Latest Odisha News

ଜିଓ, ଏୟାରଟେଲଠୁ ବି ବହୁତ କମ୍ ଦାମରେ ୯୦ ଦିନର ଅସୀମିତ କଲ୍ ସୁବିଧା ଏବେ ବିଏସଏନଏଲରେ

ନୂଆଦିଲ୍ଲୀ: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଏବେ ପୁଣି ଚର୍ଚ୍ଚାରେ । ସାରା ଦେଶରେ ମୋବାଇଲ୍ ବ୍ୟବହାରକାରୀଙ୍କ ଦୀର୍ଘ ଦିନର ଚାହିଦା ପୂରଣ କରିବାକୁ ଯାଇ ଜିଓ, ଏୟାରଟେଲ୍ ଏବଂ ଭିଆଇକୁ ପଛରେ ପକାଇ କମ୍ପାନୀ ଏକ ନୂତନ ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି। ତେବେ ଏହି ରିଚାର୍ଜ ପ୍ଲାନରେ ଆପଣଙ୍କୁ ଇଣ୍ଟରନେଟ୍ ମିଳିବ ନାହିଁ । ଅର୍ଥାତ୍ ଏହି ପ୍ଲାନ ରିଚାର୍ଜ କଲେ ଆପଣ ଇଣ୍ଟରନେଟ୍ ଚଲାଇପାରିବେ ନାହିଁ ।

୯୦ ଦିନର ବୈଧତା ସହିତ ଏହି ପ୍ରିପେଡ୍ ପ୍ଲାନ ଉପଭୋକ୍ତାମାନଙ୍କ ପାଇଁ ବେଶ୍ ଲାଭଦାୟକ ହେବ । ଖାସ୍ କରି ସେହି ଉପଭୋକ୍ତାଙ୍କ ପାଇଁ ଯେଉଁମାନେ ଅଧିକ ଡାଟା ଆବଶ୍ୟକ କରନ୍ତି ନାହିଁ କିନ୍ତୁ ଅଧିକ ଦିନକ ବୈଧତା ଚାହାଁନ୍ତି । ଏହି ଯୋଜନା ସିମ୍ କୁ ସକ୍ରିୟ ରଖିବା ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଲାଭ କରିବା ପାଇଁ ଉପଯୁକ୍ତ । ବିଏସଏନଏଲର ଏହି ୯୦ ଦିନର ପ୍ରିପେଡ୍ ଯୋଜନାର ମୂଲ୍ୟ ୪୫୦ରୁ ମଧ୍ୟ କମ୍ ଅଟେ । ଆଜ୍ଞା ହଁ ୪୩୯ଟଙ୍କା ମୂଲ୍ୟର ଏହି ସ୍ପେଶାଲ୍ ଟାରିଫ୍ ଭାଉଚର୍ ଦ୍ଵାରା ଉପଭୋକ୍ତା ୯୦ ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍ କଲ୍ ଏବଂ ମେସେଜର ସୁବିଧା ଉଠାଇପାରିବେ ।

ବିଏସଏନଏଲର ଏହି ସ୍ୱତନ୍ତ୍ର ୪୩୯ ଟଙ୍କିଆ ଶୁଳ୍କ ଭାଉଚରରେ କେବଳ ୯୦ ଦିନ ପାଇଁ ଅସୀମିତ କଲିଂ, ୩୦୦ ମଗଣା ମେସେଜ ପାଇପାରିବେ । ତେବେ ଜରୁରୀ ସମୟରେ ଯଦି ଆପଣଙ୍କୁ ଡାଟା ଆବଶ୍ୟକ ହୁଏ ତେବେ ଆପଣ ଅଲଗା ଡାଟା ରିଚାର୍ଜ କରିପାରିବେ । ଡୁଆଲ୍ ସିମ୍ ବ୍ୟବହାରକାରୀଙ୍କ ପାଇଁ ଏହା ଏକ ଭଲ ବିକଳ୍ପ ହୋଇପାରେ । ଯେଉଁମାନେ କେବଳ ସେମାନଙ୍କର ସିମ୍ ସକ୍ରିୟ ରଖିବାକୁ ଚାହାଁନ୍ତି ସେମାନଙ୍କ ପାଇଁ ଏହା ସବୁଠାର ଭଲ ବିକଳ୍ପ ।

ତେବେ କହିରଖୁଛୁ ଯେ, ବର୍ତ୍ତମାନ ସମୟ ପର୍ଯ୍ୟନ୍ତ କୌଣସି ଘରୋଇ ଟେଲିକମ୍ କମ୍ପାନୀ ତା’ର ଗ୍ରାହକମାନଙ୍କ ପାଇଁ ୯୦ ଦିନର ପ୍ରିପେଡ୍ ଯୋଜନା ଆଣିନାହିଁ । ଅନେକ ଦିନ ଧରି ଜିଓ, ​​ଏୟାରଟେଲ ଏବଂ ଭିଆଇ ଭଳି ଟେଲିକମ୍ ପ୍ରଦାନକାରୀ କମ୍ପାନୀଙ୍କ ଠାରୁ ଲକ୍ଷ ଲକ୍ଷ ମୋବାଇଲ୍ ବ୍ୟବହାରକାରୀ କେବଳ ଭଏସ୍ କଲିଂ ପାଇଁ ସ୍ଵତନ୍ତ୍ର ରିଚାର୍ଜ ପ୍ଲାନ ଆଣିବାକୁ ଦାବି କରୁଥିଲେ। ଏଭଳି ପରିସ୍ଥିତିରେ ବିଏସଏନଏଲର ଏହି ନୂତନ ଅଫର ଗ୍ରାହକଙ୍କ ପାଇଁ ବହୁ ପରିମାଣରେ ଲାଭଦାୟକ ହେବ ବୋଲି କୁହାଯାଉଛି ।

Comments are closed.