Latest Odisha News

BREAKING NEWS

ଚେସ୍‌ ଗ୍ରାଣ୍ଡମାଷ୍ଟର୍‌ ସ୍ବୟମ୍ସ ମିଶ୍ର ଓ ପ୍ରଶିକ୍ଷକ ଅରୁଣ ଦାସ ପାଇବେ ଓସ୍‌ଜା ପୁରସ୍କାର

ଭୁବନେଶ୍ବର: ସ୍ବୟମ୍ସ ମିଶ୍ର ଓ ଅରୁଣ ଦାସ ପାଇବେ ଓସ୍‌ଜା ପୁରସ୍କାର । ଓଡ଼ିଶାର ଦ୍ବିତୀୟ ଚେସ୍‌ ଗ୍ରାଣ୍ଡମାଷ୍ଟର୍‌ ସ୍ବୟମ୍ସ ମିଶ୍ର ଏବଂ ଖେଳାଳିରୁ ସଫଳ ପ୍ରଶିକ୍ଷକ ପାଲଟିଥିବା ଅରୁଣ ଦାସଙ୍କୁ ଚଳିତ ବର୍ଷର ବାର୍ଷିକ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ) ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସଭାପତି ସନ୍ଦୀପ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ସ୍ବୟମ୍ସଙ୍କୁ ୨୦୨୦ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଏବଂ ଅରୁଣଙ୍କୁ ‘ଲାଇଫ୍‌ ଟାଇମ୍ ଆଚିଭମେଣ୍ଟ୍‌’ ସମ୍ମାନ ପ୍ରଦାନ କରାଯିବ । 

ମାର୍ଚ୍ଚ ୨୧ ତାରିଖ ଓସ୍‌ଜାର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ କଟକରେ ଅୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ । ଏହି ଅବସରରେ କୋଭିଡ୍‌-୧୯ ପାଇଁ ଅଟକିଥିବା ୨୦୧୯ ମସିହାର ବାର୍ଷିକ ଓସ୍‌ଜା ପୁରସ୍କାର ମଧ୍ୟ ପ୍ରଦାନ କରାଯିବ । ବିଶ୍ବ ଚାମ୍ପିଅନସିପ୍ ସ୍ବର୍ଣ୍ଣ ପଦକ ବି‌ଜେତା ପାରା ବ୍ୟାଡ୍‌ମିଣ୍ଟନ୍ ତାରକା ପ୍ରମୋଦ ଭଗତ ଓ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରପ୍ରାପ୍ତ ଦୌଡ଼କୁଦ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ ଏହି ବର୍ଷର ବିଜେତା ହୋଇଛନ୍ତି । 

ଉଭୟ ପୁରସ୍କାର ବାବଦରେ ଉପରୋକ୍ତ ୪ ଜଣଙ୍କୁ ମାନପତ୍ର ସହ ୨୫,୦୦୦ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ଚଳିତ ବର୍ଷ ସଂଘ ପକ୍ଷରୁ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ବ ହୃଦୟନାଥ ଦାସ ଓ ଶ୍ୟାମାକାନ୍ତ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଧିତ କରାଯିବ । ସ୍ବୟମ୍ସ ଗତବର୍ଷ ମେ’ ମାସରେ ଦେଶର ୬୨ତମ ଏବଂ ଓଡ଼ିଶାର ଦ୍ବିତୀୟ ଗ୍ରାଣ୍ଡମାଷ୍ଟର୍‌ ହେବାର ଗୌରବ ଅର୍ଜନ କରିଥିଲେ । 

ପୂର୍ବରୁ ଦେବାଶିଷ ଦାସ ରାଜ୍ୟର ପ୍ରଥମ ତଥା ଏକମାତ୍ର ଗ୍ରାଣ୍ଡମାଷ୍ଟର ଥିଲେ । ସେହିଭଳି ନିଜ ‌ଖେଳାଳି ଜୀବନରେ ଠିକ୍‌ ୫୦ ବର୍ଷ ତଳେ ଅହମଦାବାଦରେ ଜାତୀୟ କନିଷ୍ଠ ଦୌଡ଼କୁଦରେ ଜାଭଲିନ୍‌ ‌ଥ୍ରୋରେ ମିଟ୍‌ ରେକର୍ଡ (୫୭.୯୬ ମିଟର୍‌) ପ୍ରତିଷ୍ଠା କରିଥିବା ଅରୁଣ ଦାସ ୧୯୭୨ରେ ରାଜସ୍ଥାନର ଜୟପୁରଠାରେ ବରିଷ୍ଠ ବର୍ଗରେ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ । ୧୯୭୪-୭୫ରେ ପାତିଆଲାରୁ ଏନଆଇଏସ୍‌ ପ୍ରଶିକ୍ଷକ ଭାବେ ଉତ୍ତୀର୍ଣ୍ଣ ହେବା ପରେ ଓଡ଼ିଶାକୁ ଏକାଧିକ ଅନ୍ତର୍ଜାତୀୟ ଖେଳାଳି ପ୍ରଦାନ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ।

ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫ୍‌ଆଇ)ର ଏକମାତ୍ର ଅନୁବନ୍ଧିତ ଓଡ଼ିଶା ସଂଘ ‘ଓସ୍‌ଜା’ ପକ୍ଷରୁ ୨୦୧୮ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି । 

ସୂଚନାଯୋଗ୍ୟ, ଓସ୍‌ଜା ପୁରସ୍କାରର ପ୍ରଥମ ବିଜେତା ଥି‌ଲେ ହେପ୍ଟାଥଲନ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍ ଓ ବର୍ଷିୟାନ ଫୁଟ୍‌ବଲ୍ ଖେଳାଳି ଦେବ ସିଂହ । ସେହିଭଳି ୨୦୧୯ରେ ହକି ତାରକା ଅମିତ ରୋହିଦାସ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ବ୍ରଜ ଭୂଷଣ ମହାନ୍ତି ଏହି ମର୍ଯ୍ୟଦାଜନକ ପୁରସ୍କାର ଗ୍ରହଣ କରିଥିଲେ । 

୨୦୧୯ ଓଡ଼ିଶାର ଅଷ୍ଟମ ଖେଳାଳି ଭାବେ ଅର୍ଜୁନ ପୁରସ୍କାର ଗ୍ରହଣ କରିଥିବା ପ୍ରମୋଦ ଉଭୟ ଏକକ ଓ ଯୁଗଳ ବର୍ଗରେ ୫୦ ପାଖପାଖିରୁ ଅଧିକ ଅନ୍ତର୍ଜାତୀୟ ପଦକ ଜିତି ସାରିଛନ୍ତି । ଅନ୍ୟପକ୍ଷରେ ନିଜ ସମୟରେ ଜଣେ ବହୁମୁଖୀ କ୍ରୀଡ଼ା ତାରକା ଥିବା ପଞ୍ଚାନନ ଦ୍ବିତୀୟ ଓଡ଼ିଆ ଭାବେ ଜାତୀୟ ପ୍ରତିଯୋଗିତାର ୧୧୦ ବାଧାଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। 

Leave A Reply

Your email address will not be published.