Latest Odisha News

BREAKING NEWS

କନ୍ଧମାଳରେ BSKY ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କନ୍ଧମାଳରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୬ଲକ୍ଷ ୫୦ହଜାର ଲୋକ ଏହି ସୁବିଧା ପାଇବେ । ଏହାସହ ଜିଲ୍ଲାର ପ୍ରାୟ ୨୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଫୁଲବାଣୀ ମିନି ଷ୍ଟାଡ଼ିୟମରେ ପହଞ୍ଚିବା ସହ ହିତାଧିକାରୀଙ୍କୁ ପ୍ରଦାନ କରିଥିଲେ BSKY ସ୍ମାର୍ଟ କାର୍ଡ଼ ।

ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତିି ଯେ, କନ୍ଧମାଳ ହେଉଛି ସୁନାର ଭୂଇଁ । ଏହି ମାଟିରେ ସୁନା ଫଳେ । କନ୍ଧମାଳର ହଳଦୀ ସାରା ବିଶ୍ୱରେ ବ୍ରାଣ୍ଡଭାବେ ପ୍ରତିଷ୍ଠା ପାଇପାରିଛି । ତେଣୁ ଏହି ଦିଗରେ କନ୍ଧମାଳରେ ବହୁ ସୁଯୋଗ ରହିଛି । ଇକୋ-ଟୁରିଜିମ୍ ପାଇଁ କନ୍ଧମାଳ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇ ରହିଛି । କନ୍ଧମାଳର ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି । ବିଜୁ ସେତୁ ଯୋଜନାରେ ଜିଲ୍ଲାରେ ୧୨୦କୋଟି ଟଙ୍କା ବିନିଯୋଗରେ ୬୯ଟି ଗ୍ରାମ ପଞ୍ଚାୟତରେ ଯୋଗାଯୋଗର ଉନ୍ନତି କରାଯାଇଛି । ଏହାଦ୍ୱାରା ୨ଲକ୍ଷ ଲୋକ ଉପକୃତ ହୋଇଛନ୍ତି ।

ବାଲିଗୁଡ଼ାରେ ୨୨୦/୩୩କେଭି ଗ୍ରୀଡ଼ ସବଷ୍ଟେସନ କାମ ଶୀଘ୍ର ସରିବ । ଏହାଦ୍ୱାରା କେ. ନୂଆଗାଁ, ତୁମୁଡ଼ିବନ୍ଧ, କୋଟଗଡ଼, ଦାରିଙ୍ଗବାଡ଼ି, ବାଲିଗୁଡ଼ା ବ୍ଲକର ୭୦ହଜାର ପରିବାର ଲୋକ ଉପକୃତ ପାଇବେ । ଏହାଦ୍ୱାରା ପାଇପ ପାଣି ଯୋଗାଣରେ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୫୦୪କୋଟି ଟଙ୍କା ବିନିଯୋଗରେ କନ୍ଧମାଳରେ ୫ଶହ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ ଓ ହସ୍ପିଟାଲ କାମ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ମାର୍ଟ କାର୍ଡ଼ ଦ୍ୱାରା ଦେଶର ୨ଶହରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ । କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ଡ.ଅଚ୍ୟୁତାନନ୍ଦ ସାମନ୍ତ ଓ ବିଧାୟକ ଅଙ୍ଗଦ କହଁର ପ୍ରମୁଖ ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ଼ ରାଜ୍ୟବାସୀଙ୍କ ପାଇଁ ଆର୍ଶୀବାଦ ସାବ୍ୟସ୍ତ ହୋଇଛି ବୋଲି କହିଥିଲେ ।

Leave A Reply

Your email address will not be published.