Latest Odisha News

BREAKING NEWS

୫ ଦିନିଆ ସିବିଆଇ ରିମାଣ୍ଡରେ ବାହାନଗା ଟ୍ରେନ୍ ଦୁର୍ଘଟଣାର ୩ ଅଭିଯୁକ୍ତ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାର ୩ ଅଭିଯୁକ୍ତଙ୍କୁ ସିବିଆଇ ରିମାଣ୍ଡରେ ନେଇଛି । ୫ ଦିନ ପାଇଁ ସିବିଆଇ ରିମାଣ୍ଡ ଆବେଦନ କରିଥିଲା, ସ୍ୱତନ୍ତ୍ର ସିବିଆଇ କୋର୍ଟ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ପ୍ରଦାନ କରିଛନ୍ତି ।

ରେଳବାଇର ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ, ସିନିୟର ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହନ୍ତ ଓ ଟେକ୍ନିସିଆନ୍ ପପୁ କୁମାରଙ୍କୁ ଆଜି ସିବିଆଇ ଗିରଫ କରିବା ପରେ ଭୁବନେଶ୍ୱର କାର୍ଯ୍ୟାଳୟକୁ ଆଣିଥିଲା । ସେଠାରେ ପଚରାଉଚରା ପରେ କ୍ୟାପିଟାଲ୍ ହସ୍ପିଟାଲରେ ୩ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟରେ ହାଜର କରାଯାଇଥିଲା ।

ଜାଣିଶୁଣି ଅପରାଧ ଘଟାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିବିଆଇ ୩ ଜଣଙ୍କୁ ଗିରଫ କରିଛି । ଆଇପିସି ଧାରା ୩୦୪ ଓ ୨୦୧ରେ ୩ ଜଣଙ୍କୁ ସିବିଆଇର ଗିରଫ କରିଥିବା ଜଣାପଡ଼ିଛି । ଜାଣିଶୁଣି ମୃତ୍ୟୁ ମୁହଁକୁ ଠେଲି ଦେବା, ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଆଦି ଅଭିଯୋଗରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହା ପୂର୍ବରୁ ରେଲୱେ ସେଫ୍ଟିକମିଶନରଙ୍କ ରିପୋର୍ଟ ଆସିଥିବା ବେଳେ ଦୁର୍ଘଟଣା ମନ୍ୟୁଷକୃତ ବୋଲି ରିପୋର୍ଟରେ କୁହା ଯାଇଥିଲା । ଟ୍ରେନ୍ ଦୁର୍ଘଟଣାରେ ୩ ଦିନ ମଧ୍ୟରେ ରେଲୱେ ବୋର୍ଡ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ମଧ୍ୟ ଷଡ଼ଯନ୍ତ୍ର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା । ତେବେ ଗିରଫ ୩ ଜଣ ହିଁ ଦୁର୍ଘଟଣା ପାଇଁ ଦାୟୀ ନା ଏଥିରେ ଆଉ କାହାରି ସମ୍ପୃକ୍ତି ରହିଛି । ସେନେଇ ସିବିଆଇ ଖୋଳତାଡ଼ ଜାରି ରଖିଛି ।

ଜୁନ୍ ୨ ତାରିଖ ରାତି ପ୍ରାୟ ୭ଟା ବେଳେ ବାହାନଗା ରୋଡ୍ ଷ୍ଟେସନ ନିକଟରେ ଛିଡ଼ା ହୋଇଥିବା ମାଲବାହୀ ଗାଡ଼ିକୁ ପଛରୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ୍ । ମାଲବାହୀକୁ କରମଣ୍ଡଳ ଧକ୍କା ଦେବା ପରେ କିଛି କୋଚ୍ ଅନ୍ୟ ଟ୍ରାକକୁ ଛିଟିକି ପଡ଼ିଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଯଶୱନ୍ତପୁର-ହାୱଡ଼ା ସୁପରଫାଷ୍ଟ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

Leave A Reply

Your email address will not be published.