Latest Odisha News

BREAKING NEWS

ଆଜି ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ପାର୍ଲାମେଣ୍ଟ ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚତୁର୍ଥ ଥର ବଜେଟ୍ ଉପସ୍ଥାପନ କରିବେ । ଦେଶରେ କରୋନା ମହାମାରୀ ପ୍ରକୋପ ଭିତରେ ଦ୍ୱିତୀୟ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ତୃତୀୟ ଲହର ଭିତରେ ବଜେଟ୍ ଆସୁଥିବାରୁ କେଉଁ କ୍ଷେତ୍ରକୁ ପ୍ରାଥମିକତା ଦେବେ ସରକାର ତାଉପରେ ସମସ୍ତଙ୍କର ନଜର ରହିଛି ।

ସକାଳ ୧୧ଟା ବେଳେ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ । ସକାଳ ୯ଟାରେ ନିଜ୍ ଟିମ୍ ସହ ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ଭବନ ଅଭିମୁଖେ ଯିବେ । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟକୁ ବଜେଟ୍ ବାବଦରେ ସୂଚନା ଦେବେ ନିର୍ମଳା ସୀତାରମଣ । ତାପରେ ସଂସଦ ଅଭିମୁଖେ ବାହାରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ।

ଚଳିତ ବଜେଟରେ ସରକାରଙ୍କ ଫୋକସରେ ରହିବ କୃଷି ଓ କୃଷକଙ୍କ ସମେତ ଏମଏସଏମଇ ସେକ୍ଟର । ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନାରେ ଟଙ୍କା ବୃଦ୍ଧି କରିପାରନ୍ତି ସରକାର । ମନରେଗା ଯୋଜନା ବାବାଦରେ ବଡ଼ ଘୋଷଣା କରିପାରନ୍ତି । ଦେଶର ମଧ୍ୟମ ବର୍ଗଙ୍କୁ ବଜେଟରେ ଆଶ୍ୱସ୍ତି ଦେଲା ଭଳି ଘୋଷଣା କରିପାରନ୍ତି ନିର୍ମଳା ସୀତାରମଣ । ଆୟକର ସୀମାରେ ରିହାତି ଆଶା କରାଯାଉଛି । କରୋନା ମାଡ଼ରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ପାଇଁ ନିର୍ମଳା କି ଘୋଷଣା କରିବେ ତାଉପରେ ନଜର ରହିଛି ।

ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଶିକ୍ଷା, ଗ୍ରାମୀଣ ବିକାଶ, ରୋଜଗାର, ପାନୀୟ ଜଳ, ଯୋଗାଯୋଗ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ସରକାର ବ୍ୟୟବରାଦ ବଢ଼ାଇ ପାରନ୍ତି । ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି । ସେସବୁ ରାଜ୍ୟକୁ ଦୃଷ୍ଟିରେ ରଖି ବଜେଟରେ କିଛି ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । ଚାଷୀଙ୍କୁ ଖୁସି କରିବା ପାଇଁ ବଜେଟରେ ସ୍ୱତନ୍ତ୍ର ଘୋଷଣା ଆଶା କରାଯାଉଛି ।

Comments are closed, but trackbacks and pingbacks are open.