Latest Odisha News

BREAKING NEWS

ଖଲିସ୍ତାନୀ ଆତଙ୍କୀ ହରଦୀପ ନିଜ୍ଜର ହତ୍ୟା ମାମଲା, ସିସିଟିଭି ଫୁଟେଜ୍ ଜାରି କଲା କାନାଡା ପୋଲିସ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଖଲିସ୍ତାନୀ ଆତଙ୍କୀ ହରଦୀପ ନିଜ୍ଜର ହତ୍ୟା ଘଟଣାର ସିସିଟିଭି ଭିଡିଓ । ଭିଡିଓ ଜାରି କଲା କାନାଡା ପୋଲିସ । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ କିପରି ଆତଙ୍କୀ ନିଜ୍ଜରକୁ ହତ୍ୟା କରିବା ପୂର୍ବରୁ ଅଭିଯୁକ୍ତମାନେ ତାଙ୍କ କାରର ପିଛା କରୁଥିଲେ ଏବଂ ପରେ ତା’ର ଗାଡିକୁ ଓଭର ଟେକ୍ କରି ରଖିଥିଲେ । ଏହାପରେ ଆକ୍ରମଣକାରୀମାନେ ଆତଙ୍କୀ ନିଜ୍ଜର ଉପରେ ଘନ ଘନ ଗୁଳି ବର୍ଷା କରିଥିଲେ ।

ସୂଚନା ଅନୁସାରେ, ଆତଙ୍କୀ ହରଦୀପ ନିଜ୍ଜରକୁ ଗତବର୍ଷ ଜୁନ ୧୮ତାରିଖରେ ହତ୍ୟା କରାଯାଇଥିଲା । କାନାଡା ପୋଲିସ ଅନୁସାରେ, ଆତଙ୍କୀ ହରଦୀପର ହତ୍ୟା ଘଟଣାରେ ମୋଟ ୬ଜଣ ଅଭିଯୁକ୍ତ ଥିଲେ । ନିଜ୍ଜର ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ ଭାରତରେ ଆତଙ୍କବାଦ ବିସ୍ତାର କରିଥିଲା। ଆଇଏସଆଇ ନିଜ୍ଜରକୁ ପାଣ୍ଠି ଯୋଗାଉଥିଲା, ନିଜ୍ଜର ପାକିସ୍ତାନରେ ତାଲିମ ନେଇଥିଲା।

ସୂଚନାଯୋଗ୍ୟ ଯେ, ନିଜ୍ଜରର ହତ୍ୟା ପାଇଁ କାନାଡା ସରକାର ଭାରତୀୟ ଗୁପ୍ତଚର ସଂସ୍ଥାକୁ ଦାୟୀ କରିଥିଲେ। କାନାଡା ସରକାରଙ୍କ ଏହି ଅଭିଯୋଗକୁ ନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ଦେଇଥିଲେ । ଏହା ସହ ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଆମର ଏପରି କୌଣସି ଘଟଣା ସହ ସମ୍ପର୍କ ନାହିଁ। ଏହି ହତ୍ୟାକାଣ୍ଡର ନଅ ମାସ ପରେ ମଧ୍ୟ କାନାଡା ପୋଲିସ ଏହି ହତ୍ୟା ସହ ଜଡିତ କୌଣସି ସନ୍ଦିଗ୍ଧଙ୍କ ଫଟୋ ଜାରି କରି ନାହିଁ। ତେବେ ସୂଚନା ମିଳିଛି ଯେ ଦୁଇ ଜଣ ସୁଟରଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଶୀଘ୍ର ଗିରଫ କରାଯିବ।

କିଛି ଦିନ ପୂର୍ବରୁ ଖବର ଆସୁଥିଲା ଯେ, ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରିବ କାନାଡା ପୋଲିସ । ଗଣମାଧ୍ୟଡ଼ ରିପୋର୍ଟ ଅନୁଯାୟୀ, ଉଭୟ ସନ୍ଦିଗ୍ଧ ପୋଲିସର ନଜରରେ ଅଛନ୍ତି ଏବଂ କିଛି ସପ୍ତାହ ମଧ୍ୟରେ ଉଭୟଙ୍କୁ ଧରାଯିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ, ଭାରତ ଏବଂ କାନାଡା ସମ୍ପର୍କ ସେତେବେଳେ ଖରାପ ହୋଇଥିଲା ଯେତେବେଳେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଜୁନ୍ ୧୮ ରେ ଏକ ଗୁରୁଦ୍ୱାର ବାହାରେ ଖାଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ସମ୍ପର୍କରେ ଏକ ବିବୃତ୍ତି ଦେଇଥିଲେ। ଭାରତ ୨୦୨୦ରେ ନିଜ୍ଜରକୁ ଆତଙ୍କବାଦୀ ଘୋଷଣା କରିଥିଲା। ତେବେ ଟ୍ରୁଡୋଙ୍କ ଅଭିଯୋଗକୁ ଭାରତ ପ୍ରତ୍ୟାଖ୍ୟାନ କରିଥିଲା ।

Leave A Reply

Your email address will not be published.