Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ଛପାଯିବ ‘ଛବିଳ ମଧୁ ବର୍ଣ୍ଣବୋଧ’, ଖୁବଶୀଘ୍ର ସ୍କୁଲକୁ ପଠାଯିବ ବହି

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀ ପୁଣି ‘ଛବିଳ ବର୍ଣ୍ଣବୋଧ’ ପଢ଼ିବେ । ପୁଣି ଥରେ ପ୍ରକାଶ ପାଇବ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ଛବିଳ ‘ବର୍ଣ୍ଣବୋଧ’ । ଭାଷା ସମୃଦ୍ଧ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବାବେଳେ, ଏହାର ପୁନଃ ମୁଦ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଥିବା ଜଣାପଡ଼ିଛି । ନିର୍ବାଚନ ପୂର୍ବରୁ ଏହା ଛପା ହେବା ଓ ନିର୍ବାଚନ ପରେ ଏହାର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

BjdElectrycity

ପ୍ରଥମ ପର୍ଯ୍ୟାୟରେ ୫୦ ହଜାରରୁ ଅଧିକ ବହି ମୁଦ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାର ପୁନଃ ମୁଦ୍ରଣ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କାର୍ଯ୍ୟପନ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମଧୁସୂଦନ ରାଓଙ୍କ ଅଣନାତୁଣୀଙ୍କ ଠାରୁ ମୂଳ ବହି ସଂଗ୍ରହ କରାଯିବା ସହିତ ବରିଷ୍ଠ ସାହିତ୍ୟିକ ତଥା ଭାଷାବିତଙ୍କୁ ନେଇ ଏକ କମିଟି ଗଠନ କରାଯାଇ ଏହାକୁ ପ୍ରସ୍ତୁତ କରାଯାଇଛି । ମୂଳ ‘ବର୍ଣ୍ଣବୋଧ’ରେ କୌଣସି ପରିବର୍ତ୍ତନ ହେବ ନାହିଁ ପୂର୍ବରୁ ଯାହା ସବୁଥିଲା ତାହା ପୁସ୍ତକରେ ସଂକଳିତ କରାଯିବ ।

ନିର୍ବାଚନ ପୂର୍ବରୁ ଏହାର ସମସ୍ତ କାର୍ଯ୍ୟ ସରିବ ଓ ନିର୍ବାଚନ ପରେ ଓସେପା ସାହାଯ୍ୟରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟକୁ ତାହା ପଠାଯିବ । ଏଥିସହିତ ଓଡ଼ିଶା ପରିବାର ମାଧ୍ୟମରେ ପ୍ରବାସୀ ଓଡ଼ିଆ ପିଲାଙ୍କ ନିକଟକୁ ମଧ୍ୟ ‘ବର୍ଣ୍ଣବୋଧ’ ବହି ପଠାଯିବ । ସୂଚନାଯୋଗ୍ୟ ଯେ, ଏହି ବହିର ମୂଳ ପ୍ରକାଶନକୁ ବାଦ୍ ଦେଇ ନୂଆ କରି ଛପା ଯାଇଥିବାରୁ ପୂର୍ବରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା ।

ଛବିଳ ମଧୁ ବର୍ଣ୍ଣବୋଧ ଓଡ଼ିଶାର ଏକ ଅତି ଜଣାଶୁଣା ଶିଶୁ ପୁସ୍ତକ ଅଟେ । ଏପରିକି ପ୍ରତ୍ୟେକ ଓଡ଼ିଆ ଆଜି ଯେଉଁ ପଦଵୀରେ ଥାଆନ୍ତୁ ନା କାହିଁକି କି ସମସ୍ତେ ଏଇ ବହି ତାଙ୍କ ପିଲାବେଳେ ନିଶ୍ଚିତ ଭାବରେ ପଢ଼ିଥିବେ । ଗୋଟିଏ ଅଭୁଲା ଅତୁଟ ସମ୍ପର୍କ ଯୋଡି ହୋଇଯାଇଛି ଏଇ ବହି ସହିତ ।

Leave A Reply

Your email address will not be published.