Latest Odisha News

BREAKING NEWS

ସିଏଏ: ମାଷ୍ଟରଷ୍ଟ୍ରୋକ୍ ନା ମିଷ୍ଟେକ୍ ?

ନୂଆଦିଲ୍ଲୀ: ଦେଶରେ ଲାଗୁ ହୋଇଛି କେନ୍ଦ୍ର ସରକାରଙ୍କ ବିବାଦୀୟ ଆଇନ, ସିଏଏ ବା ନାଗରିକତ୍ୱ ସଂଶୋଧନ ଆଇନ। ୫ ବର୍ଷ ତଳୁ ଏହା ଆଇନରେ ପରିଣତ ହୋଇଥିବା ବେଳେ ଲାଗୁ କରିବାର ଟାଇମିଂକୁ ନେଇ ଜୋରଜାର ଚର୍ଚ୍ଚା। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ହଠାତ୍ ସିଏଏ ଲାଗୁକୁ ନେଇ ତେଜିିଛି ରାଜନୀତି। ତେବେ ପ୍ରଶ୍ନ, ସିଏଏ କେନ୍ଦ୍ରର ଏନଡିଏ ସରକାର ପାଇଁ ହେବ କି ମାଷ୍ଟରଷ୍ଟ୍ରୋକ୍ ? ନା ଓଲଟା ପଡିବ ସିଏଏ ଗୋଟି ଚାଳନା ?

୨୦୧୯ ଡିସେମ୍ବର ୯ରେ ଲୋକସଭା ଓ ଦୁଇ ଦିନ ପରେ ରାଜ୍ୟସଭାରେ ପାରିତ ହୋଇଥିଲା ସିଏଏ। ପରେ ଡିସେମ୍ବର ୧୨ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ସହ ଆଇନରେ ପରିଣତ ହୋଇଥିଲା। ତେବେ ସିଏଏ ଆଇନ କଣ ? ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ନିର୍ଯାତିତ ହୋଇ ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ଲୋକଙ୍କୁ ଫାଷ୍ଟଟ୍ରାକ ନିୟମ ଆଧାରରେ ନାଗରିକତା ଦିଆଯିବ।

୨୦୧୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ଶିଖ୍, ଜୈନ, ବୌଦ୍ଧ, ପାର୍ସି, ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସହ ଅଣମୁସଲିମ ପ୍ରବାସୀଙ୍କୁ ନାଗରିକତା ଦିଆଯିବ। ତେବେ ପ୍ରଶ୍ନ ଉଠୁଛି, ସିଏଏକୁ କାହିଁକି ବିରୋଧ ? ପୂର୍ବୋତର ରାଜ୍ୟ ଗୁଡିକ ସିଏଏକୁ ବିରୋଧ କରୁଛନ୍ତି। ଆଇନ ଲାଗୁ ହେଲେ ରାଜ୍ୟଗୁଡିକରେ ପ୍ରବାସୀଙ୍କ ଭିଡ ଚିନ୍ତାର କାରଣ ହେବ। ଭାଷା, ସାଂସ୍କୃତିକ ସଂରଚନା ପାଇଁ ବିପଦ ଆଶଙ୍କା କରାଯାଉଛି। ଧର୍ମ ଆଧାରରେ ନାଗରିକତା ପ୍ରଦାନକୁ ବିରୋଧ କରାଯାଉଛି। ମୁସଲିମ ସମୁଦାୟଙ୍କ ସହ ଆଇନରେ ଭେଦଭାବ କରାଯାଇଥିବା ଅଭିଯୋଗ ହୋଇଛି।

ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ସିଏଏ ଲାଗୁ କରି ଚବିଶ ମଇଦାନରେ ବଡ ଗୋଟି ଚଳାଇଛି ବିଜେପି। ସିଏଏ ଲାଗୁ କରି ବିରୋଧୀଙ୍କ ବିରୋଧରେ ନାରେଟିଭ୍ ସେଟ୍ କରିବାକୁ ଲକ୍ଷ୍ୟ ରହିଛି। ସିଏଏ ମାଧ୍ୟମରେ ବିଜେପିର ହିନ୍ଦୁ ରାଷ୍ଟ୍ରବାଦ ଏଜେଣ୍ଡାକୁ ଆଗେଇ ନେବାକୁ ଉଦ୍ୟମ କରୁଛି। ଏହାକୁ ବିରୋଧ କଲେ ବି ଫସିବ ବିରୋଧୀ।

ହିନ୍ଦୁ ବିରୋଧୀ ଓ ମୁସଲିମ ତୁଷ୍ଟିକରଣ ନାରେଟିଭ୍ ଦେଖାଇ ବିରୋଧୀଙ୍କୁ ବ୍ୟାକଫୁଟକୁ ଟାଣିବ ବିଜେପି। ପଶ୍ଚିମବଙ୍ଗରେ ବାଙ୍ଗଲାଦେଶରୁ ଆସିଥିବା ମତୁଆ ସମୁଦାୟ ଲମ୍ବା ସମୟ ଧରି ନାଗରିକତା ଦାବି କରୁଛନ୍ତି। ମତୁଆ ସଂପ୍ରଦାୟର ଜନସଂଖ୍ୟା ପ୍ରାୟ ୩୦ଲକ୍ଷ। ସିଏଏ ଲାଗୁ ପରେ ସେମାନଙ୍କୁ ନାଗରିକତା ମିଳିବା ବାଟ ସଫା ହୋଇଛି। ଏଥିସହ ବିଜେପି ପାଇଁ ବଢିଛି ଭୋଟ୍ ସମ୍ଭାବନା। ନଦିଆ, ଉତର ଓ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ପ୍ରାୟ ୪ଟି ଲୋକସଭା ସିଟ୍ ଉପରେ ମତୁଆ ସଂପ୍ରଦାୟଙ୍କ ପ୍ରଭାବ ରହିଛି। ତେବେ ଉତର ପୂର୍ବ ରାଜ୍ୟ ଗୁଡିକର ବିରୋଧ ବିଜେପି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ। ଶରଣାର୍ଥୀଙ୍କ ପାଇଁ ୭ ପୂର୍ବୋତର ରାଜ୍ୟର ମୂଳ ଅଧିବାସୀଙ୍କ ଅସ୍ଥିତ୍ୱ ସଂକଟ ଦେଖାଦେଇଛି। ପାକିସ୍ତାନରୁ ଆସିଥିବା ହିନ୍ଦୁଙ୍କୁ ଥଇଥାନ କରିବାକୁ ବିଭିନ୍ନ ସ୍ଥାନରେ ମୂଳନିବାସୀ ବିରୋଧ କରିଛନ୍ତି।

ବିରୋଧୀଙ୍କୁ ଚିତ୍ କରିବାକୁ ସିଏଏ ଗୋଟି ଚଳାଇଛି ଏନଡିଏ ସରକାର। ହେଲେ ଚ୍ୟାଲେଞ୍ଜ ମୋଦି ସରକାର ପାଇଁ ବି ଅଛି। ତେଣୁ ସିଏଏ ମାଷ୍ଟରଷ୍ଟ୍ରୋକ୍ ନା ମିଷ୍ଟେକ୍ ତାହା ନିର୍ବାଚନ ଫଳାଫଳ କହିବ।

Leave A Reply

Your email address will not be published.