Latest Odisha News

BREAKING NEWS

ରାଜ୍ଯସଭା ପ୍ରାର୍ଥୀ ପାଇଁ ମିଳିଲାନି ପ୍ରସ୍ତାବକ, ନିରାଶ ହେଲେ ଓଡ଼ିଆ ବ୍ୟବସାୟୀ

ରାଞ୍ଚି: ଝାଡଖଣ୍ଡରେ ହେବାକୁ ଥିବା ଦୁଇ ରାଜ୍ୟସଭା ଆସନରୁ ପ୍ରାର୍ଥୀ ହେବାକୁ ନାମାଙ୍କନ ପତ୍ର କିଣିଥିବା ଓଡ଼ିଆ ବ୍ୟବସାୟୀ ହରିହର ମହାପାତ୍ର ଶେଷରେ ନିରାଶ ହୋଇଛନ୍ତି। ତାଙ୍କୁ ପ୍ରସ୍ତାବକ ଭାବେ ଆବଶ୍ୟକ ସଂଖ୍ୟକ ବିଧାୟକ ନମିଳିବାରୁ ସେ ଏବେ ତାଙ୍କର ରାଜ୍ୟସଭା ସାଂସଦ ହେବା ସ୍ବପ୍ନ ମଉଳି ଯାଇଛି। ସେ ବିଜେପି ସମର୍ଥନରେ ସଂସଦର ଉଚ୍ଚ ସଦନକୁ ଯିବାକୁ ଇଚ୍ଛା ରଖିଥିଲେ।

ଦୁଇଟି ରାଜ୍ୟସଭା ଆସନ ପାଇଁ ଜେଏମ୍ଏମ୍ ପ୍ରାର୍ଥୀ ସରଫରାଜ ଅହମ୍ମଦ ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ବର୍ମା ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଉଭୟ ପ୍ରାର୍ଥୀ ବିଧାନସଭା ଦାୟିତ୍ୱରେ ଥିବା ସଚିବ ସୟଦ ଜାଭେଦ ହାଇଦରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।  ପ୍ରଦୀପ ବର୍ମା ୩ ସେଟରେ ଓ ସରଫରାଜ ଅହମ୍ମଦ ୨ ସେଟ୍ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅପରାହ୍ନ ୩ଟାରେ ନାମାଙ୍କନ ପତ୍ର ଦାଖଲର ଶେଷ ଅବଧି ଥିଲା। ନାମାଙ୍କନ ପତ୍ର କିଣିଥିବା ବ୍ୟବସାୟୀ ହରିହର ମହାପାତ୍ରଙ୍କୁ ପ୍ରସ୍ତାବକ ବିଧାୟକ ମିଳିନଥିଲେ। ଏହି କାରଣରୁ ସେ ଫର୍ମ ପୂରଣ କରିନଥିଲେ। ଏଥିସହ ନାମାଙ୍କନ ପତ୍ର ଦାଖଲ କରିଥିବା ଉଭୟ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭା ସଭ୍ୟ ଭାବେ ନିର୍ବାଚିତ ହେବା ନିଶ୍ଚିତ।

ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ମଙ୍ଗଳବାର ଉଭୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୧୪ ରହିଛି। ସେହିଦିନ ନିର୍ବାଚନ ଅଧିକାରୀମାନେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଉଭୟଙ୍କ ନିର୍ବାଚନ ଘୋଷଣା କରିବେ।

ଏଭଳି ସ୍ଥିତିରେ ମାର୍ଚ୍ଚ ୨୧ ରେ ନିର୍ବାଚନ ହେବ ନାହିଁ। ସମୀର ଓରାଓଁ ଓ ଧୀରଜ ପ୍ରସାଦ ସାହୁଙ୍କ କାର୍ଯ୍ୟକାଳ ମେ’ ମାସରେ ଶେଷ ହେଉଛି। ଖାଲି ପଡିଥିବା ଏହି ଦୁଇଟି ଆସନ ପାଇଁ ହିଁ ନିର୍ବାଚନ ହେବ। ଉଭୟ ପ୍ରାର୍ଥୀଙ୍କ ନାମାଙ୍କନ ସମୟରେ ସହଯୋଗୀ ଦଳର ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.