ଗାମା କରିଥିଲେ। ତେଣୁ ମଣିପୁର ରେ ହିଂସା ଥମିବାର ନାଁ ନେଉ ନ ଥିବାବେଳେ ସାରା ଦେଶରେ ଏହା ରାଜନୈତିକ ପ୍ରସଙ୍ଗ ପାଲଟିଛି।

ବିଜେପିକୁ ବିଭିନ୍ନ ରାଜ୍ୟରେ ବିରୋଧୀମାନେ ଘେରିବା କାର୍ଯ୍ୟକୁ ତୀଵ୍ର କରିଛନ୍ତି। ସେପଟେ ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଅଧିକ ସିଟ ଜିତିବାକୁ ବିଜେପି ବଡ଼ ଯୋଜନା କରିଥିବା ବେଳେ ମଣିପୁର ପ୍ରସଙ୍ଗ ନେଇ ବିରୋଧୀ ସମାଜବାଦୀ ପାର୍ଟି ୟୁପିର ବିଜେପି ସରକାରକୁ ଘେରିବା ଆରମ୍ଭ କରିଛି।

ବିରୋଧୀ ମେଣ୍ଟ ଇଣ୍ଡିଆରେ ଥିବା ବିରୋଧୀ ଦଳ ଗୁଡିକ ବିଭିନ୍ନ ରାଜ୍ୟରେ ମଣିପୁର ପ୍ରସଙ୍ଗକୁ ବିଜେପି ବିରୋଧରେ ପ୍ରମୁଖ ଅସ୍ତ୍ର କରିବା ସହଁ ନିର୍ବାଚନ ପୂର୍ବରୁ ବାତାବରଣ ପ୍ରସ୍ତୁତ କରିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.