Latest Odisha News

BREAKING NEWS

ବିଜୁ ଯୁବ ଜନତା ଦଳ ନେତାଙ୍କ ବିସ୍ଫୋରକ ବୟାନ: ‘ମାନସ ମଙ୍ଗରାଜଙ୍କ କଥାରେ ଭୋଟ ଦେଇଥିଲେ ସସ୍ମିତ୍’

ଭୁବନେଶ୍ବର: ଦିନ ଗଡିବା ସାଙ୍ଗରେ ବଢିଚାଲିଛି ବିଜେଡି ଭିତରେ ଉଷ୍ମତା । ପ୍ରତିଦିନ ନୂଆ ନୂଆ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସୁଛି । ବିଜେଡିର ବରିଷ୍ଠ ନେତାମାନେ ଏନେଇ ବଡ ବଡ ବୟାନ ରଖିଥିବା ବେଳେ ଆଜି ଓ୍ବାକଫ୍ ବିଲ ସପକ୍ଷରେ ସସ୍ମିତଙ୍କ ଭୋଟକୁ ନେଇ ବିସ୍ଫୋରକ ବୟାନ ରଖିଛନ୍ତି ବିଜୁ ଯୁବ ଜନତା ଦଳ ନେତା ନୀଳମାଧବ ମହାନ୍ତି ।

ଏନେଇ ନୀଳ ମାଧବ କହିଛନ୍ତି, ବିଲ୍‌କୁ ସମର୍ଥନ ପଛରେ ଡିଲ୍‌ କରିଛନ୍ତି ବିଜେଡି ନେତା ମାନସ ମଙ୍ଗରାଜ । ମାନସଙ୍କ କଥାରେ ସସ୍ମିତ୍ ଏପରି କରିଛନ୍ତି ବୋଲି ସେ ଦୃଢୋକ୍ତି ବାଢିଛନ୍ତି । ସେ କହିଛନ୍ତି, ଭୋଟିଂ ପରଦିନ ଯୁବ ଛାତ୍ର ଦଳର ନେତା ସସ୍ମିତ ପାତ୍ରଙ୍କୁ ଫୋନ୍‌ କରି ପଚାରିଥିଲେ, ସେ ଏପରି କାହିଁକି କଲେ, ମାନସ କହିଥିଲେ ତାଙ୍କୁ ନିର୍ଦ୍ଦେଶ ଥିଲା । ନିର୍ଦ୍ଦେଶ କିଏ ଦେଇଥିଲା ବୋଲି ପ୍ରଶ୍ନ କରାଯିବାରୁ ସେ ମାନସ ମଙ୍ଗରାଜଙ୍କ ନାଁ ନେଇଥିଲେ । ବିବେକ ଅନୁଯାୟୀ ଭୋଟ୍‌ ଦେବା ପାଇଁ ସସ୍ମିତଙ୍କୁ ମାନସ ମଙ୍ଗରାଜ କହିଥିବା ସେ ତାଙ୍କୁ କହିଥିଲେ ବୋଲି ନୀଳମାଧବ ପ୍ରକାଶ କରିଛନ୍ତି ।

ଖାଲି ସେତିକି ନୁହେଁ, ମାନସ ମଙ୍ଗରାଜ ଏବଂ ସସ୍ମିତ ପାତ୍ରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ନୀଳମାଧବ । ବଡ ବଡ ଅଭିଯୋଗ ଲଗାଇ କହିଛନ୍ତି, ମାନସ ମଙ୍ଗରାଜ ଏବଂ ସସ୍ମିତ୍ ପାତ୍ର ବିଜେପିର ଦଲାଲ ସାଜିଛନ୍ତି । ବିଜେପି ସାଙ୍ଗରେ ଡିଲ୍ କରି ବୋର କରୁଛନ୍ତି । ବିଜେଡିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ସେଭଳି ଲୋକଙ୍କୁ ଜୋରଦାର ବିରୋଧ କରିବ ବିଜୁ ଯୁବ ଓ ଛାତ୍ର ସଂଗଠନ ବୋଲି କହିଛନ୍ତି ନୀଳମାଧବ ।

ଅନ୍ୟପଟେ ନୀଳ ମାଧବଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ମାନସ ମଙ୍ଗରାଜ । ସସ୍ମିତ ପାତ୍ର ତାଙ୍କୁ ଏପରି କହିଥିବା ମୋର ବିଶ୍ବାସ ହେଉନାହିଁ ବୋଲି କହିଛନ୍ତି । ଏଥିସହ ସେ ଏହାବି କହିଛନ୍ତି, ସସ୍ମିତଙ୍କ ସହ ଏନେଇ ତାଙ୍କର କୌଣସି ବାର୍ତ୍ତାଳପ ହୋଇନାହିଁ । ଯେଉଁ ନୀଳମାଧବ ମୋ ବାବଦରେ ମତ ରଖିଛନ୍ତି ମୁଁ ତାଙ୍କୁ ଜାଣିନାହିଁ । ମୁଁ ତାଙ୍କୁ ଦୋଷ ଦେଉ ନାହିଁ, ସମସ୍ତେ ଜାଣିଛନ୍ତି କାହା ପକ୍ଷରୁ କହୁଛନ୍ତି । ସସ୍ମିତ ବାବୁଙ୍କୁ ପଚାରିଲେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ମାନସ ।

Comments are closed.