ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କୁ ଯେଉଁମାନେ ଅପମାନିତ କରିଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମା କରିବେ ନାହିଁ ବୋଲି ‘ନ୍ୟୁଜ ୨୪’ ଟେଲିଭିଜନ ଚ୍ୟାନେଲରେ ଏକ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ।
ନିକଟରେ ୪ଜଣ ବିଜେପି ନେତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ପ୍ରଶଂସା କରିବା ନେଇ ଏବେ ଚର୍ଚ୍ଚା ବେଶ୍ ବଢିବାରେ ଲାଗିଛି । ଭୋପାଳରୁ ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର କହିଥିଲେ: “ନାଥୁରାମ ଗଡ଼ସେ ଜଣେ ଦେଶଭକ୍ତ ଥିଲେ, ଦେଶ ଭକ୍ତ ରହିଛନ୍ତି ଏବଂ ସେ ସବୁଦିନ ଲାଗି ଦେଶଭକ୍ତ ରହିବେ । ତାଙ୍କ ବିଷୟରେ ନ’ଜାଣି କିଛି ବ୍ୟକ୍ତି ତାଙ୍କୁ ଆତଙ୍କବାଦୀ ବୋଲି କହୁଛନ୍ତି, ସେହି ଲୋକମାନଙ୍କ୍ୁ ଏହି ନିର୍ବାଚନରେ ଉଚିତ୍ ଜବାବ ଦିଆଯିବ ।” ଏହି ଟିପ୍ପଣୀକୁ ଯେଉଁ ଅନ୍ୟ ତିନିଜଣ ନେତା ଦୋହରାଇଛନ୍ତି ସେମାନେ ହେଲେ – ଅନନ୍ତ କୁମାର ହେଗଡ଼େ, ନଳୀନ କୁମାର କାଟିଲ୍ ଏବଂ ଅନୀଲ୍ ସୌମିତ୍ର ।
ଏସମ୍ପର୍କରେ ଏନଡ଼ି ଟିଭିରେ ଏକ ରିପୋର୍ଟ ପ୍ରକାଶ ପାଇଛି ଏବଂ ଶୁକ୍ରବାର ଦିନ ଏଥିରେ ପ୍ରକାଶିତ ଖବର ଅନୁଯାୟୀ, ବିଜେପି ଟ୍ୱିଟ୍ କରିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି: “ ଗାନ୍ଧୀ ଓ ଗଡ଼ସେଙ୍କୁ ନେଇ ଦିଆଯାଉଥିବା ସମସ୍ତ ଟିପ୍ପଣୀ ଘୃଣିତ, ଏହା ସଭ୍ୟ ସମାଜ ଲାଗି ଉପଯୁକ୍ତ ନୁହେଁ । ଏହିସବୁ କଥା କହୁଥିବା ବ୍ୟକ୍ତିମାନଙ୍କୁ ଶହେ ଥର ଭାବିବାକୁ ପଡ଼ିବ । ଏହା ଏକ ଅନ୍ୟପ୍ରକାରର ପ୍ରସଙ୍ଗ, ସେମାନେ କ୍ଷମା ମାଗିସାରିଥିଲେ ମଧ୍ୟ ମୁଁ ମୋ ହୃଦୟରେ କ୍ଷମା ଦେଇପାରିବି ନାହିଁ ।”
ଯେଉଁ ସମୟରେ ମାଲେଗାଓଁ ବିସ୍ଫୋରଣ ନେଇ ଅଭିଯୁକ୍ତମାନଙ୍କୁ ହଟାଇବାକୁ ବିରୋଧୀ ଦଳମାନେ ଭାଜପା ଉପରେ ଆକ୍ରମଣ କରିଥିଲେ ସେହିସମୟରେ, ସାଧ୍ୱୀ ପ୍ରଜ୍ଞାଙ୍କୁ ମୋଦୀ ସମର୍ଥନ କରିଥିଲେ । ଗତ ସପ୍ତାହରେ ମୋଦୀ କହିଥିଲେ, ସାଧ୍ୱୀ ପ୍ରଜ୍ଞାଙ୍କ ପ୍ରାର୍ଥୀତ୍ୱ ସେହିମାନଙ୍କ ଲାଗି ପ୍ରତୀକାତ୍ମକ ରୂପେ ଏକ ପ୍ରକାରର ଜବାବ ଯେଉଁମାନେ ମିଥ୍ୟାରୋପ କରି ମହାନ ସମୃଦ୍ଧ ହିନ୍ଦୁ ସଭ୍ୟତାକୁ ଆତଙ୍କବାଦୀ ଆଖ୍ୟା ଦେଇଛନ୍ତି ।
ନଳିନ କାଟିଲ୍ ଗଡ଼ସେଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହିତ ତୁଳନା କରି କହିଥିଲେ । ସେହିପରି ହେଗଡ଼େ ଟ୍ୱିଟ୍ କରି କହିଥିଲେ, “ସାତ ଦଶକ ପର୍ଯ୍ୟନ୍ତ କେବଳ ନିନ୍ଦା ଅପବାଦ ଶୁଣିବାକୁ ପଡ଼ିଥିଲା ।” ପରେ ଅବଶ୍ୟ ଏହି ଦୁଇଟି ଟ୍ୱିଟ୍ ଅପସାରଣ ହୋଇଯାଇଥିଲା । ହେଗଡ଼େ କହିଥିଲେ ଯେ, ତାଙ୍କର ଟ୍ୱିଟର୍ ହ୍ୟାକିଂ ହୋଇଛି ।
ସେହିପରି ଅନ୍ୟଜଣେ ନେତା ଅନିଲ୍ ସୌମିତ୍ର ଯିଏକି, ଟ୍ୱିଟ୍ କରି କହିଥିଲେ ଯେ – “ମହାତ୍ମା ଗାନ୍ଧୀ ପାକିସ୍ତାନର ଜନକ” ଏବଂ “କୋଟି କୋଟି ଭାରତୀୟ ମହାତ୍ମା ଗାନ୍ଧୀଙ୍କ ପରି ଜନ୍ମ ଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରୁ କିଛି ଦରକାରି ଏବଂ ଅନେକ ଅଦରକାରୀ ।”